ପୂର୍ତ୍ତ ବିଭାଗରେ ଧୂର୍ତ୍ତଙ୍କ ରାଜୁତି : ଅସାଧୁ ଠିକାଦାର ଓ ଦୁର୍ନୀତି ଗ୍ରସ୍ତ ଯନ୍ତ୍ରୀଙ୍କ ସହଯୋଗରେ ନିମ୍ନ ମାନର କାମ
ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲ ଛାତରୁ ପାଣି ଗଳୁଛି

ବଲାଙ୍ଗୀର(ନିରୋଜ ମିଶ୍ର) – କାମ ଏମିତି ମଜଭୁତିରେ ହୋଇଛି ଯେ, ବର୍ଷାପାଣି ଛାତରୁ ଆରାମରେ ପାଣି ଗଳୁଛି | ଠିକାଦାର ପୂର୍ତ୍ତ ବିଭାଗ ଯନ୍ତ୍ରୀ ମିଶି ବଲାଙ୍ଗିରରେ ନୂଆକରି ଜନ୍ମ ନେଇଥିବା ମେଡିକାଲ କଲେଜକୁ ଏମିତି କାମ କରିଛନ୍ତି ଯେ କାମର କ୍ୱାଲିଟି ଏବେ ଜଳଜଳ ହୋଇ ଦେଖାଯାଉଛି | ତିନିଦିନର ଲଗାଣ ବର୍ଷା ପରେ ନବନିର୍ମିତ ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ହସପିଟାଲର ଅବସ୍ଥା ବେହାଲ ହୋଇଛି । ଦୁନୀତିଗ୍ରସ୍ତ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଆଉ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ ଯେଉଁଳି ନିମ୍ନମାନର ନିର୍ମାଣ କାମ ଯୋଗୁ ହସପିଟାଲର ବିଭିନ୍ନ ସ୍ଥାନରେ ଏବେ ଛାତରୁ ବର୍ଷା ପାଣି ଗଳୁଥିବା ଦେଖାଯାଉଛି । ଏହାକୁ ନେଇ ରୋଗୀ, ଡାକ୍ତର ଓ ହସପିଟାଲ କର୍ମଚାରୀ ଚିନ୍ତାରେ ପଡିଛନ୍ତି ।
ନିକଟରେ ବହୁ ଲଢେଇ ତଥା ବହୁ ଉଦ୍ୟମ ପରେ ବଲାଙ୍ଗୀର ମେଡିକାଲ କଲେଜ ଜନ୍ମ ନେଲା | ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସରକାରୀ ମେଡିକାଲ କଲେଜ ହସପିଟାଲ ଭାବେ ଅପ୍ଗ୍ରେଡ କରାଯାଇଛି । ଏହି ମେଡିକାଲ କଲେଜ ହସପିଟାଲ ପାଇଁ ମେଡିକାଲ କାଉନ୍ସିଲ ଅଫ୍ ଇଣ୍ଡିଆ (ଏମ୍ସିଆଇ)ର ଅନୁମତି ଆବଶ୍ୟକ ପଡୁଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରାୟ ଦେଢ଼ବର୍ଷ ଭିତରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କୋଟି କୋଟି ଖର୍ଚ୍ଚ କରାଯାଇ ଅନେକ ନୂଆ କୋଠା ତିଆରି କରାଯାଇଛି । ବଲାଙ୍ଗୀର ପୂର୍ତ୍ତ ବିଭାଗ ପକ୍ଷରୁ ହସପିଟାଲ ପରିସରରେ ଏହି କାଠା ନିର୍ମାଣ କାମ କରାଯାଇଛି । ଏବେ ବି ହସପିଟାଲ ପରିସରରେ ଅନେକ ନିର୍ମାଣ କାମ ଚାଲିଛି । ତେବେ ଗତ ତିନିଦିନର ଲଗାଣ ବର୍ଷା ପରେ ପୂର୍ତ୍ତ ବିଭାଗର ନିର୍ମାଣ କାମ ପ୍ରଶ୍ନ ଘେରରେ ରହିଛି । ହସପିଟାଲର ବିଭିନ୍ନ ଛାତରୁ ପାଣି ଗଳିବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ନିମ୍ନମାନର କାମ କରାଯାଇଥିତ୍ବା ଅଭିଯୋଗ ଉଠିଲାଣି । ଗତ ତିନଦିନର ଲଗାଣ ବର୍ଷାରେ ନୂଆକରି ତିଆରି ହୋଇଥିବା ଆଶୁ ଚିକିତ୍ସା ବିଭାଗ ହଲ୍ ଛାତରୁ ପାଣି ଗଳଛି। ବର୍ଷା ପାଣି ଲଗାତାର ଗଳିବାରୁ ହସପିଟାଲ କର୍ମଚାରୀମାନେ ପାଣି ନିଷ୍କାସନ କରିବାରେ ଅଧିକ ସମୟ ବିତାଇଛନ୍ତି। ବର୍ଷା ପାଣି ଗଳିବା ପରେ ନୂଆ କରି ତିଆରି ହୋଇଥିବା ଛାତର ସିଲିଂ ଖରାପ ହୋଇଗଲାଣି । ଏହି ସମସ୍ୟା ଯୋଗୁ ରୋଗୀ ଓ ଡାକ୍ତର ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଲି ଏତିକି ନୁହେଁ ଆଶୁ ଚିକିତ୍ସା ବିଭାଗର ଡ୍ରେସିଂରୁମ୍ର ଅବସ୍ଥା ମଧ୍ୟ ଭଲନାହିଁ । ସେଠାରେ ମଧ୍ୟ ଛାତରୁ ଓ କାନ୍ଥରୁ ବର୍ଷା ପାଣି ଝରୁଛି। ଫଳରେ ଡ୍ରେସିଂ ସାମଗ୍ରୀ ଓ ମେଡିସିନ୍ ଭିଜି ଯାଉଛି। ଉପର ମହଲା ଛାତରେ ବର୍ଷା ପାଣି ପଡୁଥିବାବେଳେ ତଳ ମହଲା ଛାତରୁ ସେହି ବର୍ଷା ପାଣି ଗଳୁଛି । ନୂଆ କୋଠାରେ ଏଭଳି ସମସ୍ୟା ଦେଖାଯିବା ପରେ ପୂର୍ତ୍ତ ବିଭାଗର ନିର୍ମାଣ କାମ ନିମ୍ନମାନର ହୋଇଥିବା ସ୍ପଷ୍ଟ ହୋଇଛି। ମେଡିସିନ୍ ୱାର୍ଡରେ ମଧ୍ୟ ଛାତରୁ ପାଣି ଗଳୁଛି । ସେଠାରେ ମଧ୍ୟ ବର୍ଷା ପାଣିକୁ ନେଇ ରୋଗୀ ଚିନ୍ତାରେ ପଡିଛନ୍ତି । ବଲାଙ୍ଗୀରବାସୀଙ୍କ ମେଡିକାଲ କଲେଜ ସ୍ବପକୁ ପୂରଣ କରିବା ଉଦ୍ଦେଶ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ହସପିଟାଲ ପରିସରରେ କୋଠା ନିର୍ମାଣ କାମ କରିବାର ଥିଲା । ପୂର୍ତ୍ତବିଭାଗ ଅଧିକାରୀମମାନେ ଠିକଣା ସମୟରେ ଅର୍ଦ୍ଧାଧିକ କାମ ସାରିବା ପରେ ଏମ୍ସିଆଇ ପକ୍ଷରୁ ଚଳିତବର୍ଷ ମେଡିକାଲ କଲେଜରେ ନାମ ଲେଖାଇବାର ଅନୁମତି ମିଳିଥିଲା । ପୂର୍ତ୍ତବିଭାଗ ଅଧିକାରୀ କମ୍ ସମୟରେ ନିର୍ମାଣ କାମ କରିଥିବାରୁ ଲୋକେ ଖୁସି ପ୍ରକାଶ କରିଥିଲେ । ତେବେ ତିନିଦିନର ଲଗାଣ ବର୍ଷାରେ ବଲାଙ୍ଗୀର ହସପିଟାଲ ବେହାଲ ହେବା ପରେ ସବୁ ନିର୍ମାଣ କାମର ଗୁଣାତ୍ମକତାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି । ଏଠାରେ ହୋଇଥିବା ନିର୍ମାଣ କାମକୁ ନିମ୍ନମାନର ଦର୍ଶାଇ ଏହାର ତଦନ୍ତ କରାଯିବାକୁ ଦାବି ହେଲାଣି । ଏସଂକ୍ରାନ୍ତରେ ସିଡିଏମ୍ଓ ଡା ସୁଜ୍ଞାନେନ୍ଦ୍ର ମିଶ୍ରଙ୍କୁ ପଚରାଯିବାରୁ କିଛି ସ୍ଥାନରେ ପାଣି ଗଳୁଥିବା ସ୍ବୀକାର କରିଥିଲେ । ଏ ନେଇ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦଙ୍କୁ ପଚରାଯିବାରୁ ମେଡିସିନ୍ ୱାର୍ଡ ଓ ଆଶୁ ଚିକିତ୍ସା ବିଭାଗର ପିଲର ସଂଯୋଗ ସ୍ଥାନରେ ଲିକେଜ୍ ଥିବାରୁ ଏଭଳି ପାଣି ଥାଇପାରେ ଓ ଏହାକୁ ଖୁବ୍ ଶୀଘ୍ର ମରାମତି କରାଯାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ । ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯିବାର ୬ ମାସ ନ ପୂରୁଣୁ ଛାତରୁ ପାଣି ଗଳୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି