ପ୍ରବାସରେ ଥାଇ ବି ମାଟି ପ୍ରତି ଦାୟିତ୍ୱ ଭୁଲି ନାହାନ୍ତି ଡାକ୍ତର ଯୋଷୀ 

0

ଭୁବନେଶ୍ୱର (ନିରୋଜ ମିଶ୍ର) : ପ୍ରବାସରେ ଥାଇ ବି ମାଟି ପ୍ରତି ଦାୟିତ୍ୱ ଭୁଲି ନାହାନ୍ତି | ମହାମାରୀ କରୋନା ସମୟରେ ନିଜ ଜନ୍ମମାଟି ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଆ ଡାକ୍ତର ଚିତ୍ତରଂଜନ ଯୋଷୀ। ବର୍ତ୍ତମାନ କରୋନା ମହାମାରୀ ସମୟରେ ଅକ୍ସିଜେନ ପାଇଁ ରୋଗୀ ଛଟପଟ। ଆଉ ଏଭଳି ସମୟରେ ନିଜ ଜନ୍ମମାଟିର ଲୋକଙ୍କ ଚିକିତ୍ସା ସକାଶେ ବିଦେଶରେ ରହି ପଠାଇଛନ୍ତି ୧୫ଟି ଅକ୍ସିଜେନ କନସେନଟ୍ରେଟର।.

ଆନ୍ତର୍ଜାତିକ ସ୍ତରରେ ଖ୍ୟାତିସମ୍ପନ୍ନ ନାଁ କରା ଡାକ୍ତର ଚିତ୍ତରଂଜନ ଯୋଷୀ ଏବେ ଅଷ୍ଟ୍ରେଲିଆର ନାଗରିକ। ସେ ଅଷ୍ଟ୍ରେଲିଆର ଆଡିଲେଟ ନିବାସୀ। କିନ୍ତୁ ବଲାଙ୍ଗୀର ମାଟିରେ ତାଙ୍କର ଜନ୍ମ। ବଲାଙ୍ଗୀରର ମୂଳବାସିନ୍ଦା। ସହରର ତାଲପାଲିପଡ଼ାରେ ଘର। ବଲାଙ୍ଗୀରରେ ତାଙ୍କର ସ୍କୁଲ ଓ କଲେଜ ଶିକ୍ଷା। କଲେଜ ପାଠ ପରେ ବୁର୍ଲା ଭିଏସ୍‌ଏସ୍‌ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠପଢ଼ିଥିଲେ। ପରେ ଦିଲ୍ଲୀ ଏମ୍‌ସରେ ଉଚ୍ଚତର ଶିକ୍ଷାଲାଭ କରି ସାରିବା ପରେ ଏବେ ସେ ଅଷ୍ଟ୍ରେଲିଆରେ କାର୍ଯ୍ୟରତ। କରୋନା ମହାମାରୀ ସମୟରେ ବଲାଙ୍ଗୀର ଜିଲ୍ଲାର ସ୍ଥିତି ସଂପର୍କରେ ପ୍ରତିଦିନ ସେ ପରିବାର ଲୋକଙ୍କ ପାଖରୁ ବୁଝନ୍ତି। ଅକ୍ସିଜେନ ସମସ୍ୟା ଜାଣିବା ପରେ ସିଧାସଳଖ ସେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ଫୋନ୍‌ ଯୋଗେ ଆଲୋଚନା କରିଥିଲେ। ସୁବିଧା ଅସୁବିଧା ବୁଝିବା ପରେ ବିଶ୍ୱର ବିଭିନ୍ନ ଦେଶରୁ ଅକ୍ସିଜେନ କନସେଟ୍ରେଟର ପଠାଇବାର ବନ୍ଦୋବସ୍ତ କରିଥିଲେ। ଜିଲ୍ଲାପାଳଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କଲା ପରେ ୧୫ଟି ଅକ୍ସିଜେନ କନସେନଟ୍ରେଟର ବଲାଙ୍ଗୀର ସିଡିଏମ୍‌ଓଙ୍କ ନିକଟକୁ ପଠାଇଛନ୍ତି। ଯାହାର ମୂଲ୍ୟ ୧୦ଲକ୍ଷ ୫୦ ହଜାର ଟଙ୍କା।  ପ୍ରକାଶ ଯେ ଡାକ୍ତର ଚିତ୍ତରଂଜନ ଯୋଷୀ ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବିଲି ସମୟରେ ବଲାଙ୍ଗୀର ଗସ୍ତରେ ଆସିଥିଲେ। ସେ ଜୁବଲି ସମାରୋହରେ ସାମିଲ ହୋଇ ବେଶ୍‌ ଖୁସିବ୍ୟକ୍ତ କରିଥିଲେ। ବିଦେଶରେ ଥିଲେ ବି ବଲାଙ୍ଗୀର ସହ ସବୁ ସମୟରେ ଜଡ଼ିତ ରହିଥାନ୍ତି। ଏବେ ସେ ଅଷ୍ଟ୍ରେଲିଆରେ ଡାକ୍ତର ଭାବରେ କାର୍ଯ୍ୟ କରି ସେଠିକାର କରୋନା ଯୋଦ୍ଧା।

Leave A Reply

Your email address will not be published.