ରେଡକ୍ରସ ପକ୍ଷରୁ କେତକୀଙ୍କ ପରିବାରକୁ ଚିକିତ୍ସା ସହାୟତା ।

0

ଯାଜପୁର, ଜୟଶଙ୍କର ଦାଶ:  ବିଂଝାରପୁର ବ୍ଲକର  ଅରେଇ ପଂଚାୟତ ପଦାସାହୀ ଗ୍ରାମର ପଂଚାନନ ଜେନାଙ୍କ ପତ୍ନୀ  କେତକୀ ଜେନା ଓ ତାଙ୍କର ଦୁଇ କନ୍ୟା ମାନସିକ ଅବସାଦ କାରଣରୁ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବିଷପାନ ପରେ ଗୁରୁତର ତିନିଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ । କିନ୍ତୁ ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ ଡାକ୍ତରଖାନାକୁ ଉନ୍ନତ ଚିକିତ୍ସା ପାଇଁ ପଠାଯାଇଛି । କେତକୀଙ୍କ ପରିବାରକୁ ଚିକିତ୍ସା ସହାୟତା ପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ତୁରନ୍ତ ରେଡକ୍ରସରୁ ଅର୍ଥ ମଂଜୁର କରିବା ସହ ଉନ୍ନତ ଚିକିତ୍ସା ପାଇଁ ସି.ଡି.ଏମ୍.ଓ.ଙ୍କୁ ନିର୍ଦ୍ଦେଶ  ଦେବା ସହ  କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ପରେ ସେଠା ଡାକ୍ତରଙ୍କୁ ଅନୁରୋଧ କରିଛନ୍ତି । ଚିକିତ୍ସା ପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି । ସୂଚନାଯୋଗ୍ୟ ଯେ କେତକୀଙ୍କ ସ୍ୱାମୀ ପଂଚାନନ ମାନସିକ ରୋଗୀ ହୋଇଥିବାବେଳେ ତାଙ୍କର ଏକମାତ୍ର ପୁତ୍ର ମଂଟୁ କେରଳ ରାଜ୍ୟ ସ୍ଥିତ ଏକ ପ୍ଲାଏଉଡ୍ କାରଖାନାରେ କାର୍ଯ୍ୟ କରୁଥିଲେ । ତେବେ ଗତ ମଙ୍ଗଳବାର ମଂଟୁଙ୍କର କୌଣସି ରୋଗରେ ମୃତ୍ୟୁ  ଘଠିଥିଲା । ଏହି ସୂଚନା ପାଇବା ପରେ ମା କେତକୀ ଓ ଭଉଣୀମାନେ ମର୍ମାହତ ହୋଇପଡିଥିଲେ । କେତକୀଙ୍କ ପରିବାର ଅତ୍ୟନ୍ତ ଗରିବ ଓ ପୁଅର ରୋଜଗାର ଉପରେ ନିର୍ଭରଶୀଳ ଥିବାରୁ ପୁଅର ମୃତ୍ୟୁ  ପରେ ମାନସିକ ଦୁଶ୍ଚିନ୍ତା ଓ ଅବସାଦ ଯୋଗୁ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଚିକିତ୍ସାଳୟକୁ ଅଣାଯାଇଥିଲା । 

Leave A Reply

Your email address will not be published.