ଡ‌ଇଁଚା ଗାଁ କୁ ପଶି ଆସିଲେ ହାତୀ ପଲ , ଅଳ୍ପକେ ବର୍ତ୍ତିଲେ ଚାଷୀ  ବ୍ୟାପକ ଧାନ ଫସଲ ନଷ୍ଟ 

0

ରେଢାଖୋଲ (  ଅନିଲ କୁମାର ପୃଷ୍ଟି ) କିଛି ଦିନ ହେଲା ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡରେ ହାତୀମାନଙ୍କର ଆତଙ୍କରାଜରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ରାତିରେ ହାତୀପଲ ଡଇଁଚା ଗାଁ କୁ ପଶି ଆସି ଖଳାଭିତରେ ପଶି ଧାନ ବିଡା ଖାଇବା ସହ ଧାନ ଅମଳ କରି ରଖିଥିବା ୩ ଜଣ ଚାଷୀଙ୍କର ଧାନ ବସ୍ତାକୁ ଟେକି ନେଇଥିବା ଜଣା ପଡିଛି।

ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଡଇଁଚା ଗ୍ରାମରେ ଗତକାଲି ରାତି ପ୍ରାୟ ୧୨ ଟାରେ ୧୩ ରୁ ଉର୍ଦ୍ଧ୍ୱ ହାତୀ ନିକଟସ୍ଥ ହିନ୍ତରାଇ ଗ୍ରାମପଟୁ ଆସି ଗାଁ ପାଖରେ ଥିବା ଗ୍ରାମର ସନାତନ ଧଳଙ୍କ ଖଳାକୁ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଦେଇଥିଲେ। ଖଳାରେ ସନାତନ ଧଳଙ୍କ ମଝିଆଁ ପୁଅ ଦେବରାଜ ଧଳ ଏକାକୀ ଶୋଇଥିଲେ। ହାତୀ ପଲ ଖଳାକୁ ପଶୁଥିବାର ଜାଣିପାରି ସେ ଦୌଡି ଆସି ପାଟି କରିଥିଲେ। ହାଟପଦା ସାହିର ଲୋକମାନେ ଆସି ବାଣ ଓ ପାଟି କରିବାରୁ ହାତୀପଲ ପଳାଇଯାଇଥିଲେ। ଭାଗ୍ୟକୁ ସେ ହାତୀଆକ୍ରମଣରୁ ରକ୍ଷା ପାଇଯାଇଥିଲେ। ହେଲେ ତାଙ୍କର ମୋଟର ସାଇକେଲଟିକୁ ହାତୀପଲ ମାଡି ଦେଇଥିଲେ। ହାତୀ ପଲ ଖଳାର ଚାରି ପାଖ ତାଙ୍କୁ ଘେରିବନ୍ଦୀ କରିଥିଲେ ମଧ୍ୟ କୌଶଳ କ୍ରମେ ପଳାଇ ଯିବାରେ ସକ୍ଷମ ହୋଇଥିଲେ।

ଜଙ୍ଗଲ ବିଭାଗ ହାତୀପଲକୁ ଘଉଡାଇ ନାକେଦମ୍ ହୋଇଯାଇଥିଲେ। ଗ୍ରାମର ଶେଷଦେବ ଦେହୁରୀ ଓ ବିଶ୍ୱନାଥ ଦେହୁରୀଙ୍କ ଜମିରେ ଥିବା ଧାନ ଫସଲକୁ ମଧ୍ୟ ହାତୀପଲ ଖାଇ ଦଳୀଚକଟି ଦେଇଛନ୍ତି।

କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଜଙ୍ଗଲ ବିଭାଗ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବୀ କରାଯାଇଛି। ହାତୀପଲ ଏ ଅଂଚଳରେ ରହିଥିବାରୁ ରାତିରେ ଲୋକମାନେ ଭୟରେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ହେଲେ ଜଙ୍ଗଲ ବିଭାଗର କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ରାତି ଅଧରେ ହାତୀ ପଛରେ ଯିବା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Leave A Reply

Your email address will not be published.