ସ୍ୱେଚ୍ଛାସେବୀ ଅଶ୍ୱିନୀ ଦାସଙ୍କ ପ୍ରୟାସରେ ଉଦ୍ଧାର ହେଲେ ଅସହାୟ ବୃଦ୍ଧା

0 2

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମରେ ଏକ ମାନସିକ ରୂପେ ଭିନ୍ନକ୍ଷମ ମହିଳା ଗତ କିଛିଦିନ ଧରି ରହି ଆସୁଥିଲେ | ସେ ନିଜର ନାଁ ଏବଂ ଠିକଣା ଠିକ ଭାବରେ କହିପାରୁନଥିଲେ | ତେଣୁ ତାଙ୍କ ଠିକଣା ପାଇବା ପାଇଁ  କଷ୍ଟ ହେଉଥିଲା | ବର୍ତ୍ତମାନ କରୋନା ମହାମାରୀ ସମୟରେ ବି ଗାଁର କିଛି ସହୃଦୟ ବ୍ୟକ୍ତି ବିଶେଷ ତାଙ୍କୁ ଖାଇବା ପାଇଁ ଦେଉଥିଲେ ଯେଉଁଥିରେ ତାଙ୍କର ଭୋକ ମେଂଟୁଥିଲା କିନ୍ତୁ ରାତିରେ ସେ ଏଣେତେଣେ ଶୋଉଥିଲେ | ଏକଥା ଜାଣିବା ପରେ ଗାଁର ଜଣେ ସ୍ୱେଚ୍ଛାସେବୀ ଅଶ୍ୱିନୀ କୁମାର ଦାସ ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରିବା ନିମନ୍ତେ ଗାଁର ଶିକ୍ଷକ ଦିବସ କୁମାର ସାହୁଙ୍କ ପରାମର୍ଶ ଲୋଡ଼ିଥିଲେ | ତାଙ୍କ ପରାମର୍ଶ ଅନୁଯାୟୀ ପ୍ରଥମେ ଅଶ୍ୱିନୀ ଅଗ୍ନିଶମ ଏବଂ ଆପାତକାଳୀନ ସେବା ବିଭାଗ ନମ୍ବର ରେ ଯୋଗାଯୋଗ କରିଥିଲେ, ଯାହାକି ପଦ୍ମପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟକୁ ଲାଗିଥିଲା ସେଠାରେ ବିଜେପୁର କାର୍ଯ୍ୟାଳୟ ର ନମ୍ବର ଦିଆଗଲା | ସେହି ନମ୍ବରରେ ଫୋନ କଲାପରେ ଅଗ୍ନିଶମ ବିଭାଗ ଏଭଳି ବ୍ୟକ୍ତିଙ୍କ ଉଦ୍ଧାର ନିମନ୍ତେ ଆମ ବିଭାଗ କାମ କରେନାହିଁ ବୋଲି କହିଥିଲେ | ପରେ ଅଶ୍ୱିନୀ ବିଜେପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ ଏବଂ ସେ କହିଥିଲେ ଯେ ଏହା ଆମ ବିଭାଗର କାମ ଏବଂ ସମ୍ପୂର୍ଣ୍ଣ ସହଯୋଗ ଯୋଗେଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ | ଯେହେତୁ ମହିଳା ଜଣକ ଅନେକ ଦିନରୁ ଗାଁରେ ରହି ମଧ୍ୟ ଉପରକୁ ଏ ବିଷୟରେ ଜଣେଇନଥିଲେ ତାଙ୍କୁ ଇତିମଧ୍ୟରେ ଗାଁର ଅଙ୍ଗନବାଡି କର୍ମୀଙ୍କୁ ତାଙ୍କ ଉପରିସ୍ଥ ଅଧିକାରୀ ତାଗିଦ କରିଥିଲେ |ସୌଭାଗ୍ୟ ବଶତଃ ସେହି ପାଖାପାଖି  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଘର ସର୍ଭେ କରି ଯାଇଥିବା ବିଡିଓ ପଦ୍ମନାଭ ସାମନ୍ତରାୟ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ, ବିଜେପୁରର  ଜିପରେ ବସେଇ ଉକ୍ତ ବୃଦ୍ଧା ମହିଳାଙ୍କୁ ବିଜେପୁର ନିକଟସ୍ଥ ପାର୍ବତୀଗିରୀ ବୃଦ୍ଧାଶ୍ରମରେ ଥଇଥାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି |ଉଦ୍ଧାର ପ୍ରକ୍ରିୟା ସମୟରେ  ସ୍ଥାନୀୟ ସରପଞ୍ଚ ତୀର୍ଥବାସୀ ବରିହା ଆଉ ଗ୍ରାମର ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ | ଉଦ୍ଧାର କରାଯାଇଥିବା ସମୟରେ ଉକ୍ତ ବୃଦ୍ଧା ମହିଳା ଜଣକ ଅଶ୍ୱିନୀ ଦାସଙ୍କ ଘରେ ଥିଲେ ଏବଂ ତାଙ୍କୁ ସାଦରରେ ଖାଇବା ବ୍ୟବସ୍ଥା କରିଥିଲେ |  ଅଶ୍ୱିନୀ ଦାସଙ୍କ ଏହି ମଣିଷପଣିଆ ତଥା ତାଙ୍କ ଅନୁରୋଧ କ୍ରମେ ବିଜେପୁର ବ୍ଲକ ପ୍ରଶାସନର ତତ୍ପରତା କୁ ଲୋକେ ଭୁୟସୀ ପ୍ରଶଂସା କରିଛନ୍ତି |

Leave A Reply

Your email address will not be published.