ବଡକୋଦଣ୍ଡାରେ ବିଶ୍ବ ପ୍ରସିଦ୍ଧ ଡେରାବେଶ କୋଭିଡ କଟକଣା ହେତୁ ବାଧାପ୍ରାପ୍ତ 

0

ଭଞ୍ଜନଗର ( ନିଲୁ ବିଷୋୟୀ ) – ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ତଥା ଘୁମୁସରର ଏକ କଳା, ସଂସ୍କୃତି ତଥା ଐତିହ୍ୟରେ ସମୃଦ୍ଧ କଳାର ଗ୍ରାମ ବଡକୋଦଣ୍ଡାରେ ବହୁ ପୂର୍ବରୁ ଅନୁଷ୍ଠିତ ହୋଇ ଆସୁଥିବା ବିଶ୍ବ ପ୍ରସିଦ୍ଧ ଡେରାବେଶ କୋଭିଡ ଜନିତ କଟକଣା ହେତୁ ବାଧାପ୍ରାପ୍ତ ହୋଇଛି । ଏହି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ଗ୍ରାମର ବଡଦାଣ୍ଡରେ ଅନୁଷ୍ଠିତ ହେଉଥିବା ଡେରାବେଶକୁ ଆଖ ପାଖରେ ଥିବା ସାନକୋଦଣ୍ଡା, ରାଜକୁଣ୍ଡ, ଲାଲସିଂ, ଟୋକାଗଣ୍ଡା, ଦଣ୍ଡିପଦର, ଢୁଢୁଆ, ସାର୍ଦ୍ଦୁଳ, ଡୁମାକୁମ୍ପା, ଗୁଡାପଦର, ତିଲିକି, ଖମାରେଡି, ଆଖୁପଦର, ଡହ, ଗୁରାବାଡି, ଯୋଗିମାରୀ ତଥା ବାହାଡାପଦର ଆଦି ଗ୍ରାମରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ଦର୍ଶନ କରୁଥିଲେ।  ପରେ ଜଗନ୍ନାଥ ମନ୍ଦିର,ଗୋପୀନାଥ ମନ୍ଦିର, ଶିବ ମନ୍ଦିର,ଠାକୁରାଣୀ ମନ୍ଦିର ପ୍ରଭୃତି କୁ ଯାଇ ପୂଜା ଅର୍ଚ୍ଚନା କରୁଥିଲେ ।  ଗାଁର ପ୍ରତିଟି ସାହି କୁ ଲିପା ପୋଛା କରାଯିବା ସହ ରଙ୍ଗୀନ ବାନା ଓ ଝାଲର ମାଳାରେ ଶୋଭାପାଉଥିଲା । ପୁଣି ଗାଁରେ ଥିବା ତିନୋଟି ନାମ ଦଳର ନାମ ସଂକୀର୍ତ୍ତନ ଫଳରେ ଗାଁରେ ଏକ ପବିତ୍ର ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେଉଥିଲା ।  ଶ୍ରୀରାମ, ଲକ୍ଷ୍ମଣ, ହନୁମାନ, ରାବଣ, କୁମ୍ଭକର୍ଣ୍ଣ ଆଦିଙ୍କ କାଠରେ ନିର୍ମିତ ସୁଉଚ୍ଚ ବିଶାଳ ମୂର୍ତ୍ତି ସାଙ୍ଗକୁ ବାଘ, ହାତୀ, ଘୋଡା, ଚଇତି ଘୋଡା, ସିଂହ, ହରିଣ, ଛେଳି, ବୃଷଭ, ନବଗୁଞ୍ଜର, ରାଜାରାଣୀ, ସାପୁଆ କେଳା ଆଦିଙ୍କ ବିଶାଳ ମୂର୍ତ୍ତି ବଡଦାଣ୍ଡରେ ରହି କଳାର ନୈପୁଣ୍ୟତା ବଖାଣୁଥିଲା ।  କିନ୍ତୁ ଚଳିତ ବର୍ଷ ସେପରି କିଛି ଦେଖିବାକୁ ମିଳିନଥିଲା । ପ୍ରଶାସନର କଟକଣା ହେତୁ ଏହି କାର୍ଯ୍ୟକ୍ରମ ବାତିଲ କରାଯିବା ସହ 

ଦୁଇରୁ ତିନୋଟି ବେଶ ମନ୍ଦିର ପ୍ରାଙ୍ଗଣରେ ଡେରି ବିଧି ସଂପର୍ଣ୍ଣ କରାଯାଇଥିଲା ।  ଏକଦା କାର୍ତ୍ତିକ ପୂର୍ଣ୍ଣିମାରେ ଶହ ଶହ ଦୋକାନ, ପସରା ଖୋଲି ହଜାର ହଜାର ଜନତାଙ୍କ ଉପସ୍ଥିତିରେ ଚଳଚଞ୍ଚଳ ହୋଇଉଠୁଥିବା ବଡକୋଦଣ୍ଡା ଆଜି ଖାଁ ଖାଁ ଲାଗୁଥିଲା । ପ୍ରଶାସନର କରୋନା କଟକଣା ହେତୁ ମନ୍ଦିର ଦର୍ଶନ ପାଇଁ ଲୋକଙ୍କ ଉତ୍ସାହ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଉଥିଲା ।

Leave A Reply

Your email address will not be published.