ଭାରତର ପ୍ରଥମ ଦନ୍ତ ଚିକିତ୍ସା ଅନୁଷ୍ଠାନ ଭାବେ କୋକ୍ରେନ୍ ସ୍ୱୀକୃତି ପାଇଲା ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସେସ୍

0 2

ଭୁବନେଶ୍ୱର : ଭାରତର ପ୍ରଥମ ଏବଂ ଏକମାତ୍ର ଦନ୍ତ ଚିକିତ୍ସା ଅନୁଷ୍ଠାନ ଭାବେ କୋକ୍ରେନ୍ ଇଣ୍ଡିଆ ନେଟୱାର୍କ ଅଧିନସ୍ଥ କୋକ୍ରେନ୍ ମାନ୍ୟତା ପାଇବାରେ ସଫଳତା ଅର୍ଜନ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍ସ ଇନଷ୍ଟିଟ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସେସ୍ ।

୧୯୯୩ ମସିହାରେ ପ୍ରତିଷ୍ଠିତ କୋକ୍ରେନ୍ ହେଉଛି ଏକ ବ୍ରିଟିଶ  ଅଣ ଲାଭକାରୀ ସଂସ୍ଥା ଯାହାକି ବିଶ୍ୱ ସ୍ତରରେ ଗବେଷକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ରୋଗୀ ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ନୀତି ପ୍ରଣେତାଙ୍କୁ ନେଇ କାର୍ଯ୍ୟ କରିଥାଏ ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତମ ସୁଯୋଗ ସୃଷ୍ଟି କରିବା ନିମନ୍ତେ ସାହାଯ୍ୟ କରିଥାଏ ।

ଏହି ଅନୁଷ୍ଠାନ ଡାକ୍ତରୀ ଏବଂ ମୁଖ ଗହ୍ୱର ସ୍ୱାସ୍ଥ୍ୟ ସମ୍ପର୍କିତ ଗବେଷଣା କରିବା ସହ ଉପଯୁକ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପଲବ୍ଧ କରିବାରେ ସାହାଯ୍ୟ କରିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଜଡିତ ଥିବା ଏହି ଅନୁଷ୍ଠାନ ଜନସାଧାରଣଙ୍କ ସହଯୋଗରେ କାର୍ଯ୍ୟ କରେ ।

ସୋଆ ପକ୍ଷରୁ ଉପଯୁକ୍ତ ଆବେଦନ ପ୍ରକ୍ରିୟା, ଭିତିଭୂମି ଓ ସହାୟତା ତଥା ଭୁବନେଶ୍ୱର ସ୍ଥିତ ଇନଷ୍ଟିଟ୍ୟୁଟ ଅଫ୍ ଲାଇଫ୍ ସାଇନ୍ସେସର  ସହଯୋଗ ଯୋଗୁଁ ଏହି ମାନ୍ୟତା ମିଳିପାରିଛି ବୋଲି ଆଇଡିଏସର  ଡିନ୍ ପ୍ରଫେସର ନୀତା ମହାନ୍ତି କହିଛନ୍ତି । ଉନ୍ନତମାନର ଏବଂ ବୈଜ୍ଞାନିକ ପଦ୍ଧତିରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଆଇଡିଏସର  ଲକ୍ଷ୍ୟ ଯାହା ଦ୍ୱାରା ଲୋକମାନେ ଚିକିତ୍ସା ସମ୍ପର୍କିତ ଉପଯୁକ୍ତ ସୂଚନା ପାଇପାରିବେ ବୋଲି ସେ କହିଥିଲେ ।

କୋକ୍ରେନ୍ ଇଣ୍ଡିଆ ନେଟୱାର୍କ ସହ ଜଡିତ ଥିବା ଅନ୍ୟ ପ୍ରମୁଖ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକ ମଧ୍ୟରେ ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ, ଭେଲୋର, ଟାଟା ମେମୋରିଆଲ୍ ସେଂଟର୍, ମୁମ୍ବାଇ, ଏମ୍ସ, ନୂଆଦିଲ୍ଲୀ, ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ, ଚଣ୍ଡିଗଡ ଓ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଅଛନ୍ତି । 

Leave A Reply

Your email address will not be published.