କଫ ସିରପ ଚୋରା ଚାଲାଣ ଅଭିଯୋଗରେ ୫ ଗିରଫ। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ)-ରାଜ୍ୟର ବିଭିନ୍ନ ଜିଲ୍ଲାରେ କଫ ସିରପର ଚୋରା କାରବାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବାରମ୍ବାର ପୋଲିସ ଏହି କାରବାରରେ ଲିପ୍ତ ଥିବା ଅପରାଧୀଙ୍କୁ ଧରପଗଡ଼ କରିବା ସତ୍ତ୍ବେ ଏହାର ବିକ୍ରିକୁ ବନ୍ଦ କରିବା ଦୂର ଦୂର ପର୍ଯ୍ୟନ୍ତ ସମ୍ଭବ ମନେ ହେଉନାହିଁ। ଆଇନକୁ ଫାଙ୍କି ନିଜ ଵ୍ୟବସାୟକୁ ଚଳାଇବାରେ ଏହି ଅସାମାଜିକ ତତ୍ତ୍ୱଗୁଡ଼ିକ ଆହୁରି ତତ୍ପର ହୋଇ ଉଠୁଛନ୍ତି ।

ଆଜି ଝାରସୁଗୁଡ଼ାର ବେହେରାମାଲଠାରେ କୋଭିଡ-19 ପାଇଁ କର୍ତ୍ତବ୍ୟରତ ଏକ ପୋଲିସ ଟିମ ନଜରରେ ସମ୍ବଲପୁର ଅଭିମୁଖେ ଏକ ଗାଡ଼ି ଆସିଥିଲା। ଗାଡ଼ିରେ ଥିବା ଯାତ୍ରୀମାନଙ୍କ ହାବଭାବରୁ ପୋଲିସର ସନ୍ଦେହ ହେବାରୁ ଏହାକୁ ଯାଞ୍ଚ କରାଯାଇଥିଲା। ଗାଡ଼ିରେ ୧୦ ପ୍ୟାକେଟ ଅର୍ଥାତ୍ ୧୨୦୦ ବୋତଲ କଫ ସିରପ ପୋଲିସ ହାତରେ ଧରା ପଡ଼ିଥିଲା। ଗାଡ଼ିକୁ ଜବତ କରିବା ସମୟରେ ଘଟଣା ସ୍ଥଳରୁ ଦୁଇ ଜଣ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ମାତ୍ର ପୋଲିସ ବାକି ପାଞ୍ଚ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। 

ଘଟଣାସ୍ଥଳରେ ଗିରଫ ହୋଇଥିବା ପାଞ୍ଚଜଣ ହେଲେ ଅଙ୍କୁଶ ଭଗତ(28), ଶେଖ ଅମଜଦ (37),ଗୁଲାମ ଅସରଫ (29),ଭରତ ସିଂ ଯାଦବ(42) ଓ ଅମିତ ସାହୁ (29)। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ଅନେକ କେସ ରହିଥିବା ଜଣାପଡ଼ିଛି। ପୋଲିସ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଫେରାର ହୋଇଥିବା ଦୁଇଜଣଙ୍କୁ ତଲାସ କରୁଥିବା ସୂଚନା ମିଳିଛି।

Leave A Reply

Your email address will not be published.