ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଉପଖଣ୍ଡର ଉପାନ୍ତ ବ୍ଳକ ଝାରବନ୍ଧକୁ ମରୁଡି ଘୋଷଣା ଦାବିରେ ତହସିଲ ଅଫିସ ଘେରିଲେ ଝାରବନ୍ଧ ଚାଷୀ । ମରୁଡି ପରେ ବନ୍ୟା ,ପ୍ରାକୃତିକ ଦୁର୍ବିପାକରେ ଚାଷୀର ଧାନ ଫସଲ ନଷ୍ଠ । କ୍ଷତି ପୂରଣ ଦାବୀରେ ରାଜ ରାସ୍ତାରେ ଚାଷୀ । ପଦ୍ମପୁର ଉପଖଣ୍ଡ ଏକ ଅଣ ଜଳସେଚିତ ତଥା ଚିର ମରୁଡି ପ୍ରପିଡିତ ଅଂଚଳ । ଝାରବନ୍ଧ ଅଂଚଳର ଚାଷୀ ବର୍ଷା ଜଳ ଉପରେ ଭରସା କରି ଧାନ ଚାଷ କରିଥାନ୍ତି । ଚଳିତ ଖରିଫ ଋତୁରେ ଜୁନ ମାସରେ କିଛି ପରିମାଣ ବର୍ଷା ହେବାରୁ ଚାଷୀ ଚାଷ କାମ ଆରମ୍ଭ କରିଥିଲା । ହେଲେ ଜୁଲାଇ ଓ ଅଗଷ୍ଟ ମାସରେ ଧିରେ ଧିରେ ବର୍ଷାର ମାତ୍ରା କମିବାରେ ଲାଗିଲା , ତଲି ଧାନ ତଲିରେ ରହିଲା ଓ ବେଉଷଣ ମଧ୍ୟ ହୋଇ ପାରିଲା ନାହିଁ ।ପାଣୀ ଅଭାବରୁ ମାଟି ଫାଟି ଆଁ କଳା ଓ ଧାନ ଗଛ ଗୁଡିକ ନାଲି ରଙ୍ଗର ହୋଇ ପଚିବାକୁ ଲାଗିଲାଣୀ । ବୋଝ ଉପରେ ନଳିତା ବିଡା ସଦୃଶ୍ୟ ସେପ୍ଟେମ୍ବର ମାସର ଲଘୁଚାପ ବନ୍ୟାର ରୂପ ନେଲା ଓ ବନ୍ୟା ଜଳରେ ଚାଷୀଙ୍କ ବିନ ଦିନ ଦିନ ପୁଡି ରହିଲା । ଯାହା କିଛି ଧାନ ବଂଚି ରହିଥିଲା ତାହା ମଧ୍ୟ ବନ୍ୟା ଯୋଗୁଁ ନଷ୍ଟ ହୋଇଗଲା । ଏହି ସବୁ ପ୍ରାକୃତିକ ଦୁର୍ବିପାକର କ୍ଷତି ପୂରଣ ତଥା ଝାରବନ୍ଧ ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା, କୃଷି ଋଣ ଛାଡ ଓ ଜଳସେଚନର ବ୍ୟବସ୍ଥା କରିବା ଦାବୀରେ ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ନଅ ଦଫା ଦାବୀ ନେଇ ଝାରବନ୍ଧ ତହସିଲ ଅଫିସ ଘେରାଉ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଝାରବନ୍ଧ ତହସିଲଦାରଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହି ସମାବେଶରେ ଝାରବନ୍ଧ ଆଞ୍ଚଳିକ କୄଷକ ସଂଗଠନର ସଭାପତି ଭୂବନ ନାଏକ, ଆବାହକ ଅଶୋକ କୁମାର ସାହୁ, କର୍ଯ୍ୟକାରୀ ସଭାପତି ତୁଲାରାମ ଭୋଇ,ଉପଦେଷ୍ଟା ପ୍ରମୋଦ କୁମାର ରାୟ,ଉପଦେଷ୍ଟା ସାର୍ଥକ ପ୍ରଧାନ,ଚାଷୀ ନେତା ରମେଶ ମହାପାତ୍ର, ରାଜବୋଡାସମ୍ବର କୄଷକ ସଂଗଠନର ବାନ୍ଛାନିଧି ନାୟକ, ଅଶୋକ ସାହୁ,ରୋହିତ ପ୍ରଧାନ, କୈଳାସ ବାରିକ ତଥା ଶତାଧିକ ଚାଷୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.