ଓଡ଼ଗାଁରେ ଉଦଘାଟିତ ହେଲା ସିଭିଲ କୋର୍ଟ କମ୍ପ୍ଲେକ୍ସ

0 2

ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟ ଜଜଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼-ଓଡ଼ଗାଁ ମୁଖ୍ୟ ସଡ଼କର ପଲିଟେକନିକ ଓ ଫାୟାର ଅଫିସ ନିକଟରେ ୫କୋଟି ୯୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସିଭିଲ କୋର୍ଟ କମ୍ପ୍ଲେକ୍ସ କରୋନା କଟକଣା କାରଣରୁ ଦିର୍ଘ ଦିନ ଧରି ଅଟକି ରହିଥିବା ବେଳେ ଆଜି ସୁପ୍ରିମ କୋଟ ଜଷ୍ଟିସ ଭିନିତ ଶରଣଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏଥି ସହିତ ୧କୋଟି ଟଙ୍କା ବ୍ୟୟରେ ନିର୍ମିତ ବାର ଆସୋସିଏସନ, ଲାଇବ୍ରେରୀ, ଅତିଥି ଭବନ ଏବଂ ୨ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଷ୍ଟାପ କ୍ୱାଟର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଥିଲା । ଓଡ଼ଗାଁର ବାଲୁକା ଶ୍ଲିଳ୍ପୀ ସୁବଳ ମହାରଣାଙ୍କ ଦ୍ୱାରା ନିର୍ମିତ ଶ୍ରୀଜଗନ୍ନାଥ ବାଲୁକା କୃତି ନିକଟରେ ଜଷ୍ଟିସମାନେ କିଛି ସମୟ ଅଟକି ଯାଇଥିଲେ ।

ଆୟୋଜିତ ଉଦ୍ଘାଟନୀ ସଭାରେ ଜଷ୍ଟିସ ଶରଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାରା ଭାରତ ବର୍ଷରେ ପ୍ରଥମ କରି ଓଡ଼ଗାଁରେ ମଡେଲ ସିଭିଲକୋର୍ଟ କମ୍ପ୍ଲେକ୍ସ ନିର୍ମାଣ ହୋଇ ପାରିଛି ବୋଲି କହିବା ସହିତ ଓଡ଼ଗାଁର ଉନ୍ନତିରେ ପ୍ରଭୁ ଶ୍ରୀରଘୁନାଥଙ୍କ ଭୁମିକା ଅତିବ ଗୁରୁତ୍ୱପୂର୍ଣ୍ଣ ମନେ ହେଉଥିବା କହିଥିଲେ । ଏବଂ ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଏସ ମୂରଲୀଧର, ଜଷ୍ଟିସ ବିଶ୍ୱଜିତ ମହାନ୍ତି, ଡ. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଢଙ୍ଗୀ, ଜଷ୍ଟିସ ଶତୃଘ୍ନ ପୂଜାହାରୀ, ଜଷ୍ଟିସ ଦେବବ୍ରତ ଦାଶ, ଜଷ୍ଟିସ ବିଶ୍ୱନାଥ ରଥ, ଜଷ୍ଟିସ ବିଭୁପ୍ରସାଦ ରାଉତରାୟ, ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ,ଜଷ୍ଟିସ ସାବିତ୍ରୀ ରଥ ଉପସ୍ଥିତ ରହିଥିବା ବେଳେ ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ କୃଷ୍ଣରାମ ମହାପାତ୍ର ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ସମସ୍ତ ସୁବିଧା ସୁଯୋଗ ସହିତ ସାଧାରଣ ଲୋକଙ୍କ ଦ୍ୱାର ଦେଶରେ ନ୍ୟାୟ ପହଁଚାଇବା ନ୍ୟାୟିକ ବ୍ୟବସ୍ଥାର ମୈାଳିକ କାର୍ଯ୍ୟ ହୋଇଥିବାରୁ ଏଥିପ୍ରତି ସର୍ବଦା ଯତ୍ନବାନ ରହିବା ପାଇଁ ବିଚାରପତିମାନେ ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଲା ତଥା ବ୍ଳକ ସ୍ତରରେ ବିକାଶ ହୋଇଥିବା ବେଳେ ଓଡ଼ଗାଁର ସାମଗ୍ରିକ ବିକାଶ ପାଇଁ ଆହୁରି ଅନେକ କିଛି କରିବାର ଅଛି । ଓଡ଼ଗାଁ ମାଟିର ବରପୁତ୍ର ଡ.ଜଷ୍ଟିସ ବିଦ୍ୟୁତରଞ୍ଜନ ଷଢଙ୍ଗୀଙ୍କ ଆନ୍ତରିକ ଉଦ୍ୟମ ପାଇଁ ଏସବୁ ଆଜି ସମ୍ଭବ ହୋଇ ପାରିଛି ବୋଲି ବାର ଆସୋସିଏସନ ସଭାପତି ପବିତ୍ର ମୋହନ ସାହୁ କହିଥିଲେ ।

ନ୍ୟାୟାଧୀଶ ମାନେ ପ୍ରଥମେ  ଶରଣକୁଳ ଠାରେ ଲଡୁବାବା ଏବଂ ଓଡ଼ଗାଁ ଠାରେ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କୁ ଦର୍ଶନ କରିବା ପରେ ସଭା ସ୍ଥଳରେ ପହଁଚିଥିଲେ ।  ପ୍ରଥମେ ଜଷ୍ଟିସ ମାନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଆଜିର ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ଏବଂ ନୟାଗଡ଼, ଦଶପଲ୍ଲା, ଖଣ୍ଡପଡା ଓ ଭାପୁରୁ ବାର ଆସୋସିଏସନର କର୍ମକର୍ତାମାନେ ଯୋଗ ଦେଇଥିଲେ । ଏବଂ ଓଡ଼ଗାଁ ଆସୋସିଏସନର ସମ୍ପାଦକ ବସନ୍ତ କୁମାର ମହାନ୍ତି କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ସଭ୍ୟମାନେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Leave A Reply

Your email address will not be published.