ପୂର୍ତ୍ତ ବିଭାଗ ନା ଜମି ଦଖଲକାରୀ ବିଭାଗ?

0

ଲୋକଙ୍କ ଜମି ଉପରେ ଜବରଦଖଲ କରି ରାସ୍ତା ନିର୍ମାଣ ଅଭିଯୋଗ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ସରକାରଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଦାୟୀତ୍ବସମ୍ପନ୍ନ ବିଭାଗମାନଙ୍କ ମଧ୍ୟରୁ ନିର୍ମାଣ ସଂସ୍ଥା ପୂର୍ତ୍ତ ବିଭାଗ ଅନ୍ୟତମ। କିନ୍ତୁ ଏହି ବିଭାଗ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଇବ ଗାଁର ନିରଞ୍ଜନ ମାଲିଙ୍କ ପରିବାର। 

ପରିବାରର ଅଭିଯୋଗ ଅନୁଯାୟୀ, ପତ୍ରାପାଲିର ହଲକାଢିପା ପର୍ଯ୍ୟନ୍ତ ୩ ବର୍ଷ ତଳେ ବିଶ୍ୱବ୍ୟାଙ୍କ ସହାୟତାରେ ଏକ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା। ରାସ୍ତାଟି ଖୁନାପାଲି ମୌଜା, ଖାତା ନମ୍ବର ୩୩ ଓ ପ୍ଲଟ ନମ୍ବର ୯୨୫ ଓ ୧୧୪୩ରୁ ୩୮.୦୨  ଡିସିମିଲ ଜମି ଉପରେ ନିର୍ମିତ। ରାସ୍ତା ନିର୍ମାଣ ସରିଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାହା ବ୍ୟକ୍ତିଗତ ମାଲିକାନାରେ ରହିଅଛି। ଏହାକୁ ନେଇ ଗତ ତିନି ବର୍ଷ ହେଲାଣି,ବାରମ୍ବାର  ପୂର୍ତ୍ତ ବିଭାଗ,  କୋଲାବିରା ପୋଲିସ, କୋଲାବିରା ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ  ଅଭିଯୋଗ କଲେ ସୁଦ୍ଧା କେହି ଶୁଣି ନଥିବା କହନ୍ତି ପରିବାର ଲୋକେ। ଏପରିକି ଜମି ବାବଦରେ ସେମାନେ କୌଣସି କ୍ଷତିପୂରଣ ମଧ୍ୟ ପାଇ ନାହାଁନ୍ତି ବୋଲି ସେମାନେ ହତାଶ ହୋଇ କହନ୍ତି। 

ଶେଷରେ ନିରୂପାୟ ହୋଇ ସମଗ୍ର ପରିବାରର ଲୋକେ ରାସ୍ତାକୁ ଅବରୋଧ କରି ବସି ରହିଥିବା ସୂଚନା ମିଳିଛି। ନିରଞ୍ଜନଙ୍କ ସହ ତାଙ୍କ ସ୍ତ୍ରୀ, ଦୁଇଟି ନାବାଳକ ପୁତ୍ର ସହ ତାଙ୍କ ଭଉଣୀ ରାସ୍ତା ଅବରୋଧ କରି ଏହି ଆନ୍ଦୋଳନକୁ ଜାରି ରଖିବେ ବୋଲି କହିଛନ୍ତି। ଆଜି ଦିନ ତମାମ୍ ଏହି ପରିବାରର ଲୋକେ ରାସ୍ତା ଉପରେ ଧାରଣାରେ ବସି ରହିଥିଲେ ମଧ୍ୟ ତାଙ୍କ ନିକଟକୁ ପୁର୍ତ୍ତ ବିଭାଗ ପକ୍ଷରୁ କୌଣସି ଅଧିକାରୀ ଆଲୋଚନା ପାଇଁ ଆସି ନଥିବା ସୂଚନା ମିଳିଛି |

Leave A Reply

Your email address will not be published.