କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା  ପ୍ରସ୍ତୁତ :   ଜନସାଧାରଣଙ୍କ ମତାମତ ପାଇଁ ୨୧ ଦିନ ସମୟ  

0 2

କୋଣାର୍କ ଅଞ୍ଚଳର ଭିତ୍ତିଭୂମିକୁ ଆନ୍ତର୍ଜାତୀୟ ମାନର କରାଯିବ : ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର (ଶାସକ ପ୍ରଶାସକ): ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି। ଏହି କାର୍ଯ୍ୟକ୍ରମର ଅଂଶ ଭାବରେ କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ ହୋଇଛି।

କୋଣାର୍କକୁ ପ୍ରତି ଦିନ ବିଶ୍ବର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଆସିଥାନ୍ତି । ତେଣୁ କୋଣାର୍କ ଅଞ୍ଚଳରେ ଭିତ୍ତି ଭୂମି ବିକାଶକୁ ଆନ୍ତଜାତୀୟମାନର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏହାର ବିଭିନ୍ନ ଦିଗ ଉପରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅବଗତି ନିମନ୍ତେ ଏକ ଉପସ୍ଥାପନା କରାଯାଇଥିଲା । ଜନସାଧାରଣ ଏହି ଚିଠା ଯୋଜନା ଉପରେ ସେମାନଙ୍କ  ସୁଚିନ୍ତିତ ମତାମତ ୨୧ ଦିନ ଭିତରେ ଦେଇପାରିବେ । ମତାମତ ଦେବା ପାଇଁ ଆଇଡି ହେଲା [email protected]

କଳିଙ୍ଗ  ସ୍ଥାପତ୍ୟ କଳାର ଅପୂର୍ବ ନିଦର୍ଶନ ହେଉଛି କୋଣାର୍କ ମନ୍ଦିର । ଗଙ୍ଗ ବଂଶର ରାଜା ଲାଙ୍ଗୁଳା ନରସିଂହ ଦେବଙ୍କର ତ୍ରୟୋଦଶ ଶତାଦ୍ଦୀର ଏହି ଅନୁପମ  କୀର୍ତ୍ତି ତାର ଅବିଶ୍ବସନୀୟ କଳା ଓ ଭାସ୍କର୍ଯ୍ୟ ପାଇଁ ସାରା ବିଶ୍ବର ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଆସିଛି ।  ଭଗବାନ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ମନ୍ଦିରର ମୁଖ୍ୟ  ଅଂଶ ଭାଂଗି ଯାଇଥିଲେ ମଧ୍ୟ ମୁଖଶାଳାର ଶୋଭା ଓଡିଶାର କାରିଗର ଓ ଶିଳ୍ପୀ ମାନଙ୍କର ଦକ୍ଷତାର ଜୟଗାନ କରିଆସୁଛି । ଏହି ମନ୍ଦିର ତତ୍କାଳୀନ ଓଡିଶାର ସଂପନ୍ନତା ବିଷୟରେ ସୂଚିତ କରିଥାଏ। ମନ୍ଦିର ଗାତ୍ରରେ  ଜିରାଫର ଚିତ୍ର ଆଫ୍ରିକୀୟ ଦେଶ ମାନଙ୍କ ସହିତ ତତ୍କାଳୀନ ଓଡ଼ିଶାର  ସଂପର୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥାଏ । ୧୯୮୪ ମସିହାରେ UNESCO  କୋଣାର୍କକୁ ବିଶ୍ବ ଐତିହ୍ୟର ମାନ୍ୟତା ପ୍ରଦାନ କରିଛି । ଏହି ମହାନ ସାଂସ୍କୃତିକ ବୈଭବର ସୁରକ୍ଷା ଆମ ସମସ୍ତଙ୍କର ନୈତିକ ଦାୟିତ୍ବ । 

ମନ୍ଦିରର ସୁରକ୍ଷା ସହିତ ଏହାର ସଂରକ୍ଷଣ ତଥା ଅଧିକରୁ ଅଧିକ ପର୍ଯ୍ୟଟକ ମାନଙ୍କୁ  ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଐତିହ୍ୟ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା, କୋଣାର୍କ ସୂର୍ଯ୍ୟ ମନ୍ଦିରର ଗରିମାର ସୁରକ୍ଷା, ପର୍ଯ୍ୟଟକ ମାନଙ୍କ ପାଇଁ ଅନନ୍ୟ ଅନୁଭୂତି, ସ୍ଥାନୀୟ ବ୍ୟବସାୟୀ ମାନଙ୍କ ଆର୍ଥିକ ଉନ୍ନତି ତଥା କୋଣାର୍କ ସହିତ ପୁରୀ ଜିଲ୍ଲା ଓ ସମଗ୍ର ରାଜ୍ୟର ପର୍ଯ୍ୟଟନ ଅର୍ଥନୀତିର ବିକାଶ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି .

କୋଣାର୍କ ମନ୍ଦିରର ପାରିପାର୍ଶିକ ଅଞ୍ଚଳର ଭିତ୍ତିଭୂମି ବିକାଶ କୁ ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ବିତ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି ।  ସାଢ଼େ ତିନି କିଲୋମିଟର ବାହ୍ୟ ରିଂ ରୋଡକୁ ଛଅ ଥାକିଆ ନିର୍ମାଣ  କରାଯିବା ସହିତ ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବା  ଯାତ୍ରୀଙ୍କୁ ନେବାଆଣିବା ପାଇଁ  ଭୁବନେଶ୍ୱର ରୁ କୋଣାର୍କ ପର୍ଯ୍ୟନ୍ତ  ପଏଣ୍ଟର ବିକାଶ କରାଯିବ । ଫେରିବାଲାମାନଙ୍କୁ ପୁନଃଥଇଥାନ କରାଯିବ। ମନ୍ଦିର ସମ୍ମୁଖରେ ଥିବା ତିରିଶ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ ଏବଂ landscaping କରାଯିବ ।

 ପ୍ରବେଶସ୍ଥଳରେ ପର୍ଯ୍ୟଟକ ମାନଙ୍କୁ ସ୍ବାଗତ କରିବା ପାଇଁ  ସୁଦୃଶ୍ୟ କୋଣାର୍କ ଏଣ୍ଟ୍ରି ପ୍ଲାଜା ନିର୍ମାଣ କରାଯିବ । ତା ସହିତ ଗାଡିମଟର ପାର୍କିଂ ପାଇଁ Multi modal hub  ନିର୍ମାଣ କରାଯିବ। 

କୋଣାର୍କ ମୁକ୍ତାକାଶ ରଂଗମଞ୍ଚର ପୁନର୍ବିନ୍ୟାସ କରାଯିବ। ଐତିହ୍ୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ପଥଚାରୀମାନଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯିବ। କୋଣାର୍କ ଯୋଜନାରେ ସ୍ଥାନୀୟ ଲୋକଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ ସହିତ ଐତିହ୍ୟ ସଂରକ୍ଷଣ ଓ ବିକାଶରେ ବିଶ୍ବସ୍ତରୀୟ ଦୃଷ୍ଟିଭଙ୍ଗୀର ପ୍ରତିଫଳନ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି ) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଏବଂ ପୂର୍ତ୍ତ ସଚିବ ଉପସ୍ଥାପନା ଦେଇଥିଲେ । ଏହି ବୈଠକରେ ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ   ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.