ସରକାରଙ୍କ ବାହ୍ୟ ମଳମୁକ୍ତ ଗାଁ ଯୋଜନା : ଉପର ଚିକ୍କଣ ଭିତର ଫମ୍ପା

0 2

ପୁରୀ(ଅନିମେଷ ପଟ୍ଟନାୟକ) : ଯୋଜନା ପରେ ଯୋଜନା କରୁଛନ୍ତି ସରକାର । ଯୋଜନାକୁ ସଫଳତାର ରୂପ ଦେବା ପାଇଁ ଗାଁ ଠୁ ସହର ସବୁଠାରେ ଫଳକ ମଧ୍ୟ ଲଗାଯାଉଛି । ସଫଳତାର ତାଲିକା କରାଯାଇ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଫଳକ ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ଯାଏଁ ପ୍ରଚାର କରିବାକୁ ପଛାଉନାହାନ୍ତି ସରକାର ଓ ସରକାରୀ ଅଫିସରମାନେ । ଆଗକୁ ପଞ୍ଚାୟତ ନିର୍ବାଚନ । ତେଣୁ ସ୍ୱାସ୍ଥ୍ୟକ୍ଷେତ୍ରରେ ସବୁ ଗ୍ରାମକୁ ଫୋକସ୍ କରାଯାଉଛି । ହେଲେ ଉପର ଚିକ୍କଣ ଭିତର ଫମ୍ପା ଭଳି ସବୁକିଛି ।
ପୁରୀ ଜିଲ୍ଲା ବଳଙ୍ଗା ଅନ୍ତର୍ଗତ ଉଛୁପୁର ଗ୍ରାମରେ ସରକାରୀ ଫଳର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବାହ୍ୟ ମଳମୁକ୍ତ ଗାଁ କେବଳ ଫଳକରେ ସୀମିତ ରହିଯାଇଛି । ବାସ୍ତବିକତା କହୁଛି ଏବେ ବି ଉଛୁପୁର ବାହ୍ୟ ମଳଯୁକ୍ତ ରହିଛି । ପ୍ରତ୍ୟେକ ଘରପାଇଁ ପାଇଖାନା କରିବାକୁ ଅର୍ଥ ଆସୁଥିଲେ ବି ହରିଲୁଟ ହୋଇଯାଉଥିବା ଅଭିଯୋଗ ହେଉଛି । ବିଭିନ୍ନ ବେସରକାରୀ ସଂସ୍ଥାକୁ କାମ ଦିଆଯାଇଥିଲେ ମଧ୍ଯ କାମ ହେଉନଥିବା ଅଭିଯୋଗ କରୁଛନ୍ତି ଉଛୁପୁର ଗାଁ ଲୋକେ । ବାହାରେ ମଳମୁତ୍ର କରିବାଯୋଗୁଁ ଦୁର୍ଗନ୍ଧ ହେବା ସହ ପରିବେଶ ଦୂଷିତ ହେଉଛି । ଅନେକ ରୋଗାଗ୍ରସ୍ଥ ମଧ୍ଯ ହେଉଛନ୍ତି । ଫନୀ ବାତ୍ୟାରେ ଅଧିକାଂଶ ପାଇଖାନା ମାଟିରେ ମିଶିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିପାରିନାହିଁ।କରୋନା ଆର୍ଥିକ ସ୍ଥିତି ଯୋଗୁଁ ଶତକଡା ୭୦ ଭାଗ ପରିବାର ପକ୍ଷରେ ପାଇଖାନା ନିର୍ମାଣ ଆଦୈ ସମ୍ଭବପର ହୋଇପାରୁନାହିଁ। ନଦୀ, କେନାଲ ବନ୍ଧ, ମୁଖ୍ୟ ତଥା ଗ୍ରାମ୍ୟ ରାସ୍ତା ପାର୍ଶ୍ବ ପାଇଖାନା ରେ ପରିଣତ ହୋଇଗଲାଣି।ଦୁର୍ଗନ୍ଧ ଯୋଗୁଁ ଯାତାୟତ କଷ୍ଟକର ହେଉଅଛି। ପାଇଖାନା ପ୍ରଦାନ ନିମନ୍ତେ ଦଲାଲ,କୁଜିନେତା କିଛି ବ୍ୟକ୍ତି ଙ୍କ ଠାରୁ ଅର୍ଥ ନେଇ କାର୍ଯ୍ୟ ପୁରଣ କରିପାରୁନଥିବାରୁ ଅନେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି।ସ୍ଵଛ ଭାରତ ଅଭିଯାନ ଫଳକରେ ସୀମିତ ରହିବା ସହିତ ଅଧିକ ତଦନ୍ତ ପୂର୍ବକ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଥାନା ଅନ୍ତର୍ଗତ ୧୭ ଟି ପଞ୍ଚାୟତ ର ପାଇଖାନା ନଥିବା ପରିବାର ଦାବି କରିଛନ୍ତି।

Leave A Reply

Your email address will not be published.