ସି.ବି.ଆଇ. ଏବେ ମଧ୍ୟ ସରକାରଙ୍କ ପଞ୍ଜୁରୀର ଶୁଆ: ଖାରବେଳ

0

ଭୁବନେଶ୍ୱର : ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଚିଟଫଣ୍ଡ ଦୁର୍ନୀତିରେ ଗିରଫ କରିବା ସି.ବି.ଆଇର ନିଷ୍ଠାକୁ ପ୍ରମାଣିତ କରୁନାହିଁ ବୋଲି ଉତ୍କଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଗତ ୨୦୧୪ରୁ ଶ୍ରୀ ବିଶ୍ୱାଳଙ୍କ ବିରୁଦ୍ଧରେ ତଦନ୍ତ ହୋଇ ସେ ଓ ତାଙ୍କ ପତ୍ନୀ ଚିଟଫଣ୍ଡ  ଅପରାଧୀମାନଙ୍କ ସହ  ସମ୍ପୃକ୍ତ ଅଛନ୍ତିି ପ୍ରମାଣିତ ହୋଇସାରିିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହିଁକି  ତାଙ୍କୁ ଗିରଫ କାରାଯାଇନଥିଲା? ଏହାଛଡ଼ା ଚିଟଫଣ୍ଡ  ଲୁଟେରାମାନଙ୍କ ପାଜେରୋ ଗାଡ଼ିି ନେବା ଓ ସେମାନଙ୍କ ସହ ଅର୍ଥ କାରବାର କରିବା କ୍ଷେତ୍ରରେ ବିଜେଡିର ବିଧାୟକ, ସାଂସଦ, ମନ୍ତ୍ରୀମାନେ ସମ୍ପୃକ୍ତ ଥିବାର ପ୍ରମାଣ ମିଳିସାରିଥିଲେ ମଧ୍ୟ କାହିଁକି ସି.ବି.ଆଇ. ଏପର୍ଯ୍ୟନ୍ତ ଗିରଫ କରୁନାହିଁ ? କିଛି ଲୋକଙ୍କୁ ଦୀର୍ଘ ଦୁଇ ବର୍ଷ ପୂର୍ବରୁ ଗିିିରଫ କରାଯାଇଥିଲେ ମଧ୍ୟ ସି.ବି.ଆଇ. କାହିଁକି ଏତେ ଦିନ  ଧରି ନୀରବ ରହିଥିଲା ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଛନ୍ତି । ବିଜେପି ସଭାପତି ଅମିତ ଶାହ ଗତ କେତେ ଦିନ ତଳେ ଓଡ଼ିଶା ଆସି ବିଜେଡିର ନେତାମାନଙ୍କୁ ବନ୍ଧାଇବେ ବୋଲି କହିବା ପରେ ଏହି ଗିରଫଦାରୀ ହେବା କ’ଣ ଏକ ସଂଯୋଗ ମାତ୍ର? ଗତ ବର୍ଷ ବିଜେପିର ସଂସଦୀୟ ଦଳ ବୈଠକରେ ବିମୁଦ୍ରାକରଣକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ବହୁତ ଭଲ ଲୋକ ବୋଲି ପ୍ରଶଂସା କରିବା, ଗୃହମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ଜଣେ ସଚ୍ଚୋଟ ବ୍ୟକ୍ତି ଭାବରେ ବର୍ଣ୍ଣନା କରିବା, ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି ତାଙ୍କ ସହ ତାଙ୍କ ବାସଭବନକୁ ଖାଇବାକୁ ଯିବା ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନଙ୍କୁ ତାଙ୍କ ଆଦର୍ଶ ରୂପେ ବର୍ଣ୍ଣନା କରିବା ବିଜେଡି ବିଜେପିର ଘନିଷ୍ଠ ସମ୍ପର୍କକୁ ପ୍ରମାଣିତ କରୁନାହିଁ କି? କେବଳ ବିଜେପି ସନ୍ତୁଷ୍ଟ ହେଲେ ଜଣେ ଅପରାଧୀ ଗିରଫ ହେବନାହିଁ କିନ୍ତୁ ଅସନ୍ତୁଷ୍ଟ ଥିଲାବେଳେ ସେ ଗିରଫ ହେବ ଏହା କ’ଣ ପ୍ରମାଣ କରୁଛି ? ସାଧାରଣରେ ଯାହା ପ୍ରଚାର ହେଉଛି ଯେ, ଅମିତ ଶାହ ସି.ବି.ଆଇ.କୁ ପରିଚାଳନା କରୁଛନ୍ତି, ଓଡ଼ିଶାର ଏହି ଘଟଣା ତାହା ପ୍ରମାଣ କରୁନାହିଁ କି? ଅତୀତରେ ୟୁପିଏ ଓ ବର୍ତ୍ତମାନର ଏନଡିଏ ସରକାର ସି.ବି.ଆଇ.କୁ ନିଜର ହାତବାରିସ ହିସାବରେ ବ୍ୟବହାର କରାଯିବା ଭାରତର ଗଣତନ୍ତ୍ର ପାଇଁ ଦୁର୍ଭାଗ୍ୟର କଥା ଅଟେ । ଓଡ଼ିଶାର ଜନସାଧାରଣ ବିଜେଡି ବିଜେପିର ଏ ଧରଣର ରାଷ୍ଟ୍ର ବିରୋଧୀ ଆଚରଣକୁ ବିରୋଧ କରିବା ପାଇଁ ଉତ୍କଳ ଭାରତ ନେତା ଶ୍ରୀ ସ୍ୱାଇଁ କହିଛନ୍ତି । 

 

Leave A Reply

Your email address will not be published.