ଅଙ୍ଗନୱାଡି କର୍ମୀଙ୍କୁ ହଟାଇବାକୁ ଦାବୀ କଲେ ଗ୍ରାମବାସୀ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ଲୋହିସିଂ ପଞ୍ଚାୟତର ନିକ୍ତିମାଲ ଗ୍ରାମବାସୀ ସ୍ଥାନୀୟ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀଙ୍କୁ ହଟାଇବାକୁ ସିଡିପିଓଙ୍କ ନିକଟରେ ଦାବି ଜଣାଇ ଏକ ଦରଖାସ୍ତ ଦେଇଛନ୍ତି। ଆଜି ଗ୍ରାମର ପୁରୁଷ ଓ ମହିଳାମାନେ ଅଙ୍ଗନୱାଡ଼ି କର୍ମୀଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା, ଶିଶୁମାନଙ୍କ ପ୍ରତି ଅତ୍ୟାଚାର ଓ ଦୁର୍ନୀତିର ଅଭିଯୋଗ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସିଡିପିଓଙ୍କ କାର୍ଯ୍ୟାଳୟକୁ ଆସିଥିଲେ।

ସୂଚନା ଅନୁଯାୟୀ, ନିକ୍ତିମାଲ ଗ୍ରାମର ଅଙ୍ଗନୱାଡ଼ି କର୍ମୀ ଭବାନୀ ନାୟକ ପ୍ରାୟତଃ କେନ୍ଦ୍ରକୁ ଆସନ୍ତି ନାହିଁ। ଅନେକ ସମୟରେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟସାମଗ୍ରୀ ଯଥା ଛତୁଆ ଓ ଅଣ୍ଡା ସେମାନଙ୍କୁ ନ ଦେଇ ଖାତାରେ ସବୁ ଦେଉଛନ୍ତି ବୋଲି ଲେଖି ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହା ବ୍ୟତୀତ ଶିଶୁମାନଙ୍କ ଅଭିଭାବକ ଅଭିଯୋଗ କଲେ କ୍ରୋଧପରବଶ ହୋଇ ଶିଶୁମାନଙ୍କୁ ମାଡ଼ଧର କରୁଛନ୍ତି,ଧମକ ଚମକ ଦେଉଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଶିଶୁମାନେ ମଧ୍ୟ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏପରିକି ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କଲେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାରିବାକୁ ମଧ୍ୟ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହା ବ୍ୟତୀତ ନିକୃଷ୍ଟ ଧରଣର ରନ୍ଧାଖାଦ୍ୟ ଦେଉଥିବା ଅଭିଯୋଗ ହୋଇଛି ଭବାନୀ ନାୟକଙ୍କ ନାମରେ। 

ତେଣୁ ଗ୍ରାମବାସୀ ତୁରନ୍ତ ଭବାନୀ ନାୟକଙ୍କୁ ବାହାର କରିବାକୁ ଦାବି ଜଣାଇଛନ୍ତି। ଏପରିକି ତାଙ୍କୁ ବାହାର ନ କରିବା ପର୍ଯ୍ୟନ୍ତ କେନ୍ଦ୍ରକୁ ନିଜ ନିଜର ଛୁଆମାନଙ୍କୁ ନ ପଠାଇବା ପାଇଁ ତଥା ଖାଦ୍ୟଦ୍ରବ୍ୟ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ।

Leave A Reply

Your email address will not be published.