ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କଲେ ବିଶିଷ୍ଟ ଉଦ୍ୟୋଗପତି ଡଃ ଗଣେଶ ନଟରାଜନ

0

ଖୁବ୍‌ ଶୀଘ୍ର ଆରମ୍ଭ ହେବ ୱାର୍ଲ୍ଡ ସ୍କିଲ ସେଣ୍ଟରରେ ନାମଲେଖା

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଆଜି ବିଶିଷ୍ଟ ଉଦ୍ୟୋଗପତି ତଥା ୫ଏଫ୍‌ ୱଲ୍ଡର ଅଧ୍ୟକ୍ଷ ଡଃ ଗଣେଶ ନଟରାଜନଙ୍କ ସମେତ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟର (ବିଶ୍ୱ ଦକ୍ଷତା କେନ୍ଦ୍ର) ପରିଦର୍ଶନ କରିଥିଲେ । ଦକ୍ଷତାର କେନ୍ଦ୍ରବିନ୍ଦୁ ହେବାକୁ ଥିବା ୱାର୍ଲ୍ଡ ସ୍କିଲ ସେଣ୍ଟରର ଉନ୍ନତ ବୈଷୟିକ ଭିତ୍ତିଭୂମି ଦେଖି ସେ ଅବିଭୂତ ହେବା ସହ ଆଗାମୀ ଦିନରେ ସହଭାଗିତା କରିବାକୁ ଆଶା ବ୍ୟକ୍ତ  କରିଥିଲେ । ସେ ନିଜ ଜୀବନ ଯାତ୍ରା ବିଷୟରେ ପରିପ୍ରକାଶ କରି କହିଥିଲେ ଯେ କ୍ଷୁଦ୍ର ପ୍ରୟାସରୁ ହିଁ ବୃହତର ସମ୍ଭାବନା ସୃଷ୍ଟି ହୋଇଥାଏ ଏବଂ ଏହା ଆଗକୁ ବଢିବାରେ ସହାୟକ ହୋଇଥାଏ ।

ଏହି ଅବସରରେ ସେ ଏବଂ ତାଙ୍କ ଦଳ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ  ଶ୍ରୀ ସୁବ୍ରତ ବାଗ୍‌ଚୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ଦକ୍ଷତା ବିକାଶ ନିମନ୍ତେ ଓଡିଶା ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ଦୀର୍ଘ ମିଆଦି ଓ କ୍ଷୁଦ୍ର ମିଆଦି ଯୋଜନା ବିଷୟରେ ପଚାରି ବୁଝିଥିଲେ । 

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ, ଶ୍ରୀ ହେମନ୍ତ ଶର୍ମା ବିଶ୍ୱ ଦକ୍ଷତା କେନ୍ଦ୍ରର ଉନ୍ନତ ଦକ୍ଷତା ପ୍ରଶିକ୍ଷଣ ବ୍ୟବସ୍ଥା, ଭିତ୍ତିଭୂମି ଏବଂ ପାଠ୍ୟକ୍ରମ ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ ଏବଂ ଖୁବ୍‌ ଶୀଘ୍ର ଚଳିତ ବର୍ଷ ନିମନ୍ତେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏହି ଅବସରରେ ସୂଚନା ଦେଇଥିଲେ । 

ଶ୍ରୀ ନଟରାଜନ ଏବଂ ସହଯୋଗୀମାନେ ବିଲ୍ଡିଂ ମ୍ୟାନେଜମେଣ୍ଟ୍‌ ସରଭିସେସ୍‌, କମରସିଆଲ ରେଫ୍ରିଜିରେସନ, କମରସିଆଲ ଏଆର କଣ୍ଡିସନିଂ ଲ୍ୟାବ୍‌ ପରିଦର୍ଶନ କରିବା ସହ ପ୍ରଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୁଣେ ସିଟି କନେକ୍ଟ ସିଇଓ ଶ୍ରୀମତି ରୁଚି ମାଥୁର ଏବଂ ଲାଇଟ୍‌ହାଉସ୍‌ କମ୍ୟୁନିଟି ଫାଉଣ୍ଡେସନ୍‌ ସଂସ୍ଥା ତରଫରୁ ଶ୍ରୀ ଆଶିକ୍‌ ରିଜ୍‌ଭି ଉପସ୍ଥିତ ଥିଲେ । ଶେଷରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ତଥା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ଧନ୍ୟବାଦ ଅର୍ପଣ କରିଥିଲେ । 

Leave A Reply

Your email address will not be published.