ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକର ଆଦିବାସୀ ବହୁଳ ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଗ୍ରାମକୁ ଗଜପତି ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗଙ୍କ ନେତୃତ୍ୱରେ ଗ୍ରସ୍ତକରି ପରିସ୍ଥିତି ଅନୁଧ୍ୟାନ କରି ଅଞ୍ଚଳବାସୀଙ୍କ ସହ ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି ।
ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଗମାଙ୍ଗଙ୍କ ସହ ଏହି ପ୍ରତିନିଧି ଦଳରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ଶ୍ରୀ ସଞ୍ଜୟ ଅଧିକାରୀ , ଶ୍ରୀ କୁନା ମାଝୀ , ଶ୍ରୀ ତ୍ରିନାଥ ପାତ୍ର ଏବଂ ଜିଲ୍ଲା ସେବା ଦଳର ସଭାପତି ଶ୍ରୀ କୃଷ୍ଣ କୁମାର ବେହେରା ପ୍ରମୁଖ ଗ୍ରସ୍ତ କରିଥିଲେ ।
ବିଧାୟକ ଶ୍ରୀ ଗମାଙ୍ଗ , ଏହି ଗ୍ରସ୍ତ ବେଳେ ବିବାଦୀୟ ଗ୍ରାମ ମାଣିକପାଟଣା ସ୍ଥିତ ଅଙ୍ଗନବାଡି କେନ୍ଦ୍ର ଠାରେ ଗ୍ରାମବାସୀଙ୍କ ସହ ବିସ୍ତୃତ ଆଲୋଚନା କରି ଦୀର୍ଘବର୍ଷ ଧରି ଅଞ୍ଚଳରେ ଅବହେଳିତ ହୋଇ ରହି ଆସୁଥିବା ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ବିଭିନ୍ନ ମୌଳିକ ସମସ୍ୟା ଗୁଡିକ ମଧ୍ୟରେ ମୁଖ୍ୟତଃ ରାସ୍ତା , ଶିକ୍ଷା , ସ୍ୱାସ୍ଥ୍ୟ , ଛାତ୍ରଛାତ୍ରୀ ହଷ୍ଟେଲ , ବଜାର ସୁବିଧା ଓ ମୋବାଇଲ ଟାୱାର ପ୍ରଭୃତି ନ ଥିବା ଯୋଗୁଁ ଅଞ୍ଚଳବାସୀ ଏ ସବୁ କ୍ଷେତ୍ରରେ ପ୍ରତିଦିନ ବିଭିନ୍ନ ସମୟରେ ପଡୋଶୀ ଆନ୍ଧ୍ର ଉପରେ ହିଁ ଅନ୍ୟ ଉପାୟ ନ ପାଇ ନିର୍ଭର କରି ଆସୁଛନ୍ତି ।
ମାଣିକପାଟଣା ଗ୍ରାମାଞ୍ଚଳ ପଡୋଶୀ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ବେଳେ ସ୍ଥାୟୀ ସୀମା ଚିହ୍ନଟ ନ ହେବା ଏବଂ ଏ ଦିଗରେ ପ୍ରଶାସନିକ ଅବହେଳା ଯୋଗୁଁ ବିଭିନ୍ନ ସମୟରେ ଆନ୍ଧ୍ର ସରକାର ଓ ଆନ୍ଧ୍ର ଅଞ୍ଚଳବାସୀ ମାଣିକପାଟଣା ଗ୍ରାମକୁ ଅନାଧିକାର ପ୍ରବେଶ ଓ ଆକ୍ରମଣ କରି ଏହା ଆମ ଅଞ୍ଚଳ ବୋଲି ପ୍ରତ୍ୟେକ କଥାରେ ଧମକାଇ ଗ୍ରାମବାସୀଙ୍କୁ ଭୟଭୀତ କରାଉଛନ୍ତି ବୋଲି ଅଭିଯୋଗରେ କହିଛନ୍ତି । ମାଣିକପାଟଣା ଗ୍ରାମରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀର୍ଘ ବର୍ଷଧରି ଏକ ଅଙ୍ଗନବାଡି କେନ୍ଦ୍ର ଚାଲିଥିଲେ ମଧ୍ୟ ଆନ୍ଧ୍ର ପ୍ରଶାସନ ପକ୍ଷରୁ ସେହି ପାଖରେ ହିଁ ବେଆଇନ ଭାବେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଚାଲିଛି । ସେହି ଆନ୍ଧ୍ର ଅଙ୍ଗନବାଡି କେନ୍ଦ୍ରକୁ ବିଧାୟକ ଶ୍ରୀ ଗମାଙ୍ଗ ଯାଇ ପରିସ୍ଥିତ ଅନୁଧ୍ୟାନ କରି ଦେଖିଲେ ଯେ , ସେଠାରେ ଏକ ଭଙ୍ଗା ଝୁପୁଡି ମାଟିଲେସା ଘରେ ଏକ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ କିଛି ପିଲାଙ୍କୁ ନେଇ ଅଙ୍ଗନବାଡି କେନ୍ଦ୍ର ଚାଲିଛି ।
ମାଣିକପାଟଣା ଗ୍ରାମବାସୀଙ୍କ ସହ ବିଧାୟକ ଶ୍ରୀ ଗମାଙ୍ଗ ଆଲୋଚନା ବେଳେ ଜାଣିବାକୁ ପାଇଲେ ଯେ ଗ୍ରାମର କିଛି ପରିବାର ଆନ୍ଧ୍ର ସପକ୍ଷରେ ଅଛନ୍ତି , ଓଡିଶାର ସବୁ ସୁବିଧା ପାଇ ମଧ୍ୟ ଆନ୍ଧ୍ରର ବିଭିନ୍ନ ପ୍ରଲୋଭନର ଶିକାର ହୋଇ ଆନ୍ଧ୍ର ସରକାରଙ୍କ ବିଭିନ୍ନ ସୁବିଧା ହାତେଇଛନ୍ତି । ବିଭିନ୍ନ ସମୟରେ ମାଣିକପାଟଣା ଗ୍ରାମାଞ୍ଚଳରେ ବିବାଦୀୟ ଉତ୍ତେଜନା ପରିସ୍ଥିତି ଦେଖା ଦେବାରେ ଲାଗିଛି ।
ପରେ ବିଧାୟକ ଶ୍ରୀ ଗମାଙ୍ଗ ଖମ୍ବଗାଁ , ଗଙ୍ଗାବାଡ଼ ଓ ବାରଘର ପ୍ରଭୃତି ଗ୍ରାମ ଗ୍ରସ୍ତ କରି ସେଠାକାର ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ପରିସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ସମସ୍ୟା ଉପରେ ଅବଗତ ହୋଇ ସେ ସବୁର କିଭଳି ସମାସଧାନ କରାଯିବ , ସେ ସମ୍ପର୍କରେ ଲୋକଙ୍କୁ ଆଶ୍ୱାସନା ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.