ଭୁବନେଶ୍ୱର(ଶାସକ ପ୍ରଶାସକ) : ଶିଶୁ ମାନଙ୍କ କ୍ଷେତ୍ରରେ କର୍କଟ ରୋଗର ଚିକିତ୍ସା କଷ୍ଟକର ହୋଇପାରେ କିନ୍ତୁ ନିରାଶାଜନକ ନୁହେଁ | ସଠିକ ସମୟରେ ଲକ୍ଷଣ ଚି଼ହ୍ନଟ, ଉପଯୁକ୍ତ ଚିକିତ୍ସା ଓ ପିତାମାତାଙ୍କ ଧର୍ଯ୍ୟ ରହିଲେ ଶିଶୁ କର୍କଟ ରୋଗରୁ ଆରୋଗ୍ୟ ମିଳି ପାରିବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ପରିବାର କଲ୍ୟାଣ ନିର୍ଦେଶକ ଡ଼ଃ ବିଜୟ କୁମାର ପାଣିଗ୍ରାହୀ |
ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ଆଇଏମଏସ ଓ ସମ ହସ୍ପିଟାଲ ଏବଂ ଇଣ୍ଡିଆନ ଆସୋସିଏସନ ଅଫ ପେଡ଼ିଆଟ୍ରିକ୍ସ (ଓଡିଶା ଶାଖା) ର ମିଳିତ ସହଯୋଗରେ ଆୟୋଜିତ ପେଡିଆଟ୍ରିକ ହେମାଟୋଲୋଜି ଆଣ୍ଡ ଅଙ୍କୋଲୋଜି ମିଟ- ୨୦୨୧ ରେ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଡ଼ଃ ପାଣିଗ୍ରାହୀ |
ଆଇଏପି ଓଡିଶା ଶାଖାର ସଭାପତି ଡ଼ଃ ପାଣିଗ୍ରାହୀ ଏହି ଅବସରରେ କହିଥିଲେ ଯେ, ଶିଶୁ ମାନଙ୍କ କ୍ଷେତ୍ରରେ ମୁଖ୍ୟତଃ ରକ୍ତ କର୍କଟ, ମସ୍ତିଷ୍କ କର୍କଟ ଓ ଚକ୍ଷୁ କର୍କଟ ଭଳି ସମସ୍ୟା ଦେଖା ଦେଉଛି। ମାତ୍ର ରୋଗ ଯେତେ ଶୀଘ୍ର ଚି଼ହ୍ନଟ ହେବ ସେତେ ଶୀଘ୍ର ଚିକିତ୍ସା ଆରମ୍ଭ ହେବା ସହ ଶିଶୁ ଟି ଆରୋଗ୍ୟ ଲାଭ କରିପାରିବ | ବିଶେଷ କରି ରକ୍ତ କର୍କଟ ରୋଗରେ ଠିକ ସମୟରେ ଚିକିତ୍ସା ଆରମ୍ଭ କରାଗଲେ ଶିଶୁମାନେ ସୁସ୍ଥ ହେଉଛନ୍ତି ବୋଲି ଡ଼ଃ ପାଣିଗ୍ରାହୀ କହିଛନ୍ତି |
କୋଭିଡ ମହାମାରୀ ସମୟରେ ପରୀକ୍ଷା ନିରୀକ୍ଷା ନିମନ୍ତେ ଡାକ୍ତରଙ୍କ ପରାମର୍ଶ ଟେଲି କନସଲଟେସନ ମାଧ୍ୟମରେ ନେବାକୁ ଡକ୍ଟର ପାଣିଗ୍ରାହୀ କହିଥିଲେ।
କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ତଥା ସମ ହସ୍ପିଟାଲର ପେଡ଼ିଆଟ୍ରିକ ଅଙ୍କୋଲୋଜି ଆଣ୍ଡ ହେମାଟୋଲୋଜି ବିଭାଗର ପ୍ରଫେସର ଡ଼ଃ ସରୋଜ ପଣ୍ଡା କହିଥିଲେ ଯେ କର୍କଟ ରୋଗର ଆଗୁଆ ଚି଼ହ୍ନଟ, ସଠିକ ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ୮୦ ପ୍ରତିଶତ ଶିଶୁ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇ ପାରିବେ | ତେବେ ଏଥି ନିମନ୍ତେ ସଚେତନତା ଜରୁରୀ ବୋଲି ସେ କହିଥିଲେ |
ଅନ୍ୟ ମାନଙ୍କ ମଧ୍ୟରେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଅଡିସନାଲ ଡିନ ପ୍ରଫେସର ଅଜୟ ଜେନା, ଶିଶୁରୋଗ ବିଭାଗର ମୁଖ୍ୟ ଡ଼ଃ ମମତା ଦେବୀ ମହାନ୍ତି ଏବଂ କେନ୍ଦ୍ର ଆଇଏପି ର ଏକଜିକ୍ୟୁଟିଭ ବୋର୍ଡ ର ସଦସ୍ୟ ଡ଼ଃ ବିଶ୍ୱଜିତ ମିଶ୍ର ପ୍ରମୁଖ ଉପସ୍ଥିତି ରହି ବକ୍ତବ୍ୟ ରଖିଥିଲେ |
ଶିଶୁ କର୍କଟ ରୋଗ ସମ୍ବନ୍ଧୀୟ ୩ଟି ପ୍ରସଂଗକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୫ ଜଣ ବିଶିଷ୍ଟ ଡାକ୍ତରଙ୍କ ସହ ପ୍ରାୟ ୧୦୦ ଜଣ ଯୋଗ ଦେଇଥିଲେ |
Sign in
Sign in
Recover your password.
A password will be e-mailed to you.