ଖରିଆରରେ ବିଶାଳ ଚାଷୀ ସମାବେଶ![Image may contain: 8 people, people standing, crowd and outdoor]()
ନୂଆପଡ଼ା /RITESH DASH : ଜିଲ୍ଲାର ଖରିଆରଠାରେ ଗତ ୨୫ ତାରିଖ ଦିନ କଂଗ୍ରେସ ଦଳ ପକ୍ଷରୁ ବିଶାଳ ଚାଷୀ ସମାବେଶ ଖରିଆର ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଅଧିରାଜ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନିଷ୍ଠିତ ହୋଇ ଯାଇଛି । ସମଲେଶ୍ୱରୀ ମନ୍ଦିର ପରିସରରୁ ୧୦ ହଜାରରୁ ଅଧିକ ଚାଷୀ ଏକ ଶୋଭାଯାତ୍ରାରେ ବାହାରି ଖରିଆଲ ନଗର ପରିକ୍ରମା କରି ବ୍ଳକ ଛକଠାରେ ପହଂଚିଥିଲେ । ସେଠାରେ କଳାହାଣ୍ଡିର ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ, ପିସିସି ଆଦିବାସୀ ସେଲର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପ୍ରଦେଶ କଂଗ୍ରେସ କମିଟି କିଷାନ ସେଲ୍ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ନୂଆପଡା ଜିଲ୍ଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝି, ନୂଆପଡା ଜିଲ୍ଲା ଇନଚାର୍ଜ ଯୁବନେତା ବିଧୁ ଭୂଷଣ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଚାଷୀମାନରଣ ନୀତିର ଦୃଢ ପ୍ରତିବାଦ କରିଥିଲେ । ମୋଦୀ ସରକାରର ବିମୁଦ୍ରାକରଣ ଯୋଗୁଁ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ । ବିଜେପି ସରକାର କେନ୍ଦ୍ରରେ ସ୍ୱାମୀନାଥନ କମିଟି ସୁପାରିଷକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଚାଷୀଙ୍କୁ ବିଭିନ୍ନ କ୍ଷେତ୍ରରେ ଭୂଆଁ ବୁଲାଇ ଚାଲିଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କେବଳ ପ୍ରଚାର ସର୍ବସ୍ୱ ହୋଇଛି । ଉପା ସରକାର ଚାଷୀଙ୍କ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରି ୨୦୦୮ରେ ଦେଶର ୫ କୋଟି ଚାଷୀଙ୍କଠାରୁ ୭୨ ହଜାର କୋଟି ଟଙ୍କା ଋଣ ଛାଡ କରିବା ସହିତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଉଦ୍ୟାନ କୃଷି ମିଶନ, ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ କରି ସାଧାରଣ ଚାଷୀଙ୍କୁ ବ୍ୟାପକ ସୁବିଧା ଯୋଗାଇ ଦେଇଥିବା ବେଳେ ମୋଦି ସରକାର କମ୍ପାନୀ ପ୍ରିତୀରେ ଚାଷୀଙ୍କୁ ଉପେକ୍ଷା କରି ଚାଲିଛନ୍ତି । ଅପର ପକ୍ଷରେ ନୂଆପଡା ଜିଲ୍ଲାରେ ଚାଷ କ୍ଷତି ଜନିତ କାରଣରୁ ଚାଷୀ ବାରମ୍ବାର ଆତ୍ମହତ୍ୟା କରୁଥିବା ବେଳେ ସରକାର ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଏଡାଇ ଦେଇ ଚାଲିଛନ୍ତି । ଦୀର୍ଘ ୩ ବର୍ଷ ଧରି ଜିଲ୍ଲାରେ ମରୁଡିର କରାଳ ଛାୟାରେ ଚାଷୀ ବାରମ୍ବାର କ୍ଷତିଗ୍ରସ୍ତ ହେଉଥିଲେ ସୁଦ୍ଧା ସରକାରଙ୍କର ଏଥି ପ୍ରତି ତିଳେ ମାତ୍ର ନିଘା ନାହିଁ । ଠକ ବୀମା କମ୍ପାନୀ ଓ ରାଜ୍ୟ ସରକାରର ପ୍ରଶାସନର ଚରମ ଅପାରଗତା ଫଳରେ ବହୁ ଚାଷୀ ଫସଲ ବୀମା ନାମ ପଞ୍ଜିକରଣରୁ ବଂଚିତ ହୋଇଛନ୍ତି । ଏହି ଜିଲ୍ଲାରେ ହଜାର ହଜାର ଚାଷୀ ଉଠା ଜଳସେଚନ ପାଇଁ ବିଗତ ୩ ବର୍ଷ ହେଲା ଅଗ୍ରୀମ ଟଙ୍କା ପୈଠ କରି ନାମ ପଞ୍ଜିକରଣ କରିଥିଲେ ମଧ୍ୟ ଜଳସେଚନ ସୁବିଧା ପାଇ ପାରିନାହାନ୍ତି । ଆବଶ୍ୟକ ଶୀତଳ ଭଣ୍ଡାର ନଥିବା, ବିପର୍ଯ୍ୟସ୍ତ ମଣ୍ଡି, ଧାନର ଅଭାବି ବିକ୍ରିର ଶିକାର ହୋଇ ଚାଷୀ ବହୁ କ୍ଷତିଗ୍ରସ୍ତ । ବିଭିନ୍ନ ସ୍ଥାନରେ ଲିଫ୍ଟ ପଏଣ୍ଟଗୁଡିକୁ ବିଦ୍ୟୁତ ସଂଯୋଗ ମଧ୍ୟ କରାଯାଇ ନାହିଁ । ଯାହା ଫଳରେ ସରକାରର ଏହା ମନୁଷ୍ୟକୃତ ମରୁଡି ବୋଲି ବକ୍ତାମାନେ ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ କାରଣରୁ ମରୁଡ଼ି ଯୋଗୁଁ ଜିଲାର ସମସ୍ତ ପଞ୍ଚାୟତରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଚାଷୀ ଆତ୍ମହତ୍ୟା କରିବାକୁ ପଛାଉ ନାହାନ୍ତି । ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ସାଙ୍ଗକୁ କୃଷି ଋଣ ଛାଡ଼, ମରୁଡି ସହାୟତା ପ୍ରଦାନ, ଚାଷୀଙ୍କୁ ପେନ୍ସନ୍ ବ୍ୟବସ୍ଥା, ସମସ୍ତ ଉଠାଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ, ରାସନ୍ କାର୍ଡ ପ୍ରଦାନ ଆଦି ୧୪ ଦଫା ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ନୂଆପଡ଼ା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ଉଷା ଚନ୍ଦ୍ରକାର, ରସୁଲୀ ଶବର, ବାସନ୍ତୀ ମାଝୀ, ଗିରିରାଜ ମାଝୀ, ଉଜ୍ଜଲ ଗୁପ୍ତା, ଖଡିଆଳ ବ୍ଳକ ସଭାପତି ଶ୍ୟାମସୁନ୍ଦର କୁଲଦୀପ, ବୋଡେନ ବ୍ଳକ ସଭାପତି ଜନ୍ମେଜୟ ସିଂଦେଓ, ସିନାପାଲି ବ୍ଳକ ସଭାପତି ଖଗେଶ୍ୱର ସା, ନୂଆପଡା ବ୍ଳକ ସଭାପତି ମୃତୁ୍ୟଞ୍ଜୟ ଦତ୍ତଗୁରୁ, ଜିଲ୍ଲା କିଷାନ କ୍ଷେତ ମଜଦୁର କଂଗ୍ରେସ ସଭାପତି ଚଇତରାମ ନାଏକ, ଖଡିଆଳ ବିଧାନସଭା ଯୁବ କଂଗ୍ରେସ କମିଟି ସଭାପତି ହୀରାଧର ମେହେର, ନୂଆପଡା ବିଧାନସଭା ଯୁବ କଂଗ୍ରେସ ସଭାପତି ସୌରଭ ଚନ୍ଦ୍ରକାର, ଖଡିଆଳ ବିଧାନସଭା ଯୁବ କଂଗ୍ରେସ କମିଟି ଉପ ସଭାପତି କପିଳେନ୍ଦ୍ର ଭୋଇ, ଅକ୍ଷୟ ନନ୍ଦ, ସନ୍ତୋଷ ପଟ୍ଟନାୟକଙ୍କ ସମେତ ହଜାର ହଜାର ଚାଷୀ ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

