ଝାରସୁଗୁଡ଼ା ଜିଲ୍ଲାରେ ନକଲି ମଦର କାରବାର। 

0 2

ଧରା ପଡ଼ିଲେ ମହିଳା,  ମୁଖ୍ୟ ଅଭିଯୁକ୍ତ ଫେରାର। 

ଝାରସୁଗୁଡ଼ା :(ସୁଭାଷ ସହାରେ)- ବ୍ରଜରାଜନଗର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ଯୋଗୁଁ ନକଲି ବିଦେଶୀ ମଦର କାରବାର ଝାରସୁଗୁଡ଼ାର ଚାଲିଥିବା ଜଣା ପଡ଼ିଛି। ଆଜି ଏକ ଚଢ଼ାଉ ପରେ ବିପୁଳ ପରିମାଣରେ ମଦ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। 

ସୂଚନା ଅନୁଯାୟୀ, ଘଟଣାଟି ଝାରସୁଗୁଡ଼ା ଜିଲ୍ଲାର ତିଳେଇମାଲ ଅଞ୍ଚଳର। ମୀନ ବେହେରା ନାମରେ ଜଣେ ବ୍ୟକ୍ତିଙ୍କ ଘର ଉପରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଓ ପୋଲିସ ମିଳିତ ଚଢ଼ାଉ କରିଥିଲେ। ଘଟଣାସ୍ଥଳରେ ଟିମକୁ ମଦ ପ୍ୟାକେଜିଂ ପାଇଁ ବ୍ୟବହୃତ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ବୋତଲ, ବ୍ରାଣ୍ଡେଡ ଠିପି, ନକଲି ଲେବଲ୍ ଏବଂ ଝାଡଖଣ୍ଡ ସରକାରଙ୍କ ଲେବଲ୍ ମିଳିଥିଲା । ଏହା ବ୍ୟତୀତ ଚଢ଼ାଉ ସମୟରେ 468ଟି ବୋତଲ, ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡର ବିଦେଶୀ ମଦ ଜବତ କରାଯାଇଥିଲା ।  ଜିଲ୍ଲାପାଳ ସରୋଜ କୁମାର ସାମଲ ଓ ଅବକାରୀ ଅଧିକ୍ଷକ ଦିଲିପ କୁମାର ପଟେଲଙ୍କ ନିର୍ଦ୍ଦେଶକ୍ରମେ ହୋଇଥିବା ଏହି ଚଢ଼ାଉ ବେଳେ କୌଣସି ପୁରୁଷ ଲୋକ ଉପସ୍ଥିତ ନ ଥିବା ବେଳେ ଘରେ ଉପସ୍ଥିତ ଥିବା ମହିଳାଙ୍କୁ ପୋଲିସ ଗିରଫ କରିଛି। ଆନୁମାନିକ ଭାବେ ଏସବୁର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ମୂଖ୍ୟ ଅଭିଯୁକ୍ତ ଏ ପର୍ଯ୍ୟନ୍ତ ଫେରାର ଥିବା ସୂଚନା ମିଳିଛି।  ଝାଡ଼ଖଣ୍ଡ ଅଞ୍ଚଳରୁ ଏହିପରି ଖୋଲା ମଦ ଆଣି ଏଠାରେ ପ୍ୟାକେଜିଂ କରି ବିକ୍ରି କରାଯାଏ। ଏହାଦ୍ୱାରା ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ କ୍ଷତି ସହିବାକୁ ହୁଏ।

Leave A Reply

Your email address will not be published.