ଆକାଶମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ ସହ ବିପନ୍ନଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ

0 2

ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା ରହିଛି – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଶାସକ ପ୍ରଶାସକ)  – ସାମୁଦ୍ରିକ ବାତ୍ୟା “ୟଶ୍” ଦ୍ୱାରା ପ୍ରଭାବିତ ଅଂଚଳରେ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରବିବାର ଆକାଶମାର୍ଗରୁ ବାତ୍ୟା ଦ୍ୱାରା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜଗତସିଂହପୁର ଜିଲ୍ଲାର ପାରାଦୀପ, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜନଗର, ଭଦ୍ରକ ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି ଏବଂ ଧାମରା ଅଂଚଳ ପରିଦର୍ଶନ ସହ କରିବା ସହ ସ୍ଥିତି ଅନୁଧ୍ୟାନ ଏବଂ ବିପନ୍ନଙ୍କ ସହ କଥା ହେବା ପରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ଏହି ସବୁ ଅଂଚଳକୁ ଆକାଶମାର୍ଗରୁ ସ୍ଥିତି ପରଖିବା ପରେ ଧାମରା ବନ୍ଦର ସ୍ଥିତ ହେଲିପ୍ୟାଡରେ ଅବତରଣ କରିଥିଲେ । ପରେ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଭଦ୍ରକ ଜିଲ୍ଲା ଦୋସିଙ୍ଗା ଗ୍ରାମପଂଚାୟତର ସମିପାଟିଆ, ଓରାମାଳ, ଜାଗୁଳା ଗ୍ରାମପଂଚାୟତର ପାଇକ ସାହି ଏବଂ ଧାମରା ଗ୍ରାମପଂଚାୟତର ଝାଡ଼କାଟି ସମେତ ଅନେକ ଗାଁ ପ୍ରତ୍ୟକ୍ଷ ଭାବେ ବୁଲି ଦେଖିବା ସହ ବାତ୍ୟା ବିପନ୍ନଙ୍କ ପରିସ୍ଥିତି ସମ୍ପର୍କରେ ବୁଝିଥିଲେ ।

ଏହା ପରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ ସାମୁଦ୍ରିକ ବାତ୍ୟା ‘ୟଶ୍’ର ସିଧାସଳଖ ପ୍ରଭାବ ଭଦ୍ରକ ଜିଲ୍ଲା ଉପରେ ପଡିଥିଲା । ଦୁଇ ଦିନ ତଳେ ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭଦ୍ରକ ଜିଲ୍ଲା  ସମେତ ଅନ୍ୟ ବାତ୍ୟା ପ୍ରଭାବିତ ଅଂଳକୁ ପରିଦର୍ଶନ କରିଥିଲି । ସୋମବାର ଦୋସିଙ୍ଗା ପଂଚାୟତର ବିଭିନ୍ନ ଅଂଚଳକୁ ପ୍ରତ୍ୟକ୍ଷ ଭାବେ ପରିଦର୍ଶନ କଲି । ଲୋକମାନଙ୍କ ସହ କଥା ହେବା ସମୟରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ବୁଝିଲି । ଲୋକମାନେ ଏବେ ବି ପାାଣିଘେରରେ ବନ୍ଦୀ ହୋଇ ବହୁତ ଦୁଃଖ କଷ୍ଟରେ ରହିଥିବା ବେଳେ ଅନେକ ଚାଷ ଜମି ନଷ୍ଟ ହୋଇଯାଇଛି । ତେବେ ପ୍ରଭାବିତ ଗ୍ରାମାଂଚଳରେ ଅଧିକ କଲଭର୍ଟ୍ ତିଆରି କରାଗଲେ ପାଣିର ଶୀଘ୍ର ନିଷ୍କାସନ ହୋଇପାରିବ ଏବଂ ସ୍ଥାୟୀ ଭାବରେ ଲୋକମାନେ ଆଉ ପାଣି ଘେରରେ ରହିବେନି । ଏହି ଅଂଚଳରେ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ପ୍ରଭାବିତ ଅଂଚଳ ଗସ୍ତ ଅବସରରେ ଶ୍ରୀ ପ୍ରଧାନ ବାତ୍ୟା ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ପରଷିବା ସହ ପଲିଥିନ, ରିଲିଫ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ କରିଥିଲେ । ସୂଚନାଯୋଗ୍ୟ, ଆସନ୍ତାକାଲି ଶ୍ରୀ ପ୍ରଧାନ ବାତ୍ୟା ପ୍ରଭାବିତ ବାଲେଶ୍ୱର ଜିଲ୍ଲାର ତ୍ରିକୋଣିଆ ଏବଂ ସାରଥା ଗ୍ରାମପଂଚାୟତର ବିଭିନ୍ନ ଗାଁକୁ ଯାଇ ବିପନ୍ନଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.