କେନ୍ଦ୍ର ଅଧୀନସ୍ଥ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ନିଯୁକ୍ତିରେ ଓବିସି ଓ ଆର୍ଥିକ ଅନଗ୍ରସରଙ୍କୁ ପ୍ରଧାନ୍ୟ ଦିଆଯିବ – ଧର୍ମେନ୍ଦ୍ର ପ୍ରଧାନ

0 1

ସର୍ବଭାରତୀୟ ଓବିସି ଛାତ୍ର ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର– କେନ୍ଦ୍ର ଅଧୀନସ୍ଥ ଶିକ୍ଷାନୁଷ୍ଠାନ ରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ସଂଖ୍ୟା ଖୁବ ଶୀଘ୍ର ପୂରଣ ହେବ ଏବଂ ଏହି ପଦବୀ ନିଯୁକ୍ତିରେ ଅନ୍ୟାନ୍ୟ ପଛୁଆ ବର୍ଗ ଓବିସି ଓ ଆର୍ଥିକ ଅନଗ୍ରସରଭୃକ୍ତ ବର୍ଗର ଲୋକଙ୍କୁ ପ୍ରଧାନ୍ୟ ଦିଆଯିବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ସର୍ବଭାରତୀୟ ଓବିସି ଛାତ୍ର ସଂଘର ପ୍ରତିନିଧି ମାନଙ୍କୁ ଭେଟିବା ଅବସରରେ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ସଂଘର ଛାତ୍ରଛାତ୍ରୀମାନେ ଓବିସି ବର୍ଗଙ୍କ ପାଇଁ ନିଟ୍ ପରୀକ୍ଷାରେ ସର୍ବଭାରତୀୟ କୋଟାରେ ୨୭ ପ୍ରତିଶତର ସ୍ଥାନ ସଂରକ୍ଷଣ ଦେବା ଏବଂ ଓବିସି ସମୁଦାୟଙ୍କ ସମ୍ମାନ, ନ୍ୟାୟ ଏବଂ ସୁଯୋଗକୁ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଛାତ୍ରଛାତ୍ରୀମାନେ ଓବିସିଙ୍କ କଲ୍ୟାଣ ଓ ଓବିସି ସମାଜକୁ ସଶକ୍ତ କରିବା ପାଇଁ ଥିବା ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ମଧ୍ୟମ ଏବଂ ଅସହାୟ ବର୍ଗଙ୍କୁ ସୁଯୋଗ ପ୍ରଦାନ କରିବା ଦିଗରେ କାମ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖନୀୟ, ମୋଦି ସରକାର ଚଳିତ ୨୦୨୧-୨୨ ଶିକ୍ଷା ବର୍ଷରୁ ମେଡ଼ିକାଲ ଏବଂ ଡେଂଟାଲ ପାଠ୍ୟକ୍ରମରେ ସ୍ନାତକ ଏବଂ ସ୍ନାତକତୋରେ ସର୍ବଭାରତୀୟ କୋଟା(ଏଆଇକ୍ୟୁ) ଯୋଜନାରେ ଓବିସିଙ୍କୁ ୨୭ ପ୍ରତିଶତ ଏବଂ ଆର୍ଥôକ ଦୁର୍ବଳ ଶ୍ରେଣୀ (ଇଡବ୍ଲୁଏସ)ର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣର ଐତିହାସିକ ନିଷ୍ପତି ନେଇଛନ୍ତି । ଅଣସଂରକ୍ଷଣ କ୍ଷେତ୍ରରେ ସିଟକୁ ହ୍ରାସ କରାନଯାଇ ନିଆଯାଇଥିବା ଏହି ପଦକ୍ଷେପ ଦ୍ୱାରା ପଛୁଆ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ଓଡ଼ିଶା ସମେତ ଭାରତବର୍ଷର ୫ ହଜାର ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଉପକୃତ ହେବେ ।

Leave A Reply

Your email address will not be published.