କାହାଣୀ ସାମୂହିକ ଆତ୍ମହତ୍ୟା ପରର,,,,,,

0 1

ବଞ୍ଚିବାର ଶପଥ ନେଇ ପୈତୃକ ଗ୍ରାମକୁ ଫେରିବେ ଲିଲି । 

ଝାରସୁଗୁଡ଼ା 🙁 ସୁଭାଷ ସହାରେ) : ୨୦୧୫ ମସିହାରେ ହରାଇଲେ ବାପାଙ୍କୁ। ତାପରେ ଦୁର୍ଘଟଣାର ଶିକାର ହେଲେ ଏକମାତ୍ର ପୁତ୍ର। ଅନେକ ସେବାଯତ୍ନ ପରେ ମଧ୍ୟ  ବଞ୍ଚାଇ ପାରିଲେ ନାହିଁ ନିଜ ଭାଇର ଜୀବନ। ଶେଷରେ ପରିବାରର ତିନି ଭଉଣୀ ଓ ମାଆ ଜୀବନ ହାରିଦେବାକୁ ଫିନାଇଲ ପିଇ ଦେଇଥିଲେ। ଜଣ ଜଣ କରି ସମସ୍ତଙ୍କ ଜୀବନ ଚାଲିଗଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ବଡ଼ ଭଉଣୀ ବଞ୍ଚି ଗଲେ। ଦୀର୍ଘ ୫ ମାସ ପରେ ନିଜ ପୈତୃକ ଗ୍ରାମକୁ ଜିଲ୍ଲା ପ୍ରଶାସନ ସହାୟତାରେ ଫେରିବେ ବଞ୍ଚି ଯାଇଥିବା ଲିଲି ବିଶ୍ବାଳ। 

ଫିଲ୍ମ କାହାଣୀ ମନେ ହେଉଥିଲେ ମଧ୍ୟ ଏପରି ଏକ ସତ୍ୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାର ଲହଣ୍ଡାବୁଡ଼ ଗ୍ରାମରେ। ଗଞ୍ଜାମ ଜିଲ୍ଲାର ଲକ୍ଷ୍ମୀପୁରର ଏକ ପରିବାର ଆସି ଏଠାରେ ରହୁଥିଲେ। ପିତାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ବିଶ୍ବାଳ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ଉପରେ ଆଉ ଏକ ହୃଦୟ ବିଦାରକ ଘଟଣା ଘଟିଗଲା। ପରିବାରର ଏକମାତ୍ର ପୁତ୍ର ସନ୍ତାନ ଦୀପକ ବିଶ୍ବାଳ ଦୁର୍ଘଟଣାର ଶିକାର ହେଲେ। ପରିବାରର ସମସ୍ତ ସଦସ୍ୟ ତାଙ୍କୁ ବଞ୍ଚାଇବା ପାଇଁ ଅହରହ ସେବା ଯତ୍ନରେ ଲାଗି ପଡ଼ିଲେ। ଏପରିକି ସାନଭାଇର ଚିକିତ୍ସା ପାଇଁ ବଡ଼ ଭଉଣୀ ଚାକିରୀ ମଧ୍ୟ ଛାଡ଼ି ଦେଇଥିଲେ। ମାତ୍ର ଦୀପକଙ୍କୁ ବଞ୍ଚାଇ ପାରିଲେ ନାହିଁ। ଏହି ଦୁଃଖଦ ଘଟଣା ପରେ ନିଜକୁ ସମ୍ଭାଳି ପାରିଲେ ନାହିଁ ପରିବାରର ତିନି ଝିଅ ଓ ମାଆ। ‘ଏକ ସଙ୍ଗେ ବଞ୍ଚିବେ, ଏକ ସଙ୍ଗେ ମରିବେ’ ଭଳି ଏକ ନିଷ୍ପତ୍ତି ନେଇ ସମସ୍ତେ ଗତ ମେ ମାସ ୩୧ ତାରିଖରେ ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ। କିଛି ଦିନ ଭିତରେ ବଡ଼ ଝିଅ ଲିଲି ବିଶ୍ଵାଳଙ୍କ ବ୍ୟତୀତ ଅନ୍ୟ ସମସ୍ତେ ମୃତ୍ୟୁ ବରଣ କଲେ। ଏବେ ଲିଲି ଶାରୀରିକ ଭାବରେ ସଂପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି। ଶେଷରେ ବଞ୍ଚିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଓ ନିଜ ପୈତୃକ ଗ୍ରାମ ଲକ୍ଷ୍ମୀପୁରକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଲିଲିଙ୍କୁ ସାହାଯ୍ୟ କରିଛନ୍ତି ଜିଲ୍ଲା ପ୍ରଶାସନ। 

ସୂଚନାଯୋଗ୍ୟ ଯେ ସାମୂହିକ ଆତ୍ମହତ୍ୟାର ଘଟଣାଟି ସେ ସମୟରେ ଅଞ୍ଚଳରେ ଚହଳ ପକାଇ ଦେଇଥିଲା।

Leave A Reply

Your email address will not be published.