ଭାରତ ସରକାରଙ୍କ ଜାତୀୟ ଫାଲେରିଆ ନିରାକରଣ ଯୋଜନା ଗଜପତି ଜିଲ୍ଲାରେ ସଫଳତାର ସହ ଆଗେଇ ଚାଲିଛି

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଜାତୀୟ ଫାଲେରିଆ (ବାତଜ୍ବର) ରୋଗ ନିରାକରଣ ଯୋଜନା କାର୍ଯ୍ୟକ୍ରମ ଗଜପତି ଜିଲ୍ଲାରେ , ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ ଫାଲେରିଆ ନିରାକରଣ ଯୋଜନା ଆନୁକୂଲ୍ୟରେ ଦ୍ରୁତ ଗତିରେ ସଫଳତାର ସହ ଆଗେଇ ଚାଲିଛି ।
ଏହି ଅବସରରେ ପାରଳାଖେମୁଣ୍ଡି ପୌରାଞ୍ଚଳରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆଗେଇ ଚାଲିଛି ।
ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଏକ ପରୀକ୍ଷା ଦଳ, ଜୀବାଣୁ ବାହିତ ରୋଗ ନିରାକରଣ ଯୋଜନାର ବରିଷ୍ଠ ଏଲଟି. ଶ୍ରୀ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ପରୀକ୍ଷା ଦଳରେ ଫାଲେରିଆ ନିରୀକ୍ଷକ ଶ୍ରୀ ଜେକେ. ମୁର୍ମୁ , ଏ ଏନ୍ ଏମ୍. ଲକ୍ଷ୍ମୀପ୍ରିୟା ସାହୁ , ଏଲ୍ ଟି. ଶ୍ରୀ ନରେନ୍ଦ୍ର ଦାସ , ହ୍ୟୁ ସଭ୍ୟ ଶ୍ରୀ ଏନ୍ ଗଣେଶ , ଆଶାକର୍ମୀ ସୁନିତା ପଟ୍ଟନାୟକ ଓ ଅଙ୍ଗନବାଡି କର୍ମୀ ଭୁବନେଶ୍ୱରୀ ବେହେରା ଓ ହେଲପର ପୁଷ୍ପାଞ୍ଜଳୀ ବେହେରା ପ୍ରମୁଖ ରହିଛନ୍ତି ।
ଏହି ପରୀକ୍ଷା ଦଳ ପୂର୍ବରୁ ଚିହ୍ନଟ ହୋଇଥିବା ୬ରୁ ୭ ବର୍ଷ ବୟସର ପିଲାମାନଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରୁଛନ୍ତି ।
ମୁଖ୍ୟତଃ ଏହି ବୟସର ପିଲାମାନଙ୍କ ରକ୍ତରେ ଫାଲେରିଆ ଜୀବାଣୁ ଅଛି ନା ନାହିଁ , ସେହି ପରୀକ୍ଷା କରାଯାଉଛି । କାରଣ ଏହି ପିଲାମାନଙ୍କ ବୟସ ବଢି ୧୫/୧୬ ବର୍ଷ ବୟସ ହେଲାବେଳକୁ ସେମାନେ ଯୁବା ବୟସ ହୋଇ ରୋଜଗାର କ୍ଷମ ହୋଇଥାନ୍ତି । ସେହି ବୟସରେ ଏହି ଫାଲେରିଆ ରୋଗରୁ ରକ୍ଷା ପାଇବା ପାଇଁ ଓ ସମ୍ପୂର୍ଣ୍ଣ ରୋଗମୁକ୍ତ କରାଇବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ନିରାକରଣ ଯୋଜନାର ବରିଷ୍ଠ ଏଲ୍ ଟି . ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଅନ୍ୟପକ୍ଷରେ ପୂର୍ବରୁ ଏଥିପାଇଁ ଜିଲ୍ଲାରେ ମୋଟ ୧୫୫୬ ଜଣ ୬ରୁ ୭ ବର୍ଷ ବୟସର ପିଲାଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ ଓ ପରୀକ୍ଷା କରାଯିବା ଦିନରେ ପୂର୍ବରୁ ଅଙ୍ଗନବାଡି ଓ ଆଶା କର୍ମୀ ମାନେ ସମ୍ପୃକ୍ତ ଚିହ୍ନଟ ପିଲାମାନଙ୍କ ଘରକୁ ଯାଇ ଡାକି ଆଣୁଛନ୍ତି ।
ପିଲାମାନେ ସେମାନଙ୍କ ଅଭିଭାବକ ମାନଙ୍କ ସହ ପରୀକ୍ଷା କେନ୍ଦ୍ରକୁ ଆସି ରକ୍ତ ନମୁନା ଦେଇ ପରୀକ୍ଷା କରାଉଛନ୍ତି । ମାତ୍ର ୧୦ ମିନିଟ୍ ପରେ ସେମାନଙ୍କୁ ପରୀକ୍ଷା ରିପୋର୍ଟ ନେଗେଟିଭ୍ କି ପଜିଟିଭ୍ ଜଣାଇ ଆବଶ୍ୟକ ସ୍ଥଳେ ମାଗଣାରେ ଔଷଧ ଦିଆଯିବା ବ୍ୟବସ୍ଥା ମଧ୍ୟ ହୋଇଛି ଏବଂ ଏହି କାର୍ଯ୍ୟକ୍ରମ ଚଳିତ ନଭେମ୍ବର ମାସ ଶେଷ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କାର୍ଯ୍ୟକ୍ରମର କନସଲଟାଣ୍ଟ ଶ୍ରୀ ସିଦ୍ଧାର୍ଥ କୁମାର ଦାସ ଜଣାଇଛନ୍ତି ।

Leave A Reply

Your email address will not be published.