ଓଡିଶା ବିଜେପି ଚାଷୀ ବିରୋଧୀ: ବିଜେଡି

0

ଭୁବନେଶ୍ୱର: ଓଡିଶା ବିଜେପି ବିଧାୟକଙ୍କ ଆଜିର ସାମ୍ବାଦିକ ସମ୍ମିଳନୀ ପୁଣିଥରେ ଓଡିଶାବାସୀଙ୍କ ଆଗରେ ତାଙ୍କର ଚାଷୀ ବିରୋଧୀ ମନୋଭାବକୁ ପଦାରେ ପକାଇ ଦେଇଛି ବୋଲି କହିଛନ୍ତି ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀମତୀ ଛୁରିଆ କହିଛନ୍ତି ଯେ ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡିଶା ବିଜେପି ବିଧାୟକମାନେ ସ୍ୱୀକାର କରିଛନ୍ତି ଯେ କେନ୍ଦ୍ରର ଅବହେଳା କାରଣରୁ ଓଡିଶା ଚାଷୀଙ୍କୁ ସାର ଉପଲବ୍ଧ ନହେବା ନେଇ ବିଜେଡି ବିରୋଧ କରୁଥିବାବେଳେ ଓଡିଶାର ବିଜେପି ବିଧାୟକମାନେ ରାଜ୍ୟର ଚାଷୀଙ୍କ କଲ୍ୟାଣ ପାଇଁ ଚିନ୍ତା କିମ୍ବା ସହାନୁଭୂତି ଦେଖାଇ ନାହାଁନ୍ତି ।
ବିଜେଡି ବିଧାୟକମାନେ ଆଜି ଚାଷୀ ପ୍ରସଙ୍ଗ ଉଠାଇବା ସହିତ ସ୍ୱାମୀନାଥନ୍ କମିଶନର ରିପୋର୍ଟ ଅନୁଯାୟୀ କୃଷକମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଯୋଗାଇବା ତଥା ଏହାର କାର୍ଯ୍ୟକାରିତା ଏବଂ ଓଡିଶା ଚାଷୀଙ୍କୁ କିପରି ବୀମା କମ୍ପାନୀ ଦ୍ୱାରା ପ୍ରତାରଣା କରାଯାଉଛି ଏବଂ ଏଫ୍ସିଆଇ ଚାଉଳ ଖରିଦ କରୁନଥିବାରୁ କୃଷକମାନେ କିଭଳି ପ୍ରତାରିତ ହେଉଛନ୍ତି ତାହା ଦର୍ଶାଇଥିଲା ।
ଅନ୍ୟପକ୍ଷରେ, ଓଡିଶା ବିଜେପି ବିଧାୟକମାନେ ଓଡିଶା ଚାଷୀଙ୍କ କଥା ଚିନ୍ତା କରୁନଥିବାରୁ ସେମାନେ ଓଡିଶାର ଚାଷୀଙ୍କ ସହ ଜଡିତ ନୁହଁନ୍ତି । ତେଣୁ ସେମାନେ ଓଡିଶା କୃଷକଙ୍କ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହାଁନ୍ତି ନାହିଁ ଏବଂ ଜାଣିଶୁଣି ଓଡ଼ିଶା ବିଧାନସଭାକୁ ଅଚଳ କଲେ ଏବଂ ଏ ବାବଦରେ ଆଲୋଚନା କରିବାକୁ ଚାହିଁଲେ ନାହିଁ ।
ବୋଧହୁଏ ଓଡିଶା ବିଜେପି ବିଧାୟକମାନେ ଦିଲ୍ଲୀରେ ଥିବା ସେମାନଙ୍କର ଦଳର ନେତୃତ୍ୱ ସହ ସହମତ ନୁହଁନ୍ତି ଯେଉଁମାନେ ସଂସଦ ଏବଂ ବିଧାନସଭାରେ ଆଲୋଚନା ଏବଂ ବିତର୍କ ହେବା ଉଚିତ ବୋଲି ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଓଡିଶାରେ ବିଜେପି ବିଧାୟକମାନେ ସେହି ନିର୍ଦ୍ଦେଶ ବିରୋଧରେ କାର୍ଯ୍ୟ କରୁଛନ୍ତି ଏବଂ ଓଡ଼ିଶା ବିଧାନସଭା କାର୍ଯ୍ୟରେ ବାଧା ଉପୁଯାଉଛନ୍ତି ଯାହା ଓଡିଶା ବିଜେପିର ଦୋ ମୁହାଁ ନୀତିକୁ ପ୍ରକାଶ କରୁଛି ।
ଓଡ଼ିଶାର ବିଜେପି ବିଧାୟକମାନେ କିଭଳି ବିଧାନସଭା କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ତାହା ଓଡିଶାବାସୀ ଦେଖୁଛନ୍ତି ଏବଂ ଆଗାମୀ ଦିନରେ ସେମାନଙ୍କୁ ନିଜ ନିଜ ର୍ନିବାଚନମଣ୍ଡଳୀ ତଥା ସାରା ରାଜ୍ୟରେ ଏହାର ଉପଯୁକ୍ତ ଜବାବ ଦେବେ ବୋଲି ଶ୍ରୀମତୀ ଛୁରିଆ କହିଛନ୍ତି ।

Leave A Reply

Your email address will not be published.