ଝାରସୁଗୁଡ଼ା :(ସୁଭାଷ ସହାରେ)- ରାଜ୍ୟବ୍ୟାପୀ କୃଷକ ଅଧିକାର ଯାତ୍ରାକୁ ଝାରସୁଗୁଡ଼ାରେ ଭବ୍ୟ ସ୍ବାଗତ କରାଯାଇଛି । ଦାଣ୍ଡିମାର୍ଚ୍ଚ ଦିବସରୁ ଭୁବନେଶ୍ବର ଠାରୁ ବାହାରିଥିବା କୃଷକ ଅଧିକାର ଯାତ୍ରା ଗୁରୁବାର ଅପରାହ୍ନ ୧ଟାରେ ବଡ଼ମାଲ ଛକ ଠାରେ ପହଞ୍ଚିବା ପରେ ଝାରସୁଗୁଡ଼ା କୃଷକ, ଶ୍ରମିକ ଓ ଗଣସଂଗଠନର ମିଳିତ ମଞ୍ଚ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପୂର୍ବରୁ ଖିଣ୍ଡା ଛକ ଠାରେ ଲୋକମୁକ୍ତି ସଂଗଠନ ପକ୍ଷରୁ ଏହି ଯାତ୍ରାକୁ ସ୍ବାଗତ କରାଯିବା ସହିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଝାରସୁଗୁଡ଼ା ସହରରେ ଏହି ଯାତ୍ରାକୁ ବାଇକ ଶୋଭାଯାତ୍ରାରେ ଅଣାଯାଇ ସୁନାରୀମୁଣ୍ଡା-ଚୌକିପଡ଼ା ଛକ-ବେହେରାମାଲ ରାସ୍ତାରେ ବମ୍ବେଛକ ଦେଇ ଗୋଣ୍ଡୱାନା ନିକଟ ସମ୍ମେଳନ ସ୍ଥଳରେ ଶୋଭାଯାତ୍ରା ପହଞ୍ଚିବା ପରେ ସଭା ଅନୁଷ୍ଠିତ ହୋଇଥିଲା । ଏହାପୂର୍ବରୁ ସୁନାରୀମୁଣ୍ଡା ଠାରେ ଆମ୍ବେଦକର ଓ ବସଷ୍ଟାଣ୍ଡ ଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଆୟୋଜିତ ସଭାରେ ନେତୃବୃନ୍ଦ କେନ୍ଦ୍ର ସରକାରଙ୍କ ତିନି କଳା କୃଷି ଆଇନକୁ ବିରୋଧ କରିବା ସହିତ ଏହା ଚାଷୀ ଓ ଖାଉଟି ବିରୋଧୀ ବୋଲି ବର୍ଣ୍ଣନା କରିଥିଲେ । କେନ୍ଦ୍ର ସରକାର କେବଳ ତାଙ୍କର କେତେକ ପ୍ରିୟ ପୁଞ୍ଜିପତିଙ୍କୁ ଲାଭ ପହଞ୍ଚାଇବା ପାଇଁ ତିନିଟି ଆଇନ ଅଗଣତାନ୍ତ୍ରିତ ଉପାୟରେ ପାରିତ କରିଛନ୍ତି, ସଂସଦରେ ନିଜର ସଂଖ୍ୟାବଳ ଥିବାରୁ କେନ୍ଦ୍ରର ମୋଦି ସରକାର ମନଇଚ୍ଛା ଆଇନ ପ୍ରଣୟନ କରି ଦେଶର ଚାଷୀ ଓ ଶ୍ରମିକଙ୍କୁ ତଳିତଳାନ୍ତ କରିବାର ଚକ୍ରାନ୍ତ ଚଳାଇଛି ବୋଲି ଅଭିଯୋଗ କରିଥିଲେ । ଚାଷୀନେତା ଲିଙ୍ଗରାଜ ତିନିଟି ଯାକ ଆଇନର ତର୍ଜମା କରି କହିଥିଲେ ଯେ, ଏହାଫଳରେ ମଣ୍ଡି ବ୍ୟବସ୍ଥା ଶେଷ ହେବା ସହିତ ଅନେକ ଦ୍ରବ୍ୟରେ ସର୍ବନିମ୍ନ ସହାୟକ ମିଳିବ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଉଚ୍ଛେଦ ହେବା ଫଳରେ ଜମାଖୋରୀ ବଢ଼ିବା ସହିତ ଦରଦାମ ଅନିୟନ୍ତ୍ରିତ ହେବ, ତାହାର ପ୍ରଭାବ ଏବେ ଠୁ ଅନୁଭୂତ ହେଲାଣି । ତା ଛଡ଼ା ଚୁକ୍ତିଭିତ୍ତିକ ଚାଷରେ କଣ୍ଟ୍ରାକ୍ଟ କରିଥିବା କମ୍ପାନୀ ଠକିଦେଲେ ବି ଚାଷୀ ପାଖରେ ନ୍ୟାୟାଳୟକୁ ଯିବାର ବିକଳ୍ପ ରହିବ ନାହିଁ । ସମଗ୍ର ଦେଶର ଚାଷୀ ଏହି ଅଗଣତାନ୍ତ୍ରିକ ଆଇନ ବିରୋଧରେ ଦିଲ୍ଲୀର ବିଭିନ୍ନ ସୀମାରେ ଗତ ୪ମାସ ହେଲା ଆନ୍ଦୋଳନରତ ଥିଲେ ହେଁ ଅହଂକାରୀ କେନ୍ଦ୍ର ସରକାର କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଆଗେଇ ଆସୁନାହିଁ ବୋଲି ଅଭିଯୋଗ କରିଥିଲେ । ଅନ୍ୟ ବକ୍ତାମାନେ ୪୪ଟି ଶ୍ରମ ଆଇନ େଶଷ କରି କେବଳ ୪ଟି ଆଇନ କରାଯିବାକୁ ଦୃଢ଼ ବିରୋଧ କରିଥିଲେ । ଏହି ସଭାରେ ବିଜୟ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ସାମନ୍ତରା, ସରୋଜ, କ୍ଷୀରୋଦ ସିଂଦେଓ, ରାଜଚନ୍ଦ୍ର ମୁଦୁଲି, ଭାଲଚନ୍ଦ୍ର ଷଡ଼ଙ୍ଗୀ, ଯମେଶ୍ବର ସାମନ୍ତରା, ହରିଶଙ୍କର ମିଶ୍ର, ଅଭିରାମ ବେହେରା, କୁଶ ପ୍ରଧାନ, ରବିଚନ୍ଦ୍ର ପ୍ରଧାନ, ମାନସ ପଟ୍ଟନାୟକ, ରାଜକିଶୋର ସୁନାନୀ, କିଶୋର, ନରେନ୍ଦ୍ର ମହାନ୍ତିି ପ୍ରମୁଖ ବିଭିନ୍ନ ସଂଗଠନର ନେତୃବୃନ୍ଦ ଓ ଅଭିଯାତ୍ରୀ ଉପସ୍ଥିତ ଥିଲେ । ଏହି ଯାତ୍ରା ଅାସନ୍ତା ୨୩ତାରିଖ ସହିଦ ଭଗତ ସିଂଙ୍କ ସହିଦ ଦିବସେର ଭୁବନେଶ୍ବର ଠାରେ ସମାପ୍ତ ହେବ ବୋଲି ସୂଚନା ଦିଆଯାଇଛି । .
Sign in
Sign in
Recover your password.
A password will be e-mailed to you.