ସାବାସ ଦୀପା : ତେଲେଙ୍ଗାନା ରାଜ୍ୟରୁ ଉଦ୍ଧାର ହେଲେ ନୂଆପଡା ଜିଲ୍ଲାର ୨୩ ପ୍ରବାସୀ ଶ୍ରମିକ

0 1

ଦୀପାଙ୍କ ପ୍ରଶଂସା କଲେ ତେଲେଙ୍ଗାନା ପୋଲିସ

ବରଗଡ଼ (ଶାସକ ପ୍ରଶାସକ) : ଓଡ଼ିଶାର ଟ୍ୱିଟର ଗାର୍ଲ ଭାବରେ ପରିଚିତ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ସୁଶ୍ରୀ ଦୀପା ବାରିକଙ୍କ ପ୍ରୟାସ ଦ୍ୱାରା ଓଡ଼ିଶାର ବିଭିନ୍ନ ବର୍ଗରେ ଲୋକେ ସହାୟତା ପାଇଆସୁଛନ୍ତି | ଏହି କ୍ରମରେ ସୁଦୂର ତେଲେଙ୍ଗାନା ରାଜ୍ୟରେ ବନ୍ଧକ ଥିବା ୨୩ ଜଣ ଦାଦନ ଶ୍ରମିକ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି |
ସୂଚନା ଅନୁଯାୟୀ ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ମାକରବିର୍ଲି ଗାଁର ୬ ଜଣ ଶିଶୁଙ୍କ ସହ ୨୩ ଜଣ ଦାଦନ ଶ୍ରମିକ ତେଲେଙ୍ଗାନା ରାଜ୍ୟର ପେଦାପଲ୍ଲୀ ଅଞ୍ଚଳରେ ଦୀର୍ଘଦିନ ଧରି ନିର୍ଯାତନାର ଶିକାର ହେଇ ଆସୁଥିଲେ| ଶ୍ରମିକମାନେ ଦଲାଲ ମାନଙ୍କ ଜରିଆରେ ଅନ୍ୟ ରାଜ୍ୟକୁ ଯାଇ ଏଭଳି ଦୁର୍ଦ୍ଦଶା ଭୋଗିଥାନ୍ତି| ଇଟାଭାଟି ମାଲିକର ନିର୍ଯାତନାରେ ଅତିଷ୍ଠ ହୋଇ ଘରକୁ ଫେରାଇ ଆଣିବା ନିମନ୍ତେ ତାଙ୍କର ପରିବାରବର୍ଗ ବିଭିନ୍ନ ଗଣମାଧ୍ୟମ ଜରିଆରେ ଖବର ପରିବେଷଣ କରେଇଥିଲେ | ଏହି ଖବର ପଢ଼ି ଦାଦନ ଶ୍ରମିକଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଥିଲେ ଦୀପା ବାରିକ. ପ୍ରଥମେ ଘଟଣା ବାବଦରେ ତଥ୍ୟ ସଂଗ୍ରହ କରି ପ୍ରବାସୀ ଶ୍ରମିକଙ୍କ ଯୋଗାଯୋଗ ନମ୍ବର ମାଗିଥିଲେ | ଶ୍ରମିକଙ୍କ ସହ କଥାବାର୍ତ୍ତା ହେବାପରେ ସେମାନେ ଭୟଭୀତ ଥିବା ହୃଦୟଙ୍ଗମ କରିଥିଲେ ଦୀପା. ସେମାନଙ୍କୁ ଭୟଭୀତ ନ ହେବା ପାଇଁ ପ୍ରଥମେ ପରାମର୍ଶ ଦେଇଥିଲେ |
ଏହାପରେ ତେଲେଙ୍ଗାନା ରାଜ୍ୟର ରଚକୋଣ୍ଡା ପୋଲିସ ସହ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗ ସ୍ଥାପନ କରିବା ପରେ ପେଦାପଲ୍ଲୀ ଅଞ୍ଚଳ ରାମଗୁଣ୍ଡମ ପୋଲିସ ଅଧୀନରେ ଥିବା ଜାଣିବାକୁ ପାଇଲେ ଦୀପା | ଏହାପରେ ଦୀପା ପେଦାପଲ୍ଲୀ ସର୍କଲ ଇନ୍ସପେକ୍ଟର ଏବଂ ଥାନାଧିକାରୀଙ୍କ ସହ ଯୋଗାଯୋଗ କରିବା ପରେ ପୋଲିସ ଦାଦନ ଶ୍ରମିକଙ୍କ ପାଖକୁ ପହଞ୍ଚିଥିଲେ | ଇତିମଧ୍ୟରେ ଦୀପା ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗ କମିଶନର ଥିରୁମାଳା ନାଏକଙ୍କୁ ଯୋଗାଯୋଗ ମଧ୍ୟ କରିଥିଲେ | ଦିର୍ଘ ତିନିଦିନ ପରିଶ୍ରମ ପରେ ସମସ୍ତଙ୍କ ସହଭାଗିତାରେ ୬ ଜଣ ଶିଶୁଙ୍କ ସମେତ ୨୩ ଜଣ ଦାଦନ ଶ୍ରମିକ ଉଦ୍ଧାର ହେଇ ଘରକୁ ଫେରିଛନ୍ତି | ସୋମବାର ଭୋର ୩ ଟାରୁ ଏକ ଟ୍ରେନ ମାଧ୍ୟମରେ ସମସ୍ତେ ରାୟପୁର ଷ୍ଟେସନ ପର୍ଯ୍ୟନ୍ତ ଟିକେଟ କରାଯାଇଛି ବୋଲି ଦୀପାଙ୍କୁ ପେଦାପଲ୍ଲୀ ଥାନାଧିକାରୀ ଜଣେଇଥିଲେ | ବର୍ତ୍ତମାନ ପ୍ରବାସୀ ଶ୍ରମିକ ମାନେ ସୁରକ୍ଷିତ ଭାବେ ଘରକୁ ପହଞ୍ଚିସାରିଥିବା ସୂଚନା ରହିଛି |
ଦୀପାଙ୍କ ଏହି ସାହସୀକତାପୁର୍ଣ କାର୍ଯ୍ୟକୁ ନୂଆପଡା ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସାର ସୁଅ ଛୁଟିଛି |

ଏହାଛଡ଼ା ତେଲେଙ୍ଗାନା ରାଜ୍ୟର ରଚକୋଣ୍ଡା ପୋଲିସ ମଧ୍ୟ ତାଙ୍କ ଏହି ପ୍ରୟାସକୁ ସାଧୁବାଦ ଜଣେଇଛନ୍ତି |

Leave A Reply

Your email address will not be published.