ନବୀନ କହିଲେ “ମୁଁ ଯିବି”, ଧର୍ମେନ୍ଦ୍ର କହିଲେ “ମୁଁ ଯାଇଥିଲି”

0 2

କୋଟିଆ ସମସ୍ୟାର ସମାଧାନ ପାଇଁ ଓଡ଼ିଶାବାସୀ ଏକ୍ ହୋଇ ଉଦ୍ୟମ କରିବା ଦରକାର – ଧର୍ମେନ୍ଦ୍ର 

ମୁଖ୍ୟମନ୍ତ୍ରୀ କୋଟିଆ ଯିବେ ବୋଲି କହିଥିବା ବେଳେ ନିଜେ କୋଟିଆ ଯାଇଥିବା ବେଳର ଫୋଟୋ ପୋଷ୍ଟ କରି ଟ୍ୱିଟ୍ କଲେ ଶ୍ରୀ ପ୍ରଧାନ

ଭୁବନେଶ୍ୱର – ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଉପରେ ଅଧିକାର ଜାହିର୍ କରିବା ଆରମ୍ଭକରିଥିବା ବେଳେ ଦଳ ମତ ନିର୍ବିଶେଷରେ ଆମେ ସମସ୍ତେ ଓଡ଼ିଶାବାସୀ ଏକ୍ ହୋଇ ଏହି ସମସ୍ୟାର ସମାଧାନ ବାହାର କରିବାକୁ ସମୟର ସୁଦୂପଯୋଗ ଜରୁରୀ ଅଟେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି କୋଟିଆ ଅଂଚଳ ପାଇଁ କିଛି ଯୋଜନା ଘୋଷଣା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ଯିବେ ବୋଲି କହିଥିବା ବେଳେ ନିଜେ କୋଟିଆ ଯାଇଥିବା ବେଳର ଫୋଟୋ ପୋଷ୍ଟ କରି  ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଓଡ଼ିଶାର କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ସରକାର ପଂଚାୟତ ନିର୍ବାଚନ କରି ଓଡ଼ିଶାର ଅନେକ ଗାଁ ଏବଂ ପଂଚାୟତ ଉପରେ ଅଧିକାର ଜାହିର୍ କରିବା ଚିନ୍ତାର ବିଷୟ । ଏହି ଘଟଣାକୁ ନେଇ ଓଡ଼ିଶାର ଗଣମାଧ୍ୟମ, ରାଜନୈତିକ ଦଳ ଓ ସାମାଜିକ ସଂଗଠନମାନେ ଉଦବେଗ ପ୍ରକାଶ କରୁଛନ୍ତି । କୋଟିଆ ଅଂଚଳକୁ ନେଇ ଆନ୍ଧ୍ର ସହ ଆମର ବିବାଦ ଦୀର୍ଘ ବର୍ଷ ଧରି ଲାଗି ରହିଛି । ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ନହେବା ଚିନ୍ତାର ବିଷୟ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ପାଇଁ କିଛି ଯୋଜନା ଶୁଭାରମ୍ଭ କରିଛନ୍ତି ଓ ଖୁବ୍ ଶୀଘ୍ର କୋଟିଆ ଆସି ଏହାକୁ ଆଦର୍ଶ ପଂଚାୟତ କରିବେ ବୋଲି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କହିଛନ୍ତି । ତେବେ ବୋଧହୁଏ କୋଟିଆ ପ୍ରସଙ୍ଗକୁ ଯେତେ ଗୁରୁତ୍ୱର ସହ ନେବା କଥା ଆମେ ତାହା କରିବାରେ ସଫଳ ହୋଇନାହୁଁ । ଏହି ଅଂଚଳର ବିକାଶ ତଥା ସ୍ଥାନୀୟ ଭାଇ ଭଉଣୀମାନଙ୍କୁ ଭାବଗତ ଭାବରେ ଯୋଡ଼ି ରଖିବାକୁ ଯେତିକି ଗୁରୁତ୍ୱ ଦେବା କଥା ଆମେ ଦେଇନାହେଁ ।

ପୂର୍ବରୁ ମୁଁ କୋଟିଆ ଯାଇଥିଲି । ସ୍ଥାନୀୟ ଲୋକଙ୍କ ସହ ବ୍ୟକ୍ତିଗତ ଭାବରେ ଆଲୋଚନା କରିଥିଲି । କୋଟିଆ ଓ ଅନ୍ୟାନ୍ୟ ସୀମା ବିବାଦ ପ୍ରସଙ୍ଗରେ ଆମ ରାଜ୍ୟର ରାଜ୍ୟର ରାଜନୈତିକ ଦଳ ଓ ସାମାଜିକ ସଂଗଠନ ମାନଙ୍କର ମିଳିତ ବୈଠକ କରି ଏହି ପ୍ରସଙ୍ଗ ପାଇଁ ସମସ୍ତେ ମିଶି ଉଦ୍ୟମ କରିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଟ୍ୱିଟରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । 

Leave A Reply

Your email address will not be published.