ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ରୋକିବା ନିମନ୍ତେ ପ୍ରଶାସନ ପକ୍ଷରୁ ପଦକ୍ଷେପ 

0 2

ବ୍ଲକ ସ୍ତରର ଓ ପଞ୍ଚାୟତ ସ୍ତରର କମିଟି ଗୁଡିକୁ ମଜବୁତ କରିବା ପାଇଁ ତାଲିମ ଶିବିର 

ରାୟଗଡା(ସରୋଜ କୁମାର ସାହୁ) : ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ରୋକିବା ନିମନ୍ତେ ବ୍ଲକ ସ୍ତରର ଓ ପଞ୍ଚାୟତ ସ୍ତରର କମିଟି ଗୁଡିକୁ ମଜବୁତ କରିବା ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଆବାହିକା ତଥା ଆଇସିଡିଏସ ସୁପରଭାଇଜର ଓ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଆବାହିକା ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ ତାଲିମ ପ୍ରକ୍ରିୟାରେ ପ୍ରଥମ ଦିନ କାଶୀପୁର, କଲ୍ୟାଣ ସିଂପୁର, କୋଲନରା, ବିଷମକଟକ ଓ ମୁନିଗୁଡା ବ୍ଲକର ସମସ୍ତ ସିଡିପିଓ ଓ ଆଇସିଡିଏସ ସୁପରଭାଇଜର ଯୋଗ ଦେଇଥିଲେ ସେହିପରି ଆସନ୍ତା ୧୬ ତାରିଖ ଦିନ ଗୁଡାରି, ଗୁଣୁପୁର, ରାମନାଗୁଡା, ରାୟଗଡ ଓ ଚନ୍ଦ୍ରପୁର ବ୍ଲକର ସିଡିପିଓ ଓ ଆଇସିଡିଏସ ସୁପରଭାଇଜର ମାନେ ଯୋଗଦେବେ । 

ଏହି ତାଲିମ ଶିବିର ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ଓ କିଶୋରୀ ମାନଙ୍କୁ ସଶକ୍ତ କରିବା ପାଇଁ ଯେଉଁ କାର୍ଯ୍ୟକ୍ରମ ଗୁଡିକୁ ହାତକୁ ନିଆଯାଉଛି ସେ ସବୁ କାର୍ଯ୍ୟ ମଧ୍ୟରେ ଉଭୟ ପଞ୍ଚାୟତ ଓ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଏକ ଗୁରୁତ୍ବପୂର୍ଣ ଭୂମିକା ରହିଛି । ଯଦି ଏହି କମିଟି ଗୁଡିକ ମଜବୁତ ହୋଇ ନିଜ ଅଞ୍ଚଳରେ ଗତିଶୀଳ ହୋଇ କାର୍ଯ୍ୟ କରିବେ ତେବେ ଶିଶୁ ସୁରକ୍ଷା ସହିତ ବାଲ୍ୟ ବିବାହ ରୋକିବା, ଶିଶୁ ଶ୍ରମିକ ରୋକିବା ଭଳି ସମସ୍ୟା ଗୁଡିକୁ ତଦାରଖ କରିବା ସହିତ  ଅବହେଳିତ ଶିଶୁ ମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ପାରିବ । ଆଗାମୀ ଦିନରେ ରାୟଗଡ଼ ଜିଲ୍ଲାକୁ ଏକ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବାକୁ ହେଲେ ସମସ୍ତ ସରକାରୀ କର୍ମଚାରୀ, ନିର୍ବାଚିତ ପ୍ରତିନିଧି, ନାଗରିକ ସମାଜର ପ୍ରତିନିଧି ଓ ଜାତି ସମାଜର ମୁଖ୍ୟ ମାନଙ୍କ ମଧ୍ୟରେ ଏକ ଉପଯୁକ୍ତ ଯୋଗାଯୋଗର ପ୍ରକ୍ରିୟା ନିଶ୍ଚିତ କରାଇବାର ଆବଶ୍ୟକତା ରହିଛି ତେଣୁ ସମସ୍ତଙ୍କୁ ନେଇ କିପରି ଜିଲ୍ଲାକୁ ଏକ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବା ସେହି ଉଦ୍ଦେଶ୍ୟରେ ଏହି ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । 

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ସମାଜ ମଙ୍ଗଳ ଉପ ବିଭାଗ ଦ୍ଵାରା ମିଳିତ ଭାବେ ଆୟୋଜିତ ଏହି ତାଲିମ ଶିବିରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ୱାହିଦା ବେଗମ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଯୋଗଦେଇ ଥିଲେ I ୟୁନିସେଫ ର ଜିଲ୍ଲା ପରାମର୍ଶଦାତା ଶ୍ରୀ ପ୍ରକାଶ ବାରିକ ସାଧନକର୍ମୀ ଭାବେ ଯୋଗଦେଇଥିଲେ ଏବଂ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ ଓ ଆକ୍ସନ ଏଡ ତରଫରୁ ଜିଲ୍ଲା ବାଲ୍ୟ ବିବାହ ନିଷେଧ ପରାମର୍ଶ ଦାତା ରତ୍ନେଶ୍ଵର ସାହୁ ଓ ଶିଶୁ ସୁରକ୍ଷା ୟୁନିଟ ତରଫରୁ ଆଇନ ସହାୟତା ଅଧିକାରୀ ଶ୍ରୀ ନିରାକାର ପାଢୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I ଶିଶୁ ସୁରକ୍ଷା ୟୁନିଟର ପ୍ରତାପ ଦାସ, ରଞ୍ଜିତ ମାଝୀ ଓ ଦୀପକ କୁମାର ପାଢୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.