କୋରାପୁଟ ଠାରେ ମାଛରା ଗଭୀର ନଳକୂପ ପ୍ରକଳ୍ପର ଶୁଭ ଉଦ୍ଘାଟନ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ତାଙ୍କର ୪ ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କ୍ରମରେ ଆଜି କୋରାପୁଟ ଜିଲ୍ଲାର ମାଛରା ଗ୍ରାମ ପରିଦର୍ଶନ କରି ସେଠାରେ ବିଜୁ କୃଷକ ବିକାଶ ଯୋଜନାରେ ନିର୍ମିତ ଗଭୀର ନଳକୂପ ପ୍ରକଳ୍ପ ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟନ ସମୟରେ ତାଙ୍କ ସହିତ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡାଲ ଏବଂ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଶ୍ରୀ ଈଶ୍ୱର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ସର୍କିଟ ହାଉସଠାରେ ଓ.ଏଲ୍.ଆଇ.ସି ଅଧ୍ୟକ୍ଷ ଶ୍ରୀ ପତ୍ରୀ, ବିଧାୟକ ଶ୍ରୀ ପଡାଲ, ପଟାଙ୍ଗୀ ବିଧାୟକ ଶ୍ରୀ ପ୍ରୀତମ ପାଢୀ, ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପ୍ରଭୁ ଜାନୀ ଏବଂ କୋରାପୁଟ ଜିଲ୍ଲା ପରିଷଦ ସଭାପତି ତୁଳସୀ କିରସାନୀ ଏବଂ ଉଠାଜଳସେଚନ ବିଭାଗ ଯନ୍ତ୍ରୀମାନଙ୍କ ସହିତ ଜିଲ୍ଲାରେ ଉଠାଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା ବୈଠକରେ ଆଲୋଚନା କରି ବିଭିନ୍ନ ପ୍ରକଳ୍ପଗୁଡିକ ଦ୍ୱାରା କିପରି ଅଧିକରୁ ଅଧିକ କୃଷକ ଉପକୃତ ହୋଇପାରିବେ, ସେ ଦିଗରେ ଆବଶ୍ୟକ ପରାମର୍ଶ ଦେଇଥିଲେ ।
ରାଜ୍ୟରେ କୃଷିର ବିକାଶ ଓ କୃଷକମାନଙ୍କ କଲ୍ୟାଣ ପାଇଁ ସବୁ ଜମିକୁ ଜଳସେଚନର ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଉଥିବା ବେଳେ ‘୫-ଟି’ ଉପକ୍ରମ ଓ ‘ମୋ ସରକାର କାର୍ଯ୍ୟକ୍ରମ ଆଧାରରେ ନିର୍ମାଣାଧିନ ଉଠାଜଳସେଚନ ପ୍ରକଳ୍ପଗୁଡିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା, ଜଳ ପରିଚାଳନା ନିମନ୍ତେ ତଦାରଖ ଓ ଜଳସେଚନ ସମ୍ବନ୍ଧିତ ସମସ୍ୟାର ସମାଧାନ ଦିଗରେ ଯନôବାନ ହେବାକୁ ଶ୍ରୀ ପତ୍ରୀ ବିଭାଗୀୟ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଅଧ୍ୟକ୍ଷ ଶ୍ରୀ ପତ୍ରୀ ଏହି ଗସ୍ତ ସମୟରେ ଅଗଷ୍ଟ ୧୯ ତାରିଖରେ କୋରାପୁଟ ବ୍ଲକରେ ବିଭିନ୍ନ କ୍ଲଷ୍ଟର ଡିପ୍ ବୋର ୱେଲ୍ ପ୍ରକଳ୍ପ ପରିଦର୍ଶନ କରିବା ସହିତ ୨୨ ତାରିଖରେ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ସ୍ଥିତ ଆମ୍ବଗୁଡା ଗ୍ରାମ ପଂଚାୟତ ଗସ୍ତ କରି ସିଙ୍ଗଲ ବେଂଜ ଗ୍ରାମଠାରେ ନଦୀ ପାର୍ଶ୍ୱ ଉଠାଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଜିଲ୍ଲାର କାଲିମେଳା ବ୍ଲକର ଏମ୍.ଭି.୪୧ ଗ୍ରାମରେ କ୍ଲଷ୍ଟର ଡିପ୍ ବୋର ୱେଲ୍ ( ପୁଞ୍ଜ ଗଭୀର ସେଚ କୂପ ) ପ୍ରକଳ୍ପ ମଧ୍ୟ ପରିଦର୍ଶନ କରିଥିଲେ ।
ଏହି ଗସ୍ତ କାର୍ଯ୍ୟକ୍ରମରେ ଉଠାଜଳସେଚନ ନିଗମ କୋରାପୁଟ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ଦିଲ୍ଲୀପ କୁମାର ଦାସ, ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପାତ୍ର, ଏଷ୍ଟିମେଟର ତଥା ସହକାରୀ ଯନ୍ତ୍ରୀ ବିଜୟ କୁମାର ମହାରଥା, ବିଭିନ୍ନ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।