୧୦ ବର୍ଷ ଧରି ଦୁର୍ବିସହ ଜୀବନ ବିତାଉଥିବା ୬୯ ବର୍ଷୀୟ ରୋଗୀଙ୍କୁ ମିଳିଲା ନୂଆ ଜୀବନ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଜୀବନ ଥିଲେ ରୋଗ ଥାଏ, କିନ୍ତୁ ଯେଉଁ ରୋଗ ପାଇଁ ଜୀବନ ଦୁର୍ବିସହ ହୋଇପଡେ ସେହି ରୋଗରୁ ମୁକ୍ତି ପାଇଁ ରୋଗୀଟିଏ ସବୁବେଳେ ଭଗବାନଙ୍କ ପାଖରେ ପ୍ରାର୍ଥନା କରେ| ଏକ ୬୯ ବର୍ଷୀୟ ବ୍ୟକ୍ତି, ଯାହାଙ୍କର ଦୀର୍ଘ ୧୦ ବର୍ଷରୁ ଅଧିକ ଦିନର ସ୍ବାସ୍ଥ୍ୟ ସମସ୍ୟା ଆଜି ଆମ୍ରି ହସ୍ପିଟାଲସର କିଛି ଅଭିଜ୍ଞ ଡାକ୍ତରଙ୍କ ଲାଗି ଦୂର ହୋଇପାରିଛି | ଏହି ବ୍ୟକ୍ତିଙ୍କ ଠାରେ ଏଭଳି ଏକ ବିରଳ ଅପରେସନ କରାଯାଇଛି, ଯେଉଁଥିପାଇଁ ରୋଗୀ ଜଣକ ଏକ ନୂଆ ଜୀବନ ପାଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ |
୬୯ ବର୍ଷର ଏହି ବ୍ୟକ୍ତିଙ୍କର ଗିବଶ ଡିଫୋର୍ମୀଟିଜ଼ ନାମକ ରୋଗ ଥିଲା | ଯେଉଁ ରୋଗ ପାଇଁ ଅଣ୍ଟା ପାଖରେ ଥିବା ୩ଟି ହାଡ ମିଶିଯାଇଥିଲା ଓ ଏହି ହାଡଗୁଡିକ ବଙ୍କା ହୋଇଯାଇଥିଲା | ଯାହାଫଳରେ ରୋଗୀ ଜଣକ ଆଉ ଭଲ ଭାବରେ ଚାଲିପାରି ନଥିଲେ ବରଂ ବଙ୍କା ହୋଇ ଚାଲୁଥିଲେ | ମେରୁଦଣ୍ଡ ବଙ୍କା ହୋଇଯିବା ଫଳରେ ରୋଗୀ ନା ଅଣ୍ଟା ସଳଖି ଛିଡା ହୋଇପାରୁଥିଲେ ନା କାହାକୁ ବେକ ଉଠାଇ ଚାହିଁପାରୁଥିଲେ | ପାଖାପାଖି ୧୦ ବର୍ଷରୁ ଅଧିକ ଦିନ ଧରି ଏହି ସମସ୍ୟାରେ ସେ ପୀଡିତ ଥିବାବେଳେ ସେ ସିଧା ହୋଇ ଶୋଇପାରୁନଥିଲେ | ଏହା ପରେ ତାଙ୍କର ଚିକିତ୍ସା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା।
ଏହି ରୋଗରୁ ମୁକ୍ତି ଲାଗି ଏକମାତ୍ର ନିରାକରଣ ଥିଲା ଅପରେସନ୍। ଅସ୍ତ୍ରୋପଚାର କରି ୧୦ ବର୍ଷର ସମସ୍ୟାକୁ ଦୂର କରିବା ନିଶ୍ଚିତ ଭାବେ ଏକ ଚାଲେଞ୍ଜ ଥିଲା। ସାଧାରଣତଃଏପରି ଅପରେସନ୍ ରାଜ୍ୟ ବାହାରେ ହେଉଥିଲେ ହେଁ ଭୁବନେଶ୍ବରର ଆମ୍ରି ହସ୍ପିଟାଲରେ ଏହା କରିବା ଲାଗି ନିଷ୍ପତ୍ତି କଲେ ବ୍ରେନ ଓ ସ୍ପାଇନ ସର୍ଜନ ଡାକ୍ତର ଡାକ୍ତର ବିଶ୍ୱରଂଜନ ନାୟକ, ଡାକ୍ତର ଅମିତ ଯୈସୱାଲ, ଡାକ୍ତର ଭାଗ୍ୟରଞ୍ଜନ ଜେନା ଓ ତାଙ୍କ ଟିମ। ପ୍ରଥମ ଥର ପାଇଁ ଅତ୍ୟନ୍ତ ଯତ୍ନ ଓ ସାବଧାନତାର ସହିତ ଆଙ୍କଲୋଇଜିଙ୍ଗ ସ୍ପଂଡିଲାଇସିସ ପୀଡ଼ିତ ଏହି ରୋଗୀଙ୍କର ଅପରେସନ କରାଯାଇଥିଲା | ବର୍ତ୍ତମାନ ଅପରେସନକୁ ପ୍ରାୟ ଦୁଇ ସପ୍ତାହ ହୋଇଗଲାଣି। ବର୍ତ୍ତମାନ ବ୍ୟକ୍ତି ଜଣକ ଚଲାବୁଲା, ଉଠାବସା କରିବା ସହ ଠିକଭାବେ ଶୋଇ ପାରୁଛନ୍ତି।
ପୂର୍ବରୁ ଏଭଳି ରୋଗ ପାଇଁ ପୀଡିତ ବ୍ୟକ୍ତି ଓଡିଶା ବାହାରକୁ ଯାଉଥିବାବେଳେ ଆମ୍ରି ହସ୍ପିଟାଲରେ ସୁପ୍ରସିଦ୍ଧ ଡାକ୍ତର ଅମିତ ଯୈସୱାଲ ଓ ଡାକ୍ତର ବିଶ୍ୱରଂଜନ ନାୟକଙ୍କ ଭଳି ଅଭିଜ୍ଞ ଡାକ୍ତର ଓ ଆମ୍ରି ହସ୍ପିଟାଲସର ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗୁଁ ଏହି ଭଳି ବିରଳ ଅସ୍ତ୍ରୋପଚାର ଓଡ଼ିଶାରେ ସମ୍ଭବ ହୋଇ ପାରୁଛି |