ମନ୍ତ୍ରୀଙ୍କ ଗିରଫଦାରୀ ପାଇଁ ଦାବୀ କଲା ଝାରସୁଗୁଡ଼ା ବିଜେପି। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) କଟକ ଜିଲ୍ଲାର ମାହାଙ୍ଗା ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ  ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ପାଇଁ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ତାଙ୍କର ଗିରଫଦାରୀ ଦାବି କରି ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ଝାରସୁଗୁଡ଼ା ବିଜେପି। ଆଜି ଜିଲ୍ଲା ବିଜେପିର ସଭାପତି ମଙ୍ଗଳ ସାହୁଙ୍କ ନେତୃତ୍ୱରେ ବିଜେପି କର୍ମକର୍ତ୍ତାମାନେ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛନ୍ତି। 

ଉକ୍ତ ପତ୍ରରେ ବିଜେପି ଉଲ୍ଲେଖ କରିଛି ଯେ ନିହତ ବରାଳ ଓ ତାଙ୍କ ସହଯୋଗୀଙ୍କ ମୃତ୍ୟୁର କାରଣ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ। ଏହାଦ୍ୱାରା ବିରୋଧୀଙ୍କ କଣ୍ଠରୋଧ କରାଯାଉଛି। ଓଡ଼ିଶା ଭଳି ଶାନ୍ତିପୂର୍ଣ୍ଣ ରାଜ୍ୟରେ ବିରୋଧୀଙ୍କ ହତ୍ୟା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ। ବିଜେପି ଏହି ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସିଧାସଳଖ ଦାୟୀ କରୁଛି ଏବଂ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ପାଇଁ ତଥା ଗିରଫ କରିବା ପାଇଁ ଦାବୀ କରିଛି। ଏହାବ୍ୟତୀତ ରାଜ୍ୟରେ ଆଇନ ପରିସ୍ଥିତିକୁ ସମ୍ଭାଳିବା ପାଇଁ ନବୀନ ସରକାର ବିଫଳ ହୋଇଛି ବୋଲି ମଧ୍ୟ ବିଜେପି ଅଭିଯୋଗ କରିଛି। 

ଆଜି ଏହି ଅବସରରେ ବିଜେପି ପକ୍ଷରୁ ଜିଲ୍ଲା ସଭାପତି ମଙ୍ଗଳ ସାହୁଙ୍କ ବ୍ୟତୀତ ଏମପି ନୋମିନି ରଘୁନନ୍ଦନ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନୀଳ ପଣ୍ଡା, ପ୍ରେମସେନ ରାୟ,ହେମନ୍ତ ପଟେଲ, ନରେଶ କୁମାର ନାୟକ, ଚକାନନ୍ଦ ସା, ପାରଶନାଥ ଜୟସ୍ବାଲ, ରଘୁରାମ ପାଲ, ଗୋବିନ୍ଦ ମେହେର ଓ ଅନ୍ୟ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.