କଅଁଳ ବୟସରେ ବୁଢା ଅଜାର ବୋଝ : ପାଠ ପଢାରେ ଅର୍ଥ ସାଜିଛି ବାଧକ

0 2

ରେଢାଖୋଲ ଉପଖଣ୍ଡ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀୟାସ୍ମିତା ସାମଲ : ସରକାର ଗରିବ ଲୋକଙ୍କ ପାଇଁ କେତେ ଯେ ଜନହିତକର କାମ କରିଛନ୍ତି ତାର କଳନା ନାହିଁ। ହରିଜନ ଓ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର। ହେଲେ ଏହି ସବୁ ଯୋଜନା ଗାଁ ଗହଳରେ ଥିବା ଗରୀବ ଅବହେଳିତ ଛାତ୍ରଛାତ୍ରୀମାନଙ୍କ ପାଖରେ ଠିକ୍ ଭାବରେ ପହଂଚି ପାରୁ ନାହିଁ। ଯା ଫଳରେ ସେମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି।

ସେମିତି ଜଣେ ଆଦିବାସୀ ବାଳିକା ହେଲେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ଶିମିଳିପାଳ ପଂଚାୟତର କାଦୋବାହାଳି ଗ୍ରାମର ରଶ୍ମିତା ମିର୍ଦ୍ଧା। ଏବେ ସେ ୮ ମ ଶ୍ରେଣୀରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ସରାପାଲିରେ ପାଠ ପଢୁଛନ୍ତି। ହେଲେ କରୋନା ଯୋଗୁଁ ସେ ପାଠ ପଢିବା ପାଇଁ ବିଦ୍ୟାଳୟର ହଷ୍ଟେଲରେ ରହିପାରୁନାହାନ୍ତି। ଯା ଫଳରେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ବିଦ୍ୟାଳୟରେ ପଢୁଥିବା ସମୟରେ ହଷ୍ଟେଲରେ ଦି ଓଳି ଖାଇବାକୁ ମିଳିଯାଏ। ହେଲେ ତାହା ବି କରୋନା ପାଇଁ ବାଧକ ସାଜିଲା। ଜମିବାଡି ସେତେଟା ନ ଥିବାରୁ ଖାଇବାକୁ ପେଟ ପୁରା ମିଳୁନି ସବୁ ସମୟରେ। ଅଜା କୁ ମିିଳୁଥିବା ୩୫ କେଜି ଚାଉଳ ସମୁଦ୍ରକୁ ଶଙ୍ଖେ ଭଳିଆ। ଅଜା ବୁଢାର ଦେହ ପା ପାଇଁ ଚାଉଳ କିଛି ବିକ୍ରି କରି ସେ ଔଷଧ କିଣି ଥାନ୍ତି। ଅଜା ବୁଢାକୁ ଖୁଆଇବା ଠାରୁ ଆରମ୍ଭ କରି ଗାଧୋଇବା ପର୍ଯ୍ୟନ୍ତ ଏଇ କଅଁଳ ବୟସର ଝିଅ ରଶ୍ମିତା ସବୁ ତୁଲାଇ ଥାଏ। ସେ ଅନେକ ସ୍ୱପ୍ୱ ଦେଖିଛନ୍ତି ହେଲେ ପାଠ ପଢାରେ ଅର୍ଥ ସାଜିଛି ବାଧକ।

ରଶ୍ମିତା ଛୋଟ ଥିବା ସମୟରୁ ହିଁ ବାପା ଶୁକୃ ମିର୍ଦ୍ଧାକୁ ହରାଇଛି। ରଶ୍ମିତା ଯେତେବେଳେ ଛୋଟ ଥିଲା ସେଇ ସମୟରୁ ତାର ମାଆ ଅନ୍ୟତ୍ର ବିବାହ କରି ପଳାଇଲା ଯେ ଆଉ ଘରକୁ ଫେରିଲା ନାହିଁ। ନିଃସଙ୍ଗ ହୋଇଗଲା ରଶ୍ମିତା ମିର୍ଦ୍ଧା। କେବଳ ୮୦ବର୍ଷର ଅଜା ବୁଢା ଅନାମ ମିର୍ଦ୍ଧା ହେଲା ତାର ସାହା ଭରଷା, ଆଉ ସବୁ କିଛି। ରଶ୍ମିତା ଅଜାର ୩ ପୁଅରୁ ଆଉ ଦୁଇ ପୁଅ ଯେଝା ବାଟରେ। ତାର ଅଜାକୁ ମିଳୁଥିବା ଭତାରୁ ଯାହା କିଛି ଚଳିଯାଏ ତେଲ ଲୁଣର ସଂସାର। ତଥାପି ଜୀବନଯୁଦ୍ଧରେ ହାରି ନ ଯାଇ ବଂଚିବା ପାଇଁ ସଂଗ୍ରାମ ଜାରି ରଖିଛି ରଶ୍ମିତା।

କାହାକୁ ମନର ବେଦନାକୁ ପ୍ରକାଶ କଲେ ସେ କିଛି ସୁବିଧା ସୁଯୋଗ ଦେବ ତାହା ମଧ୍ୟ ମନରେ ତାର ଜୁଟିନି। ଏଇ ଛୋଟ ସମୟରୁ ଏକଲା ହୋଇ ଯାଇଥିବା କଅଁଳ ବୟସର ଝିଅ ରଶ୍ମିତା ଏବେ ଏକଲା ପଥର ଯାତ୍ରୀ। ପ୍ରଶାସନର କେହି ବି ଅଧିକାରୀକୁ ଏ ଝିଅଟି କିପରି ଚଳୁଛି ଆଉ କିପରି ବଂଚୁଛି କେହି ବି ଜଣାଇ ନାହାନ୍ତି। କାହାର ଦୃଷ୍ଟି ପଡି ନ ଥିଲେ ମଧ୍ୟ ଛୋଟ ସମୟରୁ ବାପାକୁ ହରାଇ ଓ ମାଆ ଅନ୍ୟତ୍ର ବିବାହ କରି ପଳାଇଥିଲେ ମଧ୍ୟ ନିଜ ଗୋଡରେ ନିଜେ ଛିଡା ହେବାକୁ ପ୍ରୟାସ ଜାରି ରଖିଛି ଆଦିବାସୀ ଝିଅ ରଶ୍ମିତା ମିର୍ଦ୍ଧା। ନାକଟିଦେଉଳ ବିଡିଓ, ରେଢାଖୋଲ ଉପଜିଲ୍ଲାପାଳ, ଜିଲ୍ଲାପାଳ, ଓ  ମୁଖ୍ୟମନ୍ତ୍ରୀ ଦୃଷ୍ଟିଦେବାକୁ ସାଧାରଣରେ ଦାବୀ ହେଉଛି।

Leave A Reply

Your email address will not be published.