ସମସ୍ତଙ୍କ ସହଯୋଗ ରହିଲେ ବରଗଡ଼ର ପଞ୍ଚାୟତ ଡିଗ୍ରୀ କଲେଜ ହେବ ରାଜ୍ୟର ଶିକ୍ଷା ହବ୍: ‘ମୋ କଲେଜ’ ଅଧ୍ୟକ୍ଷ

0 1

ବରଗଡ଼(ଶାସକ ପ୍ରଶାସକ) : ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଗୁରୁବାର ଦିନ ବରଗଡ଼ସ୍ଥିତ ପଞ୍ଚାୟତ ଡିଗ୍ରୀ କଲେଜ ପରିଦର୍ଶନ କରିଥିଲେ। ମୋ କଲେଜ ଅଭିଯାନ ଅଧୀନରେ ଯୋଡ଼ିହୋଇ ଏହି ଉଚ୍ଚ ଶିକ୍ଷାନୁଷ୍ଠାନର କିପରି ବ୍ୟାପକ ଉନ୍ନତି ହୋଇପାରିବ ସେ ବିଷୟରେ ଶ୍ରୀ ଦାସନାୟକ କଲେଜ କର୍ତ୍ତୃପକ୍ଷଙ୍କ ସମେତ ବର୍ତ୍ତମାନ ଏବଂ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।
“ଛାତ୍ରଛାତ୍ରୀମାନଙ୍କ ଭିତରେ ସେବା ଏବଂ ନେତୃତ୍ୱ ନେବାର ମନୋଭାବ ରହିବା ଉଚିତ। ତେଣୁ କଲେଜ ଜୀବନରୁ ହିଁ ଭବିଷ୍ୟତର ନେତୃତ୍ଵ ଭାବେ ଛାତ୍ରଛାତ୍ରୀମାନେ ନିଜକୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ରାଜ୍ୟ ତଥା ଦେଶର ଅର୍ଥନୀତିର ଉନ୍ନତି ପାଇଁ ସେମାନେ ନିଜର ଦକ୍ଷତା ବୃଦ୍ଧି କରିବା ମଧ୍ୟ ଆବଶ୍ୟକ”, ଏହି ଅବସରରେ କହିଥିଲେ ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକଶ ଦାସନାୟକ।
ଏଥିସହ ସେ ବର୍ତ୍ତମାନ ଏବଂ ପୁରାତନର ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ବରଗଡ଼ ପଞ୍ଚାୟତ ଡିଗ୍ରୀ କଲେଜକୁ ରାଜ୍ୟର ଏକ ଶିକ୍ଷା ହବରେ ପରିଣତ କରିବାକୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ସେ କଲେଜ ପରିସରରେ ‘ତପସ୍ୱିନୀ’ ଉଦ୍ୟାନର ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ କଲେଜର ପୁରାତନ ଛାତ୍ର ତଥା ବରଗଡ଼ର ମାନ୍ୟବର ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଯୋଗଦେଇ କହିଥିଲେ, “ପଞ୍ଚାୟତ ଡିଗ୍ରୀ କଲେଜକୁ ଏକ ଗ୍ରାମୀଣ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଜରୁରୀ। ଏହା ଫଳରେ ବର୍ତ୍ତମାନ ଏବଂ ଆଗାମୀ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଆହୁରି ଉଜ୍ଜ୍ୱଳମୟ ହୋଇପାରିବ।”
‘‘ମୋ କଲେଜ ଅଭିଯାନ ହେଉଛି ଏକ ପ୍ରଶଂସନୀୟ କାର୍ଯ୍ୟକ୍ରମ। ଏହି ଅଭିଯାନ ସହଯୋଗରେ ଆମ କଲେଜର ସାମଗ୍ରିକ ବିକାଶ ହୋଇପାରିବ। ଏହି ଅଭିନବ କାର୍ଯ୍ୟକ୍ରମର ଅଂଶ ହୋଇ ଆମେ ଅତ୍ୟଧିକ ଆନନ୍ଦିତ”, କହିଥିଲେ ବରଗଡ଼ ପଞ୍ଚାୟତ ଡିଗ୍ରୀ କଲେଜର ଅଧ୍ୟକ୍ଷ ଶ୍ରୀ ପତିତପାବନ ସାହୁ।
ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ବରଗଡ଼ ପଞ୍ଚାୟତ ଡିଗ୍ରୀ କଲେଜରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାର ଅନ୍ୟ ୨୧ଟି କଲେଜ ସାମିଲ ହୋଇଥିଲେ।

 

Leave A Reply

Your email address will not be published.