ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ନିରବଚ୍ଛିନ୍ନ ବୃକ୍ଷରୋପଣ ଅଭିଯାନ 

0

 ଚଳିତ ମୌସୁମୀ ଋତୁରେ ଅଦ୍ୟାବଧି ୪୧ ହଜାରରୁ ଉର୍ଦ୍ଧ୍ଵ ଚାରା ରୋପଣ

Rourkela/Susanta Behera : ଚଳିତ ମୌସୁମୀ ଋତୁରେ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ନିରବଚ୍ଛିନ୍ନ ରୂପେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି। ଚଳିତ ବର୍ଷ ନିମନ୍ତେ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ଜୁଲାଇ ୬ ତାରିଖରେ ସେକ୍ଟର ୬ ଠାରେ ଆୟୋଜିତ ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ ଆରମ୍ଭ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆରଏସପିର ସିଇଓ,  ଅଶ୍ଵିନୀ କୁମାର ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଥମ ଚାରା ରୋପଣ କରିଥିଲେ। ପରେପରେ ଏଯାବତ ଆରଏସପି ଦ୍ଵାରା ଓଡିଶା ସରକାରଙ୍କ ବନ ବିଭାଗର ସହଯୋଗରେ ଇସ୍ପାତ ସହର ତଥା ପାର୍ଶ୍ଵାଞ୍ଚଳର ନୂଆଗାଁ, ରାଜଗାଙ୍ଗପୁର ଓ ପାନପୋଷ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ୪୧ ହଜାରରୁ ଉର୍ଦ୍ଧ୍ଵ ଚାରା ରୋପଣ କରାଯାଇଛି ।

ଉକ୍ତ ଚାରାଗୁଡିକୁ ଆରଏସପିର ଗ୍ରୀନ ପାର୍କ ନର୍ସରୀ ତଥା ବନ ବିଭାଗର ନର୍ସରୀରେ ପ୍ରସ୍ତୁତ କରାଯାଉଛି। ବିଭିନ୍ନ କିସମର ଔଷଧୀୟ, କାଠ, ଫଳପୁଷ୍ପ ବୃକ୍ଷରାଜି ଯଥା ଛତିଆନା, ଆକାଶିଆ, ରାଧାଚୂଡା, ଗମ୍ଭାର, ଶାଗୁଆନ, ସିମାରୁବା, କରଞ୍ଜିଆ, ନିମ୍ବ, ସୁନାରୀ, ଅର୍ଜୁନ, ଅଁଳା, ଜାରୁଲ, ଜାମୁ, ମହାନିମ୍ବ, ପୁତ୍ରଞ୍ଜୀବ, ବିଷ୍ଣୁଚୂଡା, ବାହାଡା ଇତ୍ୟାଦି ଗଛ ଚଳିତ ବର୍ଷ ରୋପଣ କରାଯାଉଛି।  

ଉଲ୍ଲେଖନୀୟ ଯେ, ଗତ ବର୍ଷ ସୁଧା ଆରଏସପି ରାଉରକେଲା ଓ ଏହାର ଆଖପାଖରେ ୪୭ ଲକ୍ଷ ବୃକ୍ଷରୋପଣ କରି ଏହି ଅଞ୍ଚଳରେ ସବୁଜିମାର ଏକ ବଳୟ ସୃଷ୍ଟି କରିଛି। ଚଳିତ ବର୍ଷ ରାଉରକେଲା ଇସ୍ପାତ ସହର, ଇସ୍ପାତ କାରଖାନା ଓ ପାର୍ଶ୍ଵାଞ୍ଚଳ ଗ୍ରାମଗୁଡିକରେ ୧.୮୦ ଲକ୍ଷ ବୃକ୍ଷରୋପଣର ଯୋଜନା ଧାର୍ଯ୍ୟ ହୋଇଛି। 

Leave A Reply

Your email address will not be published.