ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନରେ ପରାଜୟ ଭୟ ଆଶଙ୍କା : ବାଧ୍ୟହୋଇ ପେଟ୍ରୋଲ୍ ଡିଜେଲ୍ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର – ସପା

0

ଭୁବନେଶ୍ୱର: ଲୋକଙ୍କ ଭଲପାଇଁ ନୁହେଁ କିମ୍ବା ସାଧାରଣ ଲୋକଙ୍କ ସ୍ୱାର୍ଥରେ ଦରଦାମ୍କୁ ନିୟନ୍ତ୍ରଣ କରିବା ପାଇଁ ନୁହେଁ, ବରଂ ୧୧ଟି ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ଓ ଦୁଇଟି ଲୋକସଭା ଉପ ନିର୍ବାଚନରେ ବିଜେପିର ପରାଜୟ ଯୋଗୁଁ ବାଧ୍ୟହୋଇ କେନ୍ଦ୍ର ସରକାର ପେଟ୍ରୋଲ୍ ଉପରେ ୫ ଟଙ୍କା ଓ ଡିଜେଲ୍ ଉପରେ ୧୦ ଟଙ୍କା ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି । ଉତ୍ତରପ୍ରଦେଶ ନିର୍ବାଚନ ଆଗାମୀ ଫେବୃୟାରୀ ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଆଗାମୀ ଦିନରେ ଲୋକଙ୍କୁ ନିଜ ପକ୍ଷରେ ନେବାପାଇଁ ବିଜେପି ପକ୍ଷରୁ ଆହୁରି ପେଟ୍ରୋଲ୍ ଡିଜେଲ୍ ଉପରୁ ଶୁଳ୍କ ହ୍ରାସକୁ ଏଡାଇ ଦିଆଯାଇ ନପାରେ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ କୁହାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, ଲୋକଙ୍କ ସ୍ୱାର୍ଥ ପାଇଁ ଯଦି ସରକାର ଏକ୍ସସାଇଜ୍ ଡୁ୍ୟଟି କମାଇ ଥାନ୍ତେ ତାହେଲେ ଆହୁରି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ହ୍ରାସ ପାଇଥାଆନ୍ତା । ସେହିଭଳି ରନ୍ଧନ ଗ୍ୟାସର ଦାମ୍ ମଧ୍ୟ ସରକାର ହ୍ରାସ କରିଥାନ୍ତେ ଓ ଖାଇବା ତେଲ ସମେତ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦରଦାମ୍ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଥାନ୍ତେ । କିନ୍ତୁ ଜନସାଧାରଣଙ୍କର ସ୍ୱାର୍ଥର ଦ୍ୱାହି ଦେଇ ନିଜର ରାଜନୈତିକ ପତିଆରାକୁ ଜାହିର କରିବା ପାଇଁ ସରକାର ଲୋକଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରି ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ସାମାନ୍ୟ ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି, ଯାହା ଯଥେଷ୍ଟ ନୁହେଁ ବୋଲି ଶ୍ରୀ ବେହେରା ଅଭିଯୋଗ କରିଛନ୍ତି । ସେହିଭଳି ଓଡ଼ିଶା ସରକାରଙ୍କ ପକ୍ଷରୁ ଅଧିକ ଶୁଳ୍କ ହ୍ରାସ ଆଶା କରାଯାଉଥିଲା ବେଳେ ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ମାତ୍ର ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି । ଏହି ଶୁଳ୍କ ହ୍ରାସ ଯଥେଷ୍ଟ ନ ହେଲେ ମଧ୍ୟ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ଜନସାଧାରଣ କିଛିଟା ଆଶ୍ୱସ୍ତି ପାଇବେ । ଉପା ସରକାର ସମୟରେ ଆନ୍ତର୍ଜାତୀକ ବଜାରରେ ଅଶୋଧିତ ତୈଳା ୧୦୫ ଡଲାର ଥିଲାବେଳେ ପେଟ୍ରୋଲ୍ ଲିଟର ପିଛା ଦର ଥିଲା ୭୨ ଟଙ୍କା ଓ ଡିଜେଲ୍ର ଦର ଥିଲା ଲିଟର ପିଛା ୫୬ ଟଙ୍କା । କିନ୍ତୁ ଆଜି ଅଶୋଧିତ ତୈଳ ଦର ୮୨ ଡଲାର ଥିଲାବେଳେ ପେଟ୍ରୋଲ୍ ଲିଟର ପିଛା ୧୧୧ଟଙ୍କା ୩ ପଇସା ଓ ଡିଜେଲ୍ ୧୦୭ଟଙ୍କା ଆସି ପହଞ୍ଚିଛି ଯାହାରକି ପରୋକ୍ଷ ପ୍ରଭାବ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ, ବସ, ଟ୍ରକ, ଅଟୋଭଡ଼ା ଓ କୃଷି ଉତ୍ପାଦନ ପାଇଁ ପାଣିପମ୍ପ ଓ ଟ୍ରାକ୍ଟର ଉପରେ ମଧ୍ୟ ପଡୁଛି । ଫଳରେ ସାଧାରଣ ଲୋକର ଦୈନନ୍ଦିନ ଜୀବନ ଦୁର୍ବିସହ ହୋଇପଡୁଛି । କରୋନା ଯୋଗୁଁ ରୋଜଗାର ନଥିଲା ବେଳେ ଦରଦାମ୍ ହୁ ହୁ ହୋଇ ବଢିଚାଲିଛି । ତୁରନ୍ତ ସରକାର ଲୋକଙ୍କୁ ରୋଜଗାର ଦେବାପାଇଁ ପଦକ୍ଷେପ ନେବା ସହିତ ଦରଦାମ୍ ନିୟନ୍ତ୍ରଣ କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.