ଭିଟାମାଟିରୁ ଉଚ୍ଛେଦ କରିବାକୁ ଚକ୍ରାନ୍ତ କରୁଛି ବନ ବିଭାଗ। ହକ ପାଇଁ ଲଢ଼ିବାକୁ ବାହାରିଲେ ଆଦିବାସୀ। 

0

ଝାରସୁଗୁଡା: (ସୁଭାଷ ସହାରେ) -ପୃଥିବୀର ସବୁ ଦେଶରେ ଆଦିବାସୀ ବିରୋଧରେ ଚକ୍ରାନ୍ତ। ମୂଲ୍ୟବାନ ଖଣିଜ ସଂପଦ ଓ ବନ୍ୟଜାତ ସାମଗ୍ରୀକୁ ନିଜ କବଳରେ ରଖିବା ପାଇଁ ସବୁବେଳେ ଆଦିବାସୀଙ୍କ ହକକୁ ମାରିଛନ୍ତି ସରକାର ଓ ସରକାରୀ ବିଭାଗ। ଓଡ଼ିଶାରେ ମଧ୍ୟ ଏହିପରି କମ ଉଦାହରଣ ନାହିଁ। କେତେବେଳେ ଶିଳ୍ପ ପ୍ରତିଷ୍ଠା ନାମରେ ତ କେତେବେଳେ ଅଭୟାରଣ୍ୟ ନାମରେ ଆଦିବାସୀଙ୍କୁ ଉଚ୍ଛେଦ କରିବା ଏକ ସାଧାରଣ ଘଟଣା ହୋଇଯାଇଛି। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକର ପାଣ୍ଡେରମାଲ ଗାଁରେ।

ଜଙ୍ଗଲ ଆଇନ ୨୦୧୩ ଅନୁଯାୟୀ ୨୦୦୫ ମସିହା ସୁଦ୍ଧା ଜଙ୍ଗଲ ଜମିରେ ରହି ଆସୁଥିବା ଆଦିବାସୀମାନଙ୍କୁ ଜମିର ପଟ୍ଟା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଦୀର୍ଘବର୍ଷ ଧରି ନିଜର ହକ ପାଇଁ ଲଢ଼ି ଆସୁଥିବା ପାଣ୍ଡେରମାଲ ଗାଁ’ର ଆଦିବାସୀମାନଙ୍କ କ୍ଷେତ୍ରରେ ଏହାର ବିପରୀତ ଘଟିଛି। ବୃକ୍ଷରୋପଣ କରିବା ନାମରେ ପୁରୁଷ ପୁରୁଷ ଧରି ରହି ଆସୁଥିବା ଏଠାକାର ଆଦିବାସୀମାନଙ୍କୁ ଏଠାରୁ ଉଠିଯିବା ପାଇଁ ଧମକ ଦେଉଛନ୍ତି। ସେମାନେ ଚାଷ କରୁଥିବା ଜମିରେ ବନବିଭାଗ ଜୋର ଜବରଦସ୍ତି ବୃକ୍ଷରୋପଣ କରି ଦେଉଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏଥିପାଇଁ ଏମାନେ ସଂଘର୍ଷ କରିବାକୁ ବାହାରି ଆସିଛନ୍ତି। 

ଏହାର ପ୍ରତିବାଦରେ ଆଜି ଲୋକମୁକ୍ତି ସଂଗଠନ ନେତୃତ୍ବରେ ଆଦିବାସୀମାନେ ଜିଲ୍ଲାପାଲଙ୍କୁ ଭେଟି ସେମାନଙ୍କୁ ଜମି ଫେରାଇବା ସହ ଜଙ୍ଗଲ ଜମିର ଅଧିକାର ପତ୍ର ପ୍ରଦାନ କରିବାକୁ ଦାବି କରିଛନ୍ତି |

Leave A Reply

Your email address will not be published.