ଚଉଦ ଶହ ବିଦ୍ୟାଳୟ ବନ୍ଦ କରିବା ଅଗଣତାନ୍ତ୍ରିକ – ପ୍ରସାଦ ହରିଚନ୍ଦନ

0

” ଘରୋଇ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି ସରକାରୀ ବିଦ୍ୟାଳୟ ପାଇଁ ଏକ ବୃହତ ଆହ୍ବାନ ପାଲଟିଛି। ଯଦି ସରକାରୀ ବିଦ୍ୟାଳୟ ଗୁଡ଼ିକର ଶିକ୍ଷା ବ୍ୟବସ୍ଥା ଓ ଢାଞ୍ଚା ରେ ଉନ୍ନତି ନଆଣନ୍ତି ଅଚିରେ ସରକାରୀ ବିଦ୍ୟାଳୟ ଗୁଡ଼ିକ ତାର ସତ୍ତା ହରାଇବ। କିଭଳି ଓ କେଉଁ କେଉଁ ବିଦ୍ୟାଳୟକୁ ବନ୍ଦ କରାଯିବ ସେଥିପାଇଁ କମିଟି ଗଠନ ନକରି ବିଦ୍ୟାଳୟ ମାନଙ୍କରେ କିଭଳି ଛାତ୍ର ଛାତ୍ରୀ ଉପସ୍ଥାନ ବୃଦ୍ଧି ପାଇବ ସେଥି ପାଇଁ ସରକାର କମିଟି ଗଠନ କରିବା ଉଚିତ୍ “: ପ୍ରସାଦ 

କଟକ : (ଡ଼ଃ. କୁମୁଦ ଚନ୍ଦ୍ର ବେହେରା ) “ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ଅଭିଶାପ ନା ଆଶୀର୍ବାଦ” ଶୀର୍ଷକ ଉପରେ ସୋସାଇଟି ଚେଞ୍ଜର୍ଷ ତରଫରୁ ଭର୍ଚୁଆଲ ପ୍ଲାଟଫର୍ମ ରେ ଆୟୋଜିତ ଆଲୋଚନା ଚକ୍ରରେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ପ୍ରସାଦ ହରିଚନ୍ଦନ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି କୁ ଅଗଣତାନ୍ତ୍ରିକ ଓ ଦୂର ଦୃଷ୍ଟିର ଅଭାବ ବୋଲି କହିଛନ୍ତି।

ଶ୍ରୀ ହରିଚନ୍ଦନ କହିଥିଲେ “ଶିକ୍ଷା ସମାଜର ଦର୍ପଣ ସଦୃଶ | ଏଣୁ ବିଦ୍ୟାଳୟ ବନ୍ଦ ନକରି ଏହାର ଗାରିମା ବୃଦ୍ଧି ପାଇଁ ସରକାର ଦୃଷ୍ଟି ଦେବା ବିଧେୟ। ଆଗ କାଳରେ ଗୁରୁକୁଳ ଶିକ୍ଷା ବ୍ୟବସ୍ଥା ଓ ସ୍ଵାଧୀନତା ଆନ୍ଦୋଳନ ସମୟରେ ଅନେକ ସମାଜ ସଂସ୍କାରକ ଦ୍ଵାରା ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଉଦ୍ୟମର ପ୍ରଶଂସା କରିବାକୁ ଯାଇ ବିଦ୍ୟାଳୟ ନିମନ୍ତେ ଶିକ୍ଷାର୍ଥୀ ଅଭାବ ଏକ ସମସ୍ୟା ନୁହେଁ ବୋଲି ଶ୍ରୀ ହରିଚନ୍ଦନ  କହିଥିଲେ। ସରକାର କିଭଳି ଓ କେଉଁ କେଉଁ ବିଦ୍ୟାଳୟକୁ ବନ୍ଦ କରାଯିବ ସେଥି ପାଇଁ କମିଟି ଗଠନ ନକରି ବିଦ୍ୟାଳୟ ମାନଙ୍କରେ କିଭଳି ଛାତ୍ର ଛାତ୍ରୀ ଉପସ୍ଥାନ ବୃଦ୍ଧି ପାଇବ ସେଥି ପାଇଁ ସରକାର କମିଟି ଗଠନ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ଘରୋଇ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି ସରକାରୀ ବିଦ୍ୟାଳୟ ପାଇଁ ଏକ ବୃହତ ଆହ୍ବାନ ପାଲଟିଛି। ଯଦି ସରକାରୀ ବିଦ୍ୟାଳୟ ଗୁଡ଼ିକର ଶିକ୍ଷା ବ୍ୟବସ୍ଥା ଓ ଢାଞ୍ଚା ରେ ଉନ୍ନତି ନଆଣନ୍ତି ଅଚିରେ ସରକାରୀ ବିଦ୍ୟାଳୟ ଗୁଡ଼ିକ ତାର ସତ୍ତା ହରାଇବ। ସେ ଆଦର୍ଶ ଶିକ୍ଷା ବ୍ୟବସ୍ଥାର ଅବତାରଣା କରିବାକୁ ଯାଇ ସର୍ବ ଶିକ୍ଷା ଅଭିଯାନ,ଶିକ୍ଷା ଅଧିକାର ଆଇନ ସଂପର୍କରେ ଆଲୋଚନା କରିବା ସହ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ, ଚାଳିଶି ଶିକ୍ଷାର୍ଥୀ ଲାଗି ଜଣେ ଶିକ୍ଷକ ଆଦିର ଉଦାହରଣ ଦେଇଥିଲେ। କିନ୍ତୁ ଦୁଃଖର କଥା ସରକାର ଆର୍ଥିକ ବୋଝ କହି ଏହି ପରିକଳ୍ପିତ ବିଦ୍ୟାଳୟ ଗୁଡ଼ିକ ବନ୍ଦ କରିବା ନିମନ୍ତେ ନିଷ୍ପତ୍ତି ନେବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି କହିଥିଲେ। ଏହା ସହ ଏହି ବିଦ୍ୟାଳୟ ବନ୍ଦ ହେଲେ ଏଠାରେ କାର୍ଯ୍ୟରତ ପାଚିକା ଓ ପାଚିକା ସହାୟିକା ମାନଙ୍କ କଣ ହେବ ? ବିଦ୍ୟାଳୟ ଗୁଡ଼ିକର କୋଠା ଓ ପରିସର କେଉଁ କାର୍ଯ୍ୟରେ ବ୍ୟବହାର ହେବ ? ସେ ସମ୍ପର୍କରେ ମଧ୍ୟ ସରକାର ନିଜ ସ୍ପଷ୍ଟ ମତ ରଖିବା ଉଚିତ୍ ବୋଲି ସେ କହିଥିଲେ।  ସେଭଳି କୋଭିଡ କଟକଣା ନା ରେ ବିଦ୍ୟାଳୟ ଗୁଡ଼ିକୁ ଦୀର୍ଘ ଦିନ ଧରି ଏକତରଫା ବନ୍ଦ କରିବା ଓ ଅନଲାଇନ ଶିକ୍ଷା ଦ୍ୱାରା ବିଶେଷ କରି ଗରିବ ଶ୍ରେଣୀର ଶିକ୍ଷାର୍ଥୀ ମାନେ କ୍ଷତି ସହୁଛନ୍ତି ବୋଲି କହିଥିଲେ ଏଣୁ ଅଭିଭାବକ ଓ ବୁଦ୍ଧିଜୀବୀ ମହଲ ବିଦ୍ୟାଳୟ ବଞ୍ଚାଅ ଆନ୍ଦୋଳନ ସାମିଲ ହେବା ଉଚିତ ବୋଲି ମତବ୍ୟକ୍ତ କରିବା ସହ ସୋସାଇଟି ଚେଞ୍ଜର୍ଷ ଏଥି ପାଇଁ ଆଗେଇ ଆସିଥିବାରୁ ସେ ଅନୁଷ୍ଠାନର ପ୍ରୟାସକୁ ପ୍ରଶଂସା କରିଥିଲେ।

ଏହି ଆଲୋଚନା ଚକ୍ରକୁ ଅନୁଷ୍ଠାନର ସଭାପତି ସାରଦା ପ୍ରସାଦ ଦାସ ସଭାପତିତ୍ବ କରିଥିବା ବେଳେ, ଶ୍ରୀକୃଷ୍ଣ ମହାନ୍ତି ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଇଂ ସାଗରିକା ସ୍ୱାଇଁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଆଲୋଚନା ଚକ୍ରରେ ଅମ୍ଳାନ ଵଡୁ, ସୌମ୍ୟ ରଞ୍ଜନ,ସୁଶାନ୍ତ ପ୍ରଧାନ, ଆଡଭୋକେଟ ଆର୍ତ୍ତବଂଧୁ ଖାଡଙ୍ଗା, ସରୋଜିନୀ ପାଲ,କିଶୋର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିବା ଓ ଶେଷରେ ଶିବ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

 

 

Leave A Reply

Your email address will not be published.