କଟକ ବୋର୍ଡ ଅଫ୍ ସେକେଣ୍ଡାରୀ ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ମନ୍ତ୍ରୀ ପ୍ରତାପ ଜେନା

0 2

ଭୁବନେଶ୍ୱର(ଶାସକ ପ୍ରଶାସକ) ମୋ’ସ୍କୁଲ ଯୋଜନାରେ ବିଭିନ୍ନ ସ୍କୁଲକୁ ପୋଷ୍ୟ ଭାବେ ଆପଣାଇ ଏହାର ବିକାଶ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେବା ପରେ ମନ୍ତ୍ରୀ, ବିଧାୟକଙ୍କ ଠାରୁ ଆରମ୍ଭ କରି ପ୍ରଶାସକ ତଥା ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ରାଜ୍ୟର ବିଭିନ୍ନ ଅଂଚଳର ସ୍କୁଲକୁ ସବୁ ପୋଷ୍ୟଭାବେ ଗ୍ରହଣ କରିଛନ୍ତି  । ଏହି କ୍ରମରେ ପଂଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କଟକର ବୋର୍ଡ ଅଫ୍ ସେକେଣ୍ଡାରୀ ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି  । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ତଥା ମୋ ସ୍କୁଲ ଅଭିଯାନ ପରିଚାଳନା ସଂସ୍ଥା ଉପାଧ୍ୟକ୍ଷ ସତ୍ୟବ୍ରତ ସାହୁ ପତ୍ର ଲେଖି ପୋଷ୍ୟ ସ୍କୁଲ ପାଇଁ କଣ କଣ କରାଯାଇପାରେ ସେ ସଂପର୍କରେ ଅବଗତ କରାଇ ଏ ସବୁ ବ୍ୟତୀତ ଏପରି କିଛି କରିବା ଆବଶ୍ୟକ ଯାହାକି ଅନ୍ୟମାନଙ୍କ ପାଇଁ ନିର୍ଣ୍ଣାୟକ ବିନ୍ଦୁ ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି  ।

ପ୍ରକାଶ ଥାଉକି ଦେଶ ସ୍ୱାଧୀନତା ପ୍ରାପ୍ତି ପରବର୍ତି ସମୟରେ ଦେଶର ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ମାଧ୍ୟମିକ ଶିକ୍ଷାର ବିକାଶ ପାଇଁ ୧୯୫୨-୫୩ ମସିହାରେ ମୁରଲିଧର କମିଶନଙ୍କ ରିପୋର୍ଟ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଥିଲା  । ସେହି ଅନୁଯାୟୀ ତତ୍କାଳିନ ଓଡ଼ିଶା ରାଜ୍ୟର ଶିକ୍ଷା-ନୀତି ନିର୍ଦ୍ଧାରକ ମାନେ ରାଜ୍ୟର କଟକ, ସମ୍ବଲପୁର ଓ ବ୍ରହ୍ମପୁର ଠାରେ ୩ ଗୋଟି ମଡେ଼ଲ ହାଇସ୍କୁଲ ପ୍ରତିଷ୍ଠା କରିବାର ନିଷ୍ପତି ଗ୍ରହଣ କରିଥିଲେ  । ସେହି ଅନୁଯାୟୀ ୧୯୫୮ ମସିହାରେ କଟକ ବୋଡର଼୍ ଅଫ୍ ସେକେଣ୍ଡାରୀ ହାଇସ୍କୁଲ ନିର୍ମାଣ ଆରମ୍ଭ କରାଯାଇ ୧୯୫୯ ଅଗଷ୍ଟ ମାସ ୩ ତାରିଖରେ ୧୪୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି ସ୍କୁଲ ଆରମ୍ଭ ହୋଇଥିଲା  । ବର୍ତମାନ ଏହା ଆମ ରାଜ୍ୟ ତଥା ଦେଶର ଏକ ପ୍ରମୁଖ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ  । ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଏହି ସ୍କୁଲ ଛାତ୍ର  । ଏଣୁ ନିଜେ ଶିକ୍ଷା ଗ୍ରହଣ କରିଥିବା ଏହି ମହାନ ଅନୁଷ୍ଠାନର ବିକାଶ ନିମନ୍ତେ ମନ୍ତ୍ରୀ ଶ୍ରୀ ଜେନା ଉକ୍ତ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରି ଏହି ସ୍କୁଲର ବିକାଶ ନିମନ୍ତେ ସବୁ ପ୍ରକାର ଉଦ୍ୟମ କରିବେ ବୋଲି କହିଛ  । 

Leave A Reply

Your email address will not be published.