କୋଭିଡ୍ ସଚେତନତା ରଥର ଶୁଭାରମ୍ଭ : ସାମାଜିକ ଦୂରତା ଓ ଟୀକାକରଣ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକେ ଅଂଶ ଗ୍ରହଣ କରନ୍ତୁ : ଜିଲ୍ଲାପାଳ 

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଓଡ଼ିଆ ଭାଷା , ସାହିତ୍ୟ ଓ  ସଂସ୍କୃତି ବିଭାଗ , ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ୟୁନିସେଫ୍ ଓଡ଼ିଶାର ମିଳିତ ଉଦ୍ୟମରେ ୧୦ଟି ଜିଲ୍ଲାରେ କୋଭିଡ୍ ବିରୁଦ୍ଧରେ ସଚେତନତା ବାର୍ତ୍ତା ଦେଉଥିବା ରଥ ବାହାରିଛି । 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ଦିନ କରୋନା ସଚେତନତା ରଥକୁ ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । 

କୋଭିଡ୍ ସମ୍ବନ୍ଧୀୟ ବିଭିନ୍ନ ବାର୍ତ୍ତାକୁ ଅଡିଓ ଓ ଭିଡିଓ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ଅଭିଯାନରେ ଏହା ସାମିଲ ହେବ। ଏହି ରଥ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଏବଂ ପଞ୍ଚାୟତ ମାନଙ୍କରେ ଭ୍ରମଣ କରି କୋଭିଡ୍ ସମ୍ପର୍କୀୟ ବିଭିନ୍ନ ସଚେତନତା ବାର୍ତ୍ତା ଚଳଚ୍ଚିତ୍ର ଏବଂ ଅଡିଓ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବ । 

ଏହା ସହିତ ରଂଜନ କୁମାର ଦାସଙ୍କ ଦ୍ୱାରା ଲିଖିତ ସଚେତନତା କାହାଣୀ ” କେଉଁ ବେଳାରେ ଆସିଲା ଏ କରୋନା ଭୂତାଣୁ ” , ସ୍ୱରସଂଯୋଜନା ବାସୁଦେବ ମାଳବିଶୋଇ ଏବଂ ଅବନୀ ମିଶ୍ରଙ୍କ ଦ୍ୱାରା ରଚିତ ଗୀତ “ହାତ ଅଟେ ଅମୂଲ୍ୟ ରତ୍ନ”  ଓ “ନାଗର ନାଗରୀ “।  ଗୀତ ଏବଂ ଚଳଚ୍ଚିତ୍ରର ତାଳେ ତାଳେ ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ଯାଇ ଲୋକଙ୍କ ପାଖରେ ପହଞ୍ଚିବ । 

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା , ତହସିଲଦାର ଅଚ୍ୟୁତାନନ୍ଦ ଜାନି , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଅବସରପ୍ରାପ୍ତ ପର୍ଯ୍ୟଟନ ଅଧିକାରୀ ରାମଚନ୍ଦ୍ର ପାଢୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରଭାକର ତ୍ରିପାଠି ପ୍ରମୁଖ ଉପସ୍ଥିତ ଥିଲେ। 

ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସାହା ସାମ୍ବାଦିକଙ୍କୁ କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହର ବର୍ତ୍ତମାନ ଚାଲିଛି। ଲୋକେ ସାମାଜିକ ଦୂରତା  , ନାକ ଓ ପାଟି ଘୋଡେଇ ମାସ୍କ ପିନ୍ଧିବା , ବାହାରର ରୁ ଘରକୁ ଗଲେ ସାବୁନ୍ ରେ ହାତ ଧୋଇବା , କୋରନା ଲକ୍ଷଣ ଦେଖାଗଲେ ସ୍ୱାସ୍ଥ୍ୟ ପରୀକ୍ଷା କରିବା , ଲକ୍ ଡାଉନ୍ ଓ ସଟ୍ ଡାଉନ୍ କୁ ମାନିବା ଓ କରୋନା ଟୀକାକରଣ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକେ ଯେମିତି ଅଂଶ ଗ୍ରହଣ କରନ୍ତୁ ବୋଲି କହିଥିଲେ।

Leave A Reply

Your email address will not be published.