ଦିଗହରା ବିକାଶ : ବେସାହାରା ବରିଷ୍ଠ ନାଗରିକ ଜହ୍ନେଇ ଆଈ ଗଣୁଛନ୍ତି ନିଃଶ୍ୱାସ

0

 ଦରଦ ହୀନ ପ୍ରଶାସନ : ଅସହାୟତାରେ ବିତୁଛି ୯୨ ବର୍ଷ ବୟସରେ ବାର୍ଦ୍ଧକ୍ୟ ଭତ୍ତାରୁ ବଂଚିତ ଜହ୍ନେଇ ଆଈଙ୍କ ଜୀବନ 

ଜଗନ୍ନାଥ ପ୍ରସାଦ ( ନିଲୁ ବିଷୋୟୀଙ୍କ ସ୍ୱତନ୍ତ୍ର ରିପୋର୍ଟ ) – ଗୋଟେ ପଟେ ରାଜ୍ୟ ସରକାର ଗାଁ କୁ କାମ ଆଉ ମାଆ କୁ ସଂମାନର କଥା କହି ବିକାଶର ନାରା ଦେଉଥିବା ବିକାଶ ଯେ କିଛି ଦରଦ ବିହୀନ ଅଧିକାରୀ ଓ କର୍ମଚାରୀଙ୍କ ଆନ୍ତରିକତା ଅଭାବରୁ ବାଟବଣା ହୋଇଛି, ତାହାର  ଜ୍ୱଳନ୍ତ ବିକଳ ଚିତ୍ର ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଗେରେଡା ଗ୍ରାମ ପଂଚାୟତର ବାଦୁଆ ଗ୍ରାମର ଜହ୍ନେଇ ପ୍ରଧାନଙ୍କ କ୍ଷେତ୍ରରେ।  ବୟସ ୯୨ ଛୁଇଁଲାଣି। ହେଲେ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ଜହ୍ନେଇ ଆଈ ପାଇଁ ଆଜି ପର୍ଯ୍ୟନ୍ତ ସ୍ବପ୍ନ ପାଲଟିଛି। ଚଳପ୍ରଚଳ କରିବାକୁ ସଂପୂର୍ଣ୍ଣ ଅକ୍ଷମ। ସ୍ବାମୀଙ୍କ ମୃତ୍ୟୁ ପରେ ସଂପୂର୍ଣ୍ଣ ଏକାକୀ ଓ ବେସାହାରା। ମକରାପଲ୍ଲୀରେ ବିବାହ କରିଥିବା ଝିଅ ସୁକାନ୍ତି ପ୍ରଧାନ ନିଜ ପୁଅଝିଅକୁ ନେଇ କିଛିବର୍ଷ ହେଲା ତାଙ୍କ ପାଖରେ ରହି ସେବା କରି ଆସୁଛନ୍ତି। ହେଲେ ୯୨ ବର୍ଷ ବୟସରେ ଭତ୍ତା ପାଇଁ ବାରମ୍ବାର ଆବେଦନ କରି ବି ଥକିସାରିଲେଣି। କୌଣସି ନେତା କି ଅଫିସର୍, କେହି ମଧ୍ୟ ତାଙ୍କ ଦୁଃଖ ଶୁଣୁନାହାନ୍ତି।

ଅନ୍ତତଃ ଜୀବନ ଯିବା ଆଗରୁ ଭତ୍ତା ମିଳିବ କି, ବୋଲି ଜହ୍ନେଇ  ସରକାରୀ ବ୍ୟବସ୍ଥାକୁ ପ୍ରଶ୍ନ କରିଛନ୍ତି । ହେଲେ ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ସରକାର ୬୦ ବର୍ଷ ବୟସରୁ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ଲାଗୁ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା କାହିଁକି ଜହ୍ନେଇ ଆଈ ଙ୍କ କ୍ଷେତ୍ରରେ ତାହା ଲାଗୁ କରାଯାଇନାହିଁ ? ଯଦି ୯୨ ବର୍ଷ ବୟସରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳିପାରିନାହିଁ  ତେବେ କେବେ ମିଳିବ? ଅପରପକ୍ଷରେ ଏ ନେଇ ଗେରେଡ଼ା ସରପଞ୍ଚ ସୁନୀତା କୁମାରୀ ପ୍ରଧାନ କହିଛନ୍ତି, ବୟସ ଅଧିକ ସତ୍ତ୍ବେ ଜହ୍ନେଇଙ୍କୁ ଭତ୍ତା ନମିଳିବା ଦୁଃଖର ବିଷୟ। ବୟସାଧିକ୍ୟ କାରଣରୁ ତାଙ୍କର ଫିଙ୍ଗର୍‌ପ୍ରିଣ୍ଟ୍ ଆସୁ ନଥିବାରୁ ସମସ୍ୟା ଦେଖାଦେଉଛି। ପୁଣି ଆବେଦନ କରାଯାଇଛି। ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।

Leave A Reply

Your email address will not be published.