ମଣ୍ଡି ରେ ଅବ୍ୟବସ୍ଥା ନେଇ ରାଜ ରାସ୍ତା ଅବରୋଧ କଲେ ଚାଷୀ

0 1

ମାଲକାନଗିରି  (ବି ଶ୍ରୀନିବାସ ପାତ୍ର)ମଣ୍ଡି ଅବ୍ୟବସ୍ଥା ନେଇ ରାସ୍ତାରୋକ କଲେ ଚାଷୀ। ଏଭଳି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସଦର ଠାରେ ଦେଖିବାକୁ ମିଳିଛି। ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର କୋରୁକୋଣ୍ଡା ସଦର ସ୍ଥିତ ଖିଲଗୁଡା ଛକ ନିକଟରେ ଶତାଧିକ ଚାଷୀ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଥିଲା। ଯାହାଫଳରେ ଦୁଇ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକି ରହିଥିବା ସହ ବିଜୁ ହେଲଥ ଏକ୍ସପ୍ରେସ କୁ ମଧ୍ୟ ଚାଷୀମାନେ ଛାଡି ନଥିଲେ। ପ୍ରତି ବର୍ଷ ସରକାର ଙ୍କ ପକ୍ଷରୁ ହେଉଥିବା ଧାନ ମଣ୍ଡିର ଅବ୍ୟବସ୍ଥା ନିମନ୍ତେ ଚାଷୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଧାନ କିଣା ରେ ସରକାର ସୁଧାର ଆଣି ପାରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ପ୍ରତି ବର୍ଷ ଅପେକ୍ଷା ଚଳିତ ବର୍ଷ ଧାନ ମଣ୍ଡି ବିଳମ୍ବ ରେ ଆରମ୍ଭ ହୋଇଥିଲେ ମଧ୍ୟ କିପରି ଶୀଘ୍ର ମଣ୍ଡି ଶେଷ ହୋଇଯାଇଛି। କିନ୍ତୁ ଅଧିକାଂଶ ଚାଷୀଙ୍କର ଚଳିତ ବର୍ଷ ଏକ କିଲୋ ମଧ୍ୟ ମଣ୍ଡିରେ ଧାନ ବିକ୍ରି କରିନଥିବା ଅଭିଯୋଗ କରିଛନ୍ତି। ମଣ୍ଡି ଅବ୍ୟବସ୍ଥା ରେ ସୁଧାର ଆଣିବା ନିମନ୍ତେ ଚାଷୀ ଙ୍କୁ ତାରିଖ ଅନୁଯାୟୀ ମଣ୍ଡି କୁ ଧାନ ଆଣିବା ନିମନ୍ତେ ଅନଲାଇନ ମେସେଜ ମାଧ୍ୟମରେ ଟୋକନ ପ୍ରଦାନ କରାଯାଇଥିଲା। କିନ୍ତୁ ଜାନୁଆରୀ ୧୫ ଠାରୁ କୌଣସି ଚାଷୀ ମଣ୍ଡି ମାଧ୍ୟମରେ ଧାନ ବିକ୍ରି କରିନଥିବା ଅଭିଯୋଗ କରିଛନ୍ତି। ଏନେଇ ଚାଷୀ ଜିଲ୍ଲା ସିଏସଓ ଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତେଣୁ ଶେଷରେ ଆଜି ବାଧ୍ୟହୋଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଷୀମାନେ ସକାଳ ୭ ଘଂଟିକା ଠାରୁ ରାସ୍ତାରୋକ କରିଥିବା କହିଛନ୍ତି। ତେବେ ରାସ୍ତାରୋକ ହେତୁ ଉଭୟ ପାର୍ଶ୍ୱରେ ଗାଡି ଶତାଧିକ ରହିଥିବା ଦେଖି ଚାଷୀ ଙ୍କ ଆନ୍ଦୋଳନ ହଟାଇବା ନିମନ୍ତେ ବିଡ଼ିଓ ଅଂଶୁମାନ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ଚାଷୀ ଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଯେ ପର୍ଯ୍ୟନ୍ତ ଚାଷୀ ଙ୍କ ସମସ୍ତ ଧାନ ଉଠିବା ନେଇ ପ୍ରତିଶ୍ରୁତି ମିଳିନାହିଁ ସେ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଏପରି ଜାରି ରହିବ ବୋଲି ଚାଷୀମାନେ ସୂଚନା ଦେଇଛନ୍ତି। ଏହି ରାସ୍ତା ଅବରୋଧ ସମୟରେ ଗୋବିନ୍ଦ ପାତ୍ର, ବନମାଳୀ ପାତ୍ର, ସୁରେନ୍ଦ୍ର ହାଲବା, ରୁଦ୍ରାକ୍ଷା ଚକ୍ରଧର, ସୋନୁ ଖେମୁଣ୍ଡୁ ଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.