ମୟୂରଭଞ୍ଜରେ ମେଲିଛି ଆଇପିଏଲ୍ ବେଟିଂର ମାୟାଜାଲ

0

ଫାଇନାଲ୍ ପୂର୍ବରୁ ପୁଲିସ ହାତରେ ଦୁଇ ପ୍ରମୁଖ ବୁକି 

ମୁଖ୍ୟ କାର୍ପଟଦାରକୁ କେହି ଦେଖିନାହାନ୍ତି, ଅନ୍ଧାରୀ ସୋର୍ସରେ ବାଜିରେ ଲାଗୁଛି ଲକ୍ଷ ଲକ୍ଷ ଟଙ୍କା  

ମୋବାଇଲ୍ରେ ଚାଲିଛି ବେଟିଂ ଖେଳ, ଗୁଗୁଲ୍ ଫୋନ୍ ପେ ରେ ହେଉଛି ଟଙ୍କା ନେଣଦେଣ

‘କ୍ରିକେଟ ଲାଇନ ଗୁରୁ’ ଆପ୍ ପାଲଟିଛି ମାଧ୍ୟମ, 

 ବାରିପଦା(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜରେ ମେଲିଛି ଆଇପିଏଲ ବେଟିଂର ମାୟାଜାଲ । ଆଇପିଏଲ-୨୦୨୦ର ଫାଇନାଲ ଅବ୍ୟବହିତ ପୂର୍ବରୁ ପୁଲିସ୍ ହାବୁଡ଼ରେ ପଡ଼ିଛନ୍ତି ଜିଲ୍ଲାରେ ଏହି କାରବାର ମୁଖ୍ୟ ସୂତ୍ରଧର ପାଲଟିଥିବା ଦୁଇ ପ୍ରମୁଖ ବୁକି। ଖୋଦ୍ ପୁଲିସ୍ ଆରକ୍ଷୀ ଅଧୀକ୍ଷକ(ଏସପି ) ସ୍ମିତ୍ ପି ପରମାରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଦୁଇ ପ୍ରମୁଖ ବୁକିଙ୍କୁ ଧରି ଅଧିକ ତଦନ୍ତ ଜାରି ରଖିଛି।  ଧରାପଡ଼ିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ବାରିପଦା ଟାଉନ୍ ଥାନା ବଡ଼ବଜାର ଅଞ୍ଚଳର ହୋଇଥିବାବେଳେ ଅନ୍ୟଜଣେ ବ୍ରାହ୍ମଣଶାସନ ଅଞ୍ଚଳର। ଅଟକ ଦୁଇଜଣଙ୍କ ମଧ୍ୟରୁ ଜଣେ ବାରିପଦାର ଏକ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିବା ମଧ୍ୟ ଜଣାପଡ଼ିଛି। ଜିଲ୍ଲାର ଅଧିକାଂଶ ବ୍ଲକ୍ ମୁଖ୍ୟାଳୟରେ ଏହି ବେଟିଂ କାରବାର ଜୋର ଧରିଥିବାବେଳେ ସଦରମହକୁମା ବାରିପଦା ସହରରେ ଏହା କାୟା ବିସ୍ତାର କରିଛି। ସହରର ବଡ଼ବଜାର, ମଧୁବନ, ପାଲବଣି, ମୁର୍ଗାବାଡ଼ି, ଲାଲବଜାର, ବେଲଗଡ଼ିଆ, କେଏମବିଏମ ଅଞ୍ଚଳ ସହିତ ଏକ ଜଣାଶୁଣା ହୋଟେଲରେ  ଏହି କାରବାର ବେଶ ସନ୍ତର୍ପଣର ସହିତ ଚାଲୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ମୋବାଇଲ୍ ଓ କମ୍ପ୍ୟୁଟର ମାଧ୍ୟରେ ଏହି ଖେଳ ଚାଲିଛି। ‘କ୍ରିକେଟ ଲାଇନ ଗୁରୁ’ ଆପ୍ ପାଲଟିଛି ଏହାର ପ୍ରମୁଖ ମାଧ୍ୟମ। ମୋବାଇଲ୍ରେ ଏହି ଆପ୍ ଡାଉନଲୋଡ୍ କଲାପରେ କ୍ରିକେଟ୍ ସହିତ ଅନ୍ୟାନ୍ୟା ବିଭିନ୍ନ ଖେଳ ସହିତ ଜଡ଼ିତ ଭାଉ(ମାର୍କେଟ୍ ରେଟ) ଜଣାପଡ଼ିଥାଏ। ବିଶେଷକରି ଆଇପିଏଲ ସମୟରେ ଏହା ଜୋର ଚାଲିଛି। ଏହି ଆପ୍ ମାଧ୍ୟରେ ଉଇକେଟ୍ ପଡ଼ିଲେ ଦାମ କମୁଥିବାବେଳେ ଛକା ଚୌକା ବର୍ଷା ହେଲେ ଭାଉ ବଢ଼ିଥାଏ। ସେହି ଅନୁସାରେ ଡାର୍କ ନେଟ୍ ତଥା ଅନ୍ଧାରରେ ରହି ଜିତିବା ଆଶାରେ ଲକ୍ଷାଧିକ ଟଙ୍କାର ବାଜି ଲାଗିଥାଏ। ଏହି ବେଟିଂର ମୁଖ୍ୟ କାର୍ପଟଦାରଙ୍କୁ କିନ୍ତୁ ଏଯାଏଁ କେହି ଜାଣିନାହାନ୍ତି କିମ୍ବା ଦେଖିନାହାନ୍ତି। ସମ୍ପୂର୍ଣ୍ଣ ଦକ୍ଷିଣୀ ଫିଲ୍ମ୍ ଢାଞ୍ଚାରେ ଚାଲିଛି ଏହି ଖେଳ। ଅନ୍ଧାରୀ ସୋର୍ସରେ ଲକ୍ଷ ଲକ୍ଷ ଟଙ୍କାର ବାଜି ଲାଗୁଛି। ଏହି ଖେଳରେ ବାଜିରେ ଟଙ୍କା ଲଗାଉଥିବା ଲୋକ ଲାଭ ମଧ୍ୟ ପାଉଥିବା ଜଣାପଡ଼ିଛି। ତେବେ ଅଧିକାଂଶ କ୍ଷତିରେ ମଧ୍ୟ ପଡ଼ୁଛନ୍ତି। ସର୍ଟକଟ୍ରେ ଅଧିକ ଲାଭ ଆଶାରେ ଯୁବପିଢ଼ୀ ଏହି ବେଟିଂ ଶିକାର ହେଉଥିବା ଜଣାପଡ଼ିଛି। ଏପରିକି ଟଙ୍କା ହରାଇ ଚୋରୀ ଭଳି ନାନା ବେଆଇନ କାରବାରକୁ ମଧ୍ୟ କିଛି ଯୁବକ ଆପଣାଉଥିବା ଦେଖିବାକୁ ମିଳୁଛି। ଗୁଗୁଲ୍ ପେ, ଫୋନ୍ ପେ ଭଳି ଆପ୍ ମାଧ୍ୟମରେ ଚାଲିଛି ଟଙ୍କା ନେଣଦେଣ କାରବାର। ଦୁଇ ନମ୍ବର କାମ ଏକ ନମ୍ବର ବ୍ୟବସ୍ଥାରେ ଚାଲିଛି। ଯାହାଫଳରେ ଏହା ବହୁସଂଖ୍ୟକ ଗ୍ରାହକ ସୃଷ୍ଟି କରିବାରେ ସମର୍ଥ ହେଉଛି। କେବଳ ଆଇପିଏଲ ସମୟରେ ନୁହେଁ ବର୍ଷତମାମ କ୍ରିକେଟ୍ରେ ବାରିପଦାରେ ଅନଲାଇନ ବେଟିଂ କାରବାର ଚାଲୁଥିବା ଜଣାପଡ଼ିଛି। ଅତ୍ୟନ୍ତ ସନ୍ତର୍ପଣରେ ଚାଲୁଥିବା ଏହି କାରବାର ସମ୍ପର୍କରେ କିନ୍ତୁ କାହାକୁ କିଛି ସୂଚନା ନମିଳିବା ଚିନ୍ତାର ବିଷୟ। ଅଟକ ଥିବା ଦୁଇ ବୁକିଙ୍କୁ ପୁଲିସ୍ ଜୋରଦାର ପଚରାଉଚୁରା କଲେ ବାରିପଦା ସହରରେ ଚାଲିଥିବା କ୍ରିକେଟ ବେଟିଂ ସମ୍ପର୍କରେ ବହୁ ତଥ୍ୟ ପାଇପାରିବ ବୋଲି ଚର୍ଚ୍ଚା ହେଉଛି।

 

Leave A Reply

Your email address will not be published.