ଠକୁଛି ଏମସିଏଲ : ବାରମ୍ଵାର ଆନ୍ଦୋଳନ ପରେ ମଧ୍ୟ ଲୋକଙ୍କୁ ମିଳୁନାହିଁ ସୁଫଳ

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ଏଥର ଏମସିଏଲ ବିରୋଧରେ ଛିଡ଼ା ହୋଇଛନ୍ତି ଖୋଦ ବିଜେଡିର ଝାରସୁଗୁଡ଼ା ଶାଖା। ଏମସିଏଲ ଖଣିରେ ଜମି ହରାଇଥିବା ବା ଉଦବାସ୍ତୁ ହୋଇଥିବା ଲୋକେ ନିଜ ନ୍ୟାଯ୍ୟ ଦାଵିରୁ ବଞ୍ଚିତ ହୋଇ ଆସୁଥିବା ଯୋଗୁଁ ଆଜି ବିଜୁ ଜନତା ଦଳ ରାସ୍ତା ରୋକ କରି ଆନ୍ଦୋଳନ କରିଥିଲେ। 

ସୂଚନା ଅନୁଯାୟୀ, ବ୍ରଜରାଜନଗର ବିଜୁ ଯୁବ ଜନତା ଦଳ ପକ୍ଷରୁ ସାନ ଯୋଗ ମଧୁବନ ନଗର ଏମସିଏଲ ବାଇପାସ୍ ରାସ୍ତାଠାରେ ମା’ ଜୟ ଦୂର୍ଗା ମହିଳା ସମିତି ସହଯୋଗରେ ଗୋଟିଏ ରାସ୍ତା ରୋକ ଆନ୍ଦୋଳନ କରାଯାଇଥିଲା। ଆନ୍ଦୋଳନକାରୀମାନଙ୍କ କହିବା ଅନୁଯାୟୀ ମଧୁବନ ନଗର ଓ ସାନଯୋବ ଗ୍ରାମର ଅନେକ ଆଦିବାସୀ, ସୁକବାସି ଲୋକ ଏମସିଏଲର ନିର୍ମାଣ ପାଇଁ ଘର, ଜମି, ଜଙ୍ଗଲ ଜମି,ଭିଟାମାଟି ସବୁ ହରାଇଲେ, କିନ୍ତୁ ପ୍ରତିବଦଳରେ ସେମାନଙ୍କୁ ଥଇଥାନ କରାଗଲା ନାହିଁ। ଏପରିକି ତାଙ୍କର ପ୍ରାପ୍ୟ ମଧ୍ୟ ଦିଆଗଲା ନାହିଁ। ବାରମ୍ଵାର ଏଠାକାର ମହିଳା ଓ ଅଧିବାସୀ ସେମାନଙ୍କ ଦାବିକୁ ନେଇ ଆନ୍ଦୋଳନ କରି ଆସୁଛନ୍ତି, ମାତ୍ର ଏମସିଏଲ କର୍ତ୍ତୃପକ୍ଷ ସେମାନଙ୍କ ଦାବି ପୂରଣ ନେଇ କେବଳ ମିଥ୍ୟା ପ୍ରତିଶ୍ରୁତି ହିଁ ଦେଇ ଆସିଛନ୍ତି। ଏହା ମଧ୍ୟରେ ଗତ ଚାରି ମାସରେ ଲୋକେ ଏମସିଏଲକୁ ନିଜର ଦାବୀକୁ ନେଇ ଚାରିଥର ପତ୍ର ଲେଖି ସାରିଛନ୍ତି, ମାତ୍ର ଲୋକଙ୍କ କହିବା ଅନୁସାରେ, ଏମସିଏଲ କର୍ତ୍ତୃପକ୍ଷ, ଓ କିଛି ପ୍ରଶାସନିକ ଅଧିକାରୀ ଠିକାରେ କାମ କରୁଥିବା କିଛି କମ୍ପାନୀ ସପକ୍ଷରେ ଓକିଲାତି କରି ଆସୁଥିଲେ। ଯେହେତୁ କିଛି ସାଧାରଣ କିନ୍ତୁ ନ୍ୟାଯ୍ୟ ଦାବି ଯଥା ଜମି ହରାଇଥିବା ଲୋକଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ କମ୍ପାନୀରେ ନିଯୁକ୍ତି, ସ୍ବଚ୍ଛ ପାନୀୟ ଜଳ ଯୋଗାଣ, ମହିଳାଙ୍କ ପାଇଁ ସମିତି ଗୃହ, କୋଇଲା ମନ୍ତ୍ରାଳୟ ର ନିୟମ ଅନୁଯାୟୀ ବିସ୍ଥାପିତ ପରିବାର ଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ନ ହେବାରୁ ବିଜେଡି ଲୋକଙ୍କ ପାଇଁ ରାସ୍ତାକୁ ଓହ୍ଲାଇଥିଲା। ଶେଷରେ ଏମସିଏଲ କର୍ତ୍ତୃପକ୍ଷ ପୂନର୍ବାର ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରି ଜିଲ୍ଲା ପ୍ରଶାସନ ସାମନାରେ ସେମାନଙ୍କ ଦାବି ପୂରଣ କରାଯିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଲୋକେ ଆନ୍ଦୋଳନରୁ ଓହରି ଯାଇଥିଲେ। ମାତ୍ର ଶୀଘ୍ର ସେମାନଙ୍କ ଦାବି ପୂରଣ ନ ହେଲେ ସେମାନେ ପୁଣି ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ଓ ଦଲାଲ ଅଫିସର୍ ମାନଙ୍କର ମୁଖା ଖୋଲି ବାହାର କରିବେ ବୋଲି ବିଜେଡି ନେତା ଚେତାବନୀ ଦେଇଛନ୍ତି। 

ଦେଖିବାକୁ ବାକି ରହେ ବାରମ୍ବାର ପ୍ରତିଶ୍ରୁତି ଦେଇ ଯଦି ଏମସିଏଲ ଏପର୍ଯ୍ୟନ୍ତ ଟାଳଟୁଳ ନୀତି ଅବଲମ୍ବନ କରିବାରେ ସକ୍ଷମ ହୋଇଛି, ଏଥରର ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ପୁଣି ଥରେ କେବେ ପ୍ରତିଶ୍ରୁତି ଦେବ ନା ପ୍ରକୃତରେ ପ୍ରତିଶ୍ରୁତି ରକ୍ଷା କରିବ।

Leave A Reply

Your email address will not be published.