ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ପାରଳା ମାଟିର ସୁଯୋଗ୍ୟ ସନ୍ତାନ ତଥା ଓଡ଼ିଶାର ସଂସ୍କୃତି ପୁରୁଷ , ସୁବିଖ୍ୟାତ ଐତିହାସିକ , ପ୍ରତ୍ନତତ୍ତ୍ୱବିଦ ଓ ଶିଳାଲେଖ ପାଠକ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ୧୧୯ ତମ ଜୟନ୍ତୀ ଉତ୍ସବ , ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସମ୍ମିଳନୀ କକ୍ଷ ଠାରେ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁ ସ୍ମୃତି ସଂସଦ ପକ୍ଷରୁ କୋଭିଡ୍ ନିୟମ କଟକଣା ମଧ୍ୟରେ ପାଳିତ ହୋଇଯାଇଛି ।
ଏହି ଅବସରରେ ସମାଜର ସମ୍ମିଳନୀ କକ୍ଷଠାରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ବିଶିଷ୍ଠ ଗବେଷକ , ସାହିତ୍ୟିକ ତଥା ପାରଳାର ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଶିକ୍ଷାବିତ ଗୁରୁ ଗୌରବ ଶ୍ରୀ ଗୌରଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ପଦ୍ମଶ୍ରୀ ଡ଼ଃ ରାଜଗୁରୁଙ୍କ କର୍ମମୟ ଜୀବନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ପଦ୍ମଶ୍ରୀ ଡ଼ଃ ରାଜଗୁରୁ ଏକାଧାରରେ ଜଣେ ସଂସ୍କୃତି ପୁରୁଷ , ସୁବିଖ୍ୟାତ ଐତିହାସିକ , ପ୍ରତ୍ନତତ୍ତ୍ୱ ଓ ଲିପିତତ୍ତ୍ୱବିଦ , ଶିଳାଲେଖ ଓ ତାମ୍ରଲିପି ପାଠକ , ଗବେଷକ , ନାଟ୍ୟକାର , ଶିକ୍ଷାବିତ , ସାହିତ୍ୟିକ ଓ ସମାଲୋଚକ ଥିଲେ ବୋଲି ମୁଖ୍ୟଅତିଥି ଶ୍ରୀ ପଣ୍ଡା କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ଶିକ୍ଷାବିତ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , , ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ଏବଂ ସଂସଦର ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ମଞ୍ଚାସୀନ ଥିଲେ ।
ମୁଖ୍ୟତଃ ଓଡିଶାର ଧର୍ମ , ସାହିତ୍ୟ ଓ ସଂସ୍କୃତିର ପ୍ରବକ୍ତା ତଥା ଲିପିତତ୍ତ୍ୱବିତ ଭାବେ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ଯଶ-କୀର୍ତ୍ତି କେବଳ ଓଡିଶାରେ ସୀମିତ ନ ଥିଲା , ଏହା ସମଗ୍ର ଭାରତବର୍ଷ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ପରିବ୍ୟାପ୍ତ ହୋଇ ରହିଥିଲା । ଯାହାକି , ତାହା ଆଜିମଧ୍ୟ ଚିରସ୍ମରଣୀୟ ହୋଇ ରହିଛି । ତାଙ୍କର ସେହି କଲ୍ୟାଣପ୍ରଦ ସାଧନବ୍ରତ ଆଗାମୀ ଦିନ ମାନଙ୍କରେ ସମଗ୍ର ବିଶ୍ୱ ସମାଜକୁ ସ୍ଵୀୟ ବଳିଷ୍ଠ ସ୍ପର୍ଶରେ ଅଧିକ ସମୃଦ୍ଧ ଓ ତେଜୋଦ୍ଦୀପ୍ତ କରିବ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ ।
ଏହି ଅବସରରେ ସାହିତ୍ୟିକ ଶ୍ରୀ ସୀତାକାନ୍ତ ରାଜଗୁରୁଙ୍କୁ ସ୍ମୃତି ସଂସଦ ପକ୍ଷରୁ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ସ୍ମୃତି ସମ୍ମାନରେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post