ଦୁର୍ବ୍ୟବହାର ମାମଲାରେ ଛନ୍ଦିହେଲେ ଯୋଡ଼ା ବିଡ଼ିଓ 

0

12-06-18-joda.jpg - 125.68 kB

 Joda/Samir Nanda : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ର ବିଡିଓ ଅରୁଣ କୁମାର ମଲ୍ଲିକଙ୍କ ନାମରେ ମହିଳାଙ୍କୁ ଦୁର୍ବ୍ୟବହାର ନେଇ ଯୋଡ଼ା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବାର ଖବର ମିଳିଛି। ଘଟଣାରୁ ପ୍ରକାଶ ଯେ, ଗତ ଶୁକ୍ରବାର ଦିନ ୧୦ଟି ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ଫେଡରେସନର ସଭାପତି ଓ ସମ୍ପାଦକ ପରିବର୍ତ୍ତନ କରି ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ବିଡିଓ ଶ୍ରୀ ମଲ୍ଲିକଙ୍କୁ ଜଣାଇବାକୁ ଯାଇଥିଲେ। ଶ୍ରୀ ମଲ୍ଲିକ ସେମାନଙ୍କ କଥା ଶୁଣିବା ତ ଦୂରର କଥା, ସେମାନଙ୍କୁ ଅଶାଳୀନ ଭାଷାରେ ଗାଳି ଦେବା ସହ ଦୁର୍ବ୍ୟବହାର କରି ସେଠାରୁ ଫେରାଇ ଦେଇଥିଲେ ଏବଂ ଏଠାରୁ ଶିଘ୍ର ବାହାରି ଯାଅ, ନଚେତ୍ ଧକ୍କା ମାରି ବାହାର କରିଦେବାକୁ ଧମକ ଦେଥିଲେ। ଏଥିରେ ମା’ ସନ୍ତୋଷୀ, ଜୟ ମା’ ହିଙ୍ଗୁଳାଇ, ମା’ ମଙ୍ଗଳା, ମା’ ପୂର୍ଣ୍ଣବାସୀ, ମା’ ଅମ୍ବିକା ଓ ଶିବଶଙ୍କର, ମା’ବିରଜା, ମା’ ବୈଷ୍ଣୋ ଦେବୀ, ମା’ ସନ୍ତୋଷୀ (ଏ) ଓ ମା’ ସନ୍ତୋଷୀ (ବି)ର ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ଅପମାନିତ ହୋଇ ଯୋଡ଼ା ଥାନାରେ ଲିଖିତ ଭାବେ ଜଣାଇଛନ୍ତି।

ଏହି ଏତଲାରେ ମୀନା ଓରାମ, ସବିତା ମହାକୁଡ଼, ସନ୍ତୋଷୀ ମହାକୁଡ଼, ବୈଦେହି ଦଳବେହେରା, ସୁବାସିନୀ ମହାକୁଡ଼, ରୁକ୍ମିଣୀ ପାତ୍ର ପ୍ରମୁଖ ସଦସ୍ୟାଙ୍କ ନାମ ଉଲ୍ଲେଖ କରାଯାଇଛି। ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଏତାଦୃଶ ବ୍ୟବହାରରେ ସେମାନେ ଅତ୍ୟନ୍ତ ମର୍ମାହତ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ତେବେ ଘଟଣାଟିକୁ ଚାରି ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ବିଡିଓଙ୍କୁ ପଚାରିବାରୁ ସେ ସେପରି କୌଣସି ଅଘଟଣ ଘଟିନଥିବା ଗଣମାଧ୍ୟମକୁ କହିଛନ୍ତି।

Leave A Reply

Your email address will not be published.