ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରୀୟ ସହାୟତାକୁ ନେଇ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବା ବନ୍ଦ ରୁହନ୍ତୁ : ନିରଞ୍ଜନ*

0 2

ଭୁବନେଶ୍ୱର(ଶାସକ ପ୍ରଶାସକ)- ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟ ଏବଂ କେନ୍ଦ୍ର ଉଭୟ ପରସ୍ପର ପରିପୂରକ । ସଙ୍ଘୀୟ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ତାଙ୍କର ପ୍ରାପ୍ୟ ଅର୍ଥ ଯୋଗାଇ ଦେଇଥାନ୍ତି । ବସ୍ତୁତ ମୂଳ ପ୍ରସଙ୍ଗଟି କେନ୍ଦ୍ର ସରକାର ଯେଉଁ ଆୟ କରନ୍ତି ତାହା ସମସ୍ତ ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳରୁ ହିଁ ହୋଇଥାଏ । ତେଣୁ କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ଯେଉଁ  ଅର୍ଥ ଦେଇଥାନ୍ତି ତାହା ରାଜ୍ୟର ଅଂଶଧନ ଅଟେ । ୟାସ ବାତ୍ୟାର ପ୍ରକୋପ ନଥମିବା ପୂର୍ବରୁ ରାଜ୍ୟରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କର ଟୁଇଟର ଯୁଦ୍ଧ ଅତ୍ୟନ୍ତ ଅରୁଚିକର ଏବଂ କେଉଁଠି ନା କେଉଁଠି ଏହା ସଂଘୀୟ ବ୍ୟବସ୍ଥାର ପରିପନ୍ଥି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ କିସ୍ତି ୬୪୧.୬ କୋଟି, ଯାହା ରାଜ୍ୟର ପାଇବାର ହକ ତାହାକୁ  କେନ୍ଦ୍ର ଅର୍ଥମନ୍ତ୍ରୀ ମେ ମାସ ୧ ତାରିଖରେ ରାଜ୍ୟକୁ ଦେଇଛନ୍ତି । ଏହି ଅର୍ଥ ରାଜ୍ୟ ସରକାର ମେ ମାସ ୩୧ ତାରିଖ ସୁଦ୍ଧା ପାଇବା କଥା । ତେଣୁ ଏ ଅର୍ଥ ଅଗ୍ରୀମ ଆକାରରେ ପଠାଯାଇଅଛି । କିନ୍ତୁ ଏହି ଅଗ୍ରୀମ ଟଙ୍କା ପଠାଇବା ପଛରେ ଯଦି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କର ଚିଠିଟିକୁ ପଢ଼ାଯାଏ ତାହାହେଲ ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଏହି ଟଙ୍କା ରାଜ୍ୟକୁ ଦିଆଯାଇଥିଲା କୋଭିଡ ପରିଚାଳନା, ଭେଂଟିଲେଟର, ଅତ୍ୟାବଶକୀୟ ଔଷଧପତ୍ର ଏବଂ ହସପିଟାଲର ବେଡ ଇତ୍ୟାଦି ବୃଦ୍ଧି କରିବା ପାଇଁ । କିନ୍ତୁ ଏହି ଅର୍ଥ କୌଣସି ପ୍ରକାରର ବାତ୍ୟା ଜନିତ କ୍ଷୟକ୍ଷତି ପାଇଁ ଦିଆଯାଇ ନଥିଲା । ବାତ୍ୟା ଆସିବା କଥା ମେ ମାସ ୨୨ ତାରିଖରୁ ଜଣାପଡ଼ିଲା । ତେଣୁ କିଭଳି ଭାବରେ କେନ୍ଦ୍ରମନ୍ତ୍ରୀ ଦ୍ୱୟ ନିଜର ସାମାନ୍ୟ ଜ୍ଞାନକୁ ଭୁଲିଯାଇ ଗଣମାଧ୍ୟମରେ ଏବଂ ରାଜ୍ୟବାସୀଙ୍କ ଆଗରେ ମିଛ ତଥ୍ୟ ରଖୁଛନ୍ତି । କେହି କେହି ମନ୍ତ୍ରୀ ଗଣମାଧ୍ୟମରେ ଏବଂ ସାମାଜିକ ଗଣମାଧ୍ୟମରେ ମଧ୍ୟ କହିପାରୁଛନ୍ତି ଯେ ବାତ୍ୟାର ୨୪ ଘଂଟା ନପୁରୂଣୁ ମୋଦି ଓଡ଼ିଶାକୁ ବାତ୍ୟା କ୍ଷୟକ୍ଷତି ପ୍ରଦାନ କଲେ ଏହା ମୋଦିଙ୍କର ଐତିହାସିକ ନିଷ୍ପତି । ଏଭଳି ମିଛ ଏବଂ ଅପପ୍ରଚାର କରିବାରେ କେନ୍ଦ୍ର ମନ୍ତ୍ରୀ ଦ୍ୱୟଙ୍କୁ କେଉଁ ଆନନ୍ଦ ମିଳୁଛି । ରାଜ୍ୟବାସୀଙ୍କୁ ପ୍ରତାରିତ କରିବା ପରିବର୍ତେ ରାଜ୍ୟବାସୀଙ୍କ ସ୍ୱାର୍ଥପାଇଁ ଲଢ଼ିବା ଦରକାର । କାହାର ବ୍ୟକ୍ତିଗତ ଛବି ପୂଜା କଲେ ରାଜ୍ୟର କିଛି ପ୍ରଗତି ହେବ ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.