ଆଉ୧୦ ବର୍ଷ ପାଇଁ ହକି ଇଣ୍ଡିଆର ପ୍ରଯୋଜକ ରହିବ ଓଡିଶା

0 1

ଅଲିମ୍ପିକ ହକି ହିରୋଙ୍କୁ ଓଡିଶା ମାଟିରେ ଭବ୍ୟ ସମ୍ବର୍ଦ୍ଧନା : ଭାବବିହ୍ୱଳ ହେଲେ ଖେଳାଳି

“ଓଡ଼ିଶା ଆମର ଦ୍ୱିତୀୟ ଘର, ମୁଖ୍ୟମନ୍ତ୍ରୀଙ୍କ ବିନା ଏଭଳି ପ୍ରଦର୍ଶନ ସମ୍ଭବ ହୋଇ ନଥାନ୍ତା”

ଭୁବନେଶ୍ୱର (ଶାସକ ପ୍ରଶାସକ) : ଟୋକିଓ ଅଲିମ୍ପିକରେ ବ୍ରୋଞ୍ଜ ପଦକ ବିଜୟୀ ହୋଇ ଫେରିଥିବା ଭାରତୀୟ ପୁରୁଷ ହକି ଦଳ ଓ ଚମତ୍କାର ପ୍ରଦର୍ଶନ କରିଥିବା ମହିଳା ହକି ଦଳକୁ ଆଜି ଭୁବନେଶ୍ୱରଠାରେ ଦିଆଯାଇଛି ଭବ୍ୟ ସମ୍ବର୍ଦ୍ଧନା | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆମନ୍ତ୍ରଣ ରକ୍ଷା କରି ଭୁବନେଶ୍ୱର ଆସିଥିବା ଏହି ଅଲିମ୍ପିକ୍ସ ହୀରୋମାନଙ୍କୁ ବିମାନବନ୍ଦର ଠାରୁ ଲୋକସଭା ଭବନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାରମ୍ପରିକ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା | ଲୋକସଭା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ମୁଖ୍ୟ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ସମସ୍ତ ଖେଳାଳି, ଟିମ ସଦସ୍ୟ ତଥା ହକି ଆସୋସିଏସନ କର୍ମକର୍ତ୍ତାଙ୍କୁ ପୁରସ୍କାର ରାଶି ସହ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଓଡ଼ିଶା ଆଉ ୧୦ ବର୍ଷ ପାଇଁ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଓଡ଼ିଶା ୨୦୧୮ରେ ହକି ଇଣ୍ଡିଆ ସହ ୫ ବର୍ଷ ପାଇଁ ଚୁକ୍ତି କରିଥିଲା।
ମୁଖ୍ୟମନ୍ତ୍ରୀ ମଧ୍ୟ ଟୋକିଓରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ହକି ଟିମକୁ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ଆମକୁ ଗର୍ବିତ କରିଛନ୍ତି। ଅଲିମ୍ପିକ୍ସରେ ଭାରତ ତା’ର ପୂର୍ବ ଗୌରବ ଫେରିପାଇବା ସମସ୍ତଙ୍କୁ ଭାବବିହ୍ୱଳ କରିଛି। ଚାରି ଦଶନ୍ଧି ପରେ ଅଲିମ୍ପିକ୍ କ୍ରୀଡ଼ାରେ ଭାରତ ହକିରେ ପଦକ ଜିତିଛି। ଆଉ ପୂରା ଦେଶ ହକି ଦଳର ମ୍ୟାଚ୍ ଦେଖିବା ପାଇଁ ଯେଉଁ ଉତ୍ସାହ ଦେଖାଇଲେ, ତାହା ଏହି କ୍ରୀଡ଼ା ପ୍ରତି ସେମାନଙ୍କର ଭଲପାଇବା ଦର୍ଶାଇଛି।
ଭାରତୀୟ ହକିର ପ୍ରାୟୋଜକ ଥିବା ସାହାରା ପୁରୁଷ ଓ ମହିଳା ଟିମକୁ ସ୍ପନସରରୁ ଓହରି ଯାଇଥିଲା। ଯାହା ପରେ ହକିକୁ କୌଣସି ସ୍ପନସର୍ ମିଳିନଥିଲା। ତେବେ ଏଭଳି ବିପଦ ସମୟରେ ହକିର ହାତ ଧରିଥିଲେ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ସରକାର। ୨୦୧୮ରେ ଓଡ଼ିଶା ସରକାର ହକି ଇଣ୍ଡିଆ ସହ ୫ ବର୍ଷ ପାଇଁ ୧୦୦ କୋଟି ଟଙ୍କାର ଚୁକ୍ତି କରିଥିଲା। ଏହାବ୍ୟତୀତ ଓଡ଼ିଶା ସରକାର ବିଶ୍ୱସ୍ତରୀୟ ଟ୍ରେନିଂ, ରିହ୍ୟାବ ସୁବିଧା, ପ୍ରାକ୍ଟିସ୍ ମ୍ୟାଚ୍ ଓ ଟୁର୍ଣ୍ଣାମେଣ୍ଟ ଜରିଆରେ ହକିକୁ ନୂଆ ଜୀବନ ଦେଇଛନ୍ତି।
ଆଜି ଭାରତୀୟ ହକି ଟିମ୍ ଯେଉଁ ସଫଳତା ହାସଲ କରିଛି, ତା’ ପଛରେ ଓଡ଼ିଶା ସରକାରଙ୍କ ହାତ ରହିଥିବା ଲୋକେ କହିଛନ୍ତି। କାରଣ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ପ୍ରାୟୋଜକରେ ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ହକିରେ ବ୍ରୋଞ୍ଜ ପଦକ ଜିତିଛି। ସେହିଭଳି ମହିଳା ହକି ଟିମ ର ପ୍ରଦର୍ଶନ ରେ ସାରା ଦେଶ ଯେଉଁ ଭଳି ଉତ୍ସୁକତା ଦେଖାଇଥିଲା ତାହା ଖେଳାଳି ମାନଙ୍କର ମନୋବଳ ବଢ଼ାଇଥିଲା ମହିଳା ଙ୍କ ହକି ଟିମ କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି |
ଓଡ଼ିଶାବାସୀ ଓ ରାଜ୍ୟ ସରକାରଙ୍କ ସମ୍ବର୍ଦ୍ଧନାରେ ଅଭିଭୂତ ହୋଇଥିଲେ ଟିମ୍ ଇଣ୍ଡିଆ । ଓଡ଼ିଶାକୁ ସେମାନଙ୍କର ଦ୍ୱିତୀୟ ଘର ବୋଲି କହିଥିଲା ବେଳେ ରାଜ୍ୟ ସରକାରଙ୍କ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ପାଇ ନ ଥିଲେ ଅଲିମ୍ପିକ୍ସରେ ଏଭଳି ପ୍ରଦର୍ଶନ ସମ୍ଭବ ହୋଇ ନଥାନ୍ତା ବୋଲି ଦୋହରାଇଥିଲେ ଉଭୟ ପୁରୁଷ ଓ ମହିଳା ଟିମ୍ କ୍ୟାପେଟନ୍ । ନବୀନ ପଟ୍ଟନାୟକଙ୍କ ଯୋଗୁଁ ଆଜି ହକିର ସ୍ଥିତି ବଦଳିଯାଇଛି । ଅଲିମ୍ପିକ୍ସରେ ଆମେ ମେଡ଼ାଲ୍ ପାଇଥିଲେ ମଧ୍ୟ ବାସ୍ତବରେ ତାହା ନବୀନ ପଟ୍ଟନାୟକଙ୍କର ଦେଶବାସୀଙ୍କୁ ଉପହାର ବୋଲି ପୁରୁଷ ହକି କ୍ୟାପେଟନ୍ ମନପ୍ରୀତ ସିଂ କହିଛନ୍ତି । ସେହିଭଳି ମହିଳା ହକି କ୍ୟାପେଟନ୍ ରାଣୀ ରାମପାଲ୍ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ପାଇଁ ହକି ଆଜି ନୂଆ ପରିଚୟ ପାଇଛି । ରାଜ୍ୟ ସରକାର ଓ ଓଡ଼ିଶାବାସୀ ଆମମାନଙ୍କ ପାଇଁ ପ୍ରେରଣା ହୋଇ ରହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୀର ଖେଳାଳୀମାନଙ୍କୁ ସମୁଦାୟ ୧୩ ଟି ପୁରସ୍କାର ପ୍ରଦାନ କରିଥିଲେ । ପୁରୁଷ ହକିରେ ସର୍ବାଧିକ ଗୋଲ୍ ସ୍କୋର ପାଇଁ ହରମନପ୍ରୀତ ସିଂହ, ସର୍ବାଧିକ ଗୋଲ୍ ବଞ୍ଚାଇଥିବା ପିଆର ଶ୍ରୀଜେଶ, ସର୍ବାଧିକ ଗୋଲ୍ ସ୍କୋରରେ ସହାୟତା କରିଥିବା ନୀଳକଣ୍ଠ ଶର୍ମା, ସର୍ବାଧିକ ସଂଖ୍ୟକ ଡିଫେନସିଭ୍ ଟାକଲସ୍ ପାଇଁ ରୁପିନ୍ଦର ପଲ୍ ସିଂହ ଏବଂ ମିଡ଼ଫିଲଡ୍ ରେ ସର୍ବାଧିକ ଇଣ୍ଟରସେପସନ କରିଥିବା ହରମନପ୍ରୀତ ସିଂହ ଏବଂ ଅମିତ୍ ରୋହିଦାସଙ୍କୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କୃତ କରିଥିଲେ ।
ସେହିଭଳି ମହିଳା ହକିରେ ସର୍ବାଧିକ ଗୋଲ୍ ସ୍କୋର କରିଥିବା ଗୁରୁଜିତ୍ କୌର୍ ଏବଂ ବନ୍ଦନା କଟରିୟା, ସର୍ବାଧିକ ଗୋଲ୍ ବଞ୍ଚାଇଥିବା ସବିତା ପୁନିଆ, ସର୍ବାଧିକ ଗୋଲ୍ ବଞ୍ଚାଇବାରେ ସାହାଯ୍ୟ କରିଥିବା ରାଣୀ ରାମପାଲ୍ ଏବଂ ନବନୀତ କୌର, ସର୍ବାଧିକ ସଂଖ୍ୟକ ଡିଫେନସିଭ୍ ଟାକଲସ୍ ପାଇଁ ଦୀପଗ୍ରେସ୍ ଏକ୍କା ଏବଂ ମିଡ଼ଫିଲଡ୍ ରେ ସର୍ବାଧିକ ଇଣ୍ଟରସେପସନ ପାଇଁ ପି.ସୁଶୀଲା ଚାନୁଙ୍କୁ ୫ ଲକ୍ଷ ଲେଖାଏଁ ପୁରସ୍କୃତ କରିଥିଲେ ମୁଖ୍ୟମନ୍ତ୍ରୀ ।
ହକି ଟିମ୍ ପାଇଁ ନିଯୁକ୍ତ ଓଡ଼ିଆ ଡାକ୍ତର ବିଭୁ କଲ୍ୟାଣ ନାୟକଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ ।
ଭାରତୀୟ ଅଲମ୍ପିକ୍ ସଂଘର ସଭାପତି ଡକ୍ଟର ନରିନ୍ଦର ଧ୍ରୁବ ବାତ୍ରା, ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମ୍ବମ, ହକି ଇଣ୍ଡିଆ ସେକ୍ରେଟାରୀ ଜେନେରାଲ୍ ରାଜିନ୍ଦର ସିଂହ, ହକି ଇଣ୍ଡିଆ ସିଇଓ ଏଲିନା ନରମାନ୍ ଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ହକି ଫେଡ଼େରେସନ୍ କୁ ୫୦ ଲକ୍ଷ ଟଙ୍କା ପୁରସ୍କୃତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଙ୍କ ସମେତ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା ହକି ପ୍ରମୋସନ୍ କାଉନସିଲ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ, କ୍ରୀଡ଼ା ସଚିବ ଆର.ଭିନୀଲ୍ କ୍ରୀଷ୍ଣା ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.