ଓଡ଼ିଶାରେ ଜନଜାତି ଓ ସ୍ଥାୟୀ ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି କିସ୍‍- ୟୁଏନ୍‍ଡିପି ମଧ୍ୟରେ ବୁଝାମଣା

0 1

ଭୁବନେଶ୍ୱର: ଓଡ଼ିଶାରେ ଜନଜାତି ଓ ସ୍ଥାୟୀ ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ମଙ୍ଗଳବାର କିସ୍‍ ଓ ୟୁଏନ୍‍ଡିପି ମଧ୍ୟରେ ବୁଝାମଣା ହୋଇଛି। ଏହି ବୁଝାମଣା ପତ୍ରରେ କିସ୍‍ ପକ୍ଷରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ୟୁଏନ୍‍ଡିପି ପକ୍ଷରୁ ୟୁଏନ୍‍ଡିପିର ଭାରତ ମୁଖ୍ୟ ଶୋକା ନୋଡା ସ୍ୱାକ୍ଷର କରିଥିଲେ। ଏହି ବୁଝାମଣା ଅନୁଯାୟୀ ୟୁଏନ୍‍ଡିପି ଓ କିସ୍‍ ମିଳିତ ଭାବେ ସ୍ଥାୟୀ ବିକାଶ ଲକ୍ଷ୍ୟ ପର୍ଯ୍ୟବେସିତ ଜନଜାତି ଗବେଷଣା କାର୍ଯ୍ୟକ୍ରମ, କ୍ୟାରିଅର ମାର୍ଗଦଶନ ଜରିଆରେ ଜନଜାତି ଛାତ୍ରଛାତ୍ରୀଙ୍କୁ ଦକ୍ଷ କରାଇବା, ପ୍ରାକୃତିକ ସମ୍ବଳ ବିଶେଷ କରି ଜଳ ଓ ଜୈବମଣ୍ଡଳର ପରିଚାଳନା କରି ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ସେଠାକାର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବେ। ଏହି ଅବସରରେ ୟୁଏନ୍‍ଡିପିର ଭାରତ ମୁଖ୍ୟ ଶ୍ରୀମତୀ ନୋଡା କହିଲେ, ମୁଁ ମୋର ୨୫ବର୍ଷ କ୍ୟାରିଅର ମଧ୍ୟରେ କିସ୍‍ ଭଳି ଅନୁଷ୍ଠାନ କୌଣସିଠାରେ ଦେଖିନାହିଁ। କିସ୍‍ ପରିଦର୍ଶନ କରି ମୁଁ ଅଭିଭୂତ ବୋଲି ସେ କହିଥିଲେ। କିସ୍‍ ହେଉଛି ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‍ଡିଜି)ର ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀମତୀ ନୋଡ଼ା କହିଥିଲେ। କିସ୍‍ ଏବଂ ୟୁଏନ୍‍ଡିପି ଉଭୟ କ୍ଷୁଧା ଓ ଦାରିଦ୍ର‌୍ୟ ଦୂରୀକରଣ ଦିଗରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ଜନଜାତି ଅଧ୍ୟୁଷିତ ଅଞ୍ଚଳର ସାମଗ୍ରିକ ବିକାଶ ଲାଗି କିସ୍‍ ସହ ମିଶି ୟୁଏନ୍‍ଡିପି କାର୍ଯ୍ୟ କରିବାକୁ ଯାଉଥିବାରୁ ମୁଁ ବହୁତ ଖୁସି ବୋଲି ସେ କହିଥିଲେ। ୟୁଏନ୍‍ଡିପି କିସ୍‍ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଯାଉଥିବାରୁ ଶ୍ରୀ ସାମନ୍ତ ୟୁଏନ୍‍ଡିପି ଓ ଶ୍ରୀମତୀ ନୋଡାଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଲେ, ଦାରିଦ୍ର‌୍ୟ ଓ କ୍ଷୁଧା ଦୂରୀକରଣ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ଦିଗରେ କିସ୍‍ ଦୀର୍ଘ ୩ ଦଶନ୍ଧୀ ଧରି କାର୍ଯ୍ୟ କରିଆସୁଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୟୁଏନ୍‍ଡିପି ଓଡ଼ିଶା ମୁଖ୍ୟ ଆଭା ମିଶ୍ର, ୟୁନ୍‍ଏନ୍‍ଡିପିର ବରିଷ୍ଠ ପଦାଧିକାରୀ, କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ, କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେଓର ସସ୍ମିତାରାଣୀ ସାମନ୍ତଙ୍କ ସମେତ କିଟ୍‍ ଓ କିସ୍‍ର ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.