କୃଷି ଓ କୃଷକଙ୍କ ପ୍ରଗତି ହିଁ ରାଷ୍ଟ୍ର ସମୃଦ୍ଧିର ମୂଳଦୁଆ – ଧର୍ମେନ୍ଦ୍ର ପ୍ରଧାନ
• ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ସହ ଯୋଗଦେଲେ ସାଂସଦ
• ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କୃଷକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛି ସରକାର
• ଅନ୍ନ ଉତ୍ପାଦନରେ କୁଲତା ସମାଜର ଅବଦାନ ପ୍ରଶଂସନୀୟ
ଗଡ଼ଫୁଲଝର, ୨୪ ଅକ୍ଟୋବର ୨୦୨୬ – କୃଷି ଏବଂ କୃଷକଙ୍କ ପ୍ରଗତି ହିଁ ଆମ ରାଷ୍ଟ୍ରର ସମୃଦ୍ଧିର ମୂଳଦୁଆ ଅଟେ । ଜଳସେଚନ କାର୍ଯ୍ୟର ବିସ୍ତାର, କୃଷି କ୍ଷେତ୍ରର ଆଧୁନିକୀକରଣ ଏବଂ ଚାଷୀ ଭାଇଭଉଣୀମାନଙ୍କ ଆର୍ଥିକ ଉନ୍ନତି ପାଇଁ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ସରକାର ସଂପୂର୍ଣ୍ଣ ନିଷ୍ଠା ଓ ଦାୟିତ୍ୱବୋଧ ସହିତ କାର୍ଯ୍ୟ କରୁଛି ବୋଲି ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ସ୍ଥିତ ଗଡ଼ଫୁଲଝର ଠାରେ ଆୟୋଜିତ ପବିତ୍ର “ରାମଚଣ୍ଡୀ ଦିବସ ସମାରୋହ”ରେ ଯୋଗଦେଇ କହିଛନ୍ତି ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କୁଲତା ସମାଜର ପ୍ରଶଂସା କରି ସେ କହିଛନ୍ତି ଯେ ଏହି ସମାଜ ନିଜର କୃଷି ପରମ୍ପରା, ଧାର୍ମିକ ଆସ୍ଥା ଏବଂ ରାଷ୍ଟ୍ର ପ୍ରତି ସମର୍ପଣ ପାଇଁ ସ୍ୱତନ୍ତ୍ର ପରିଚୟ ବହନ କରିଥାଏ । ଦେଶର ଅନ୍ନ ଉତ୍ପାଦନରେ ଏହି ସମାଜର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମାଜର ପ୍ରତ୍ୟେକ ବର୍ଗକୁ ସଶକ୍ତ କରିବା ସହ ନାଗରିକମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ସଂକଳ୍ପବଦ୍ଧ । ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ସମଲେଶ୍ୱରୀ ଏବଂ ମା’ ରଣେଶ୍ୱର ରାମଚଣ୍ଡୀଙ୍କ ଅପାର କୃପାରୁ ଓଡ଼ିଶା ଏବଂ ଛତିଶଗଡ଼ ଉଭୟ ରାଜ୍ୟରେ ଶିକ୍ଷାର ବିକାଶ, ସ୍ୱାସ୍ଥ୍ୟ ସେବାର ସୁଦୃଢ଼ୀକରଣ ଏବଂ ଯୁବବର୍ଗଙ୍କ ପାଇଁ ବ୍ୟାପକ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି । ଏହି ମହାନ ବିକାଶ ଯାତ୍ରାରେ ସମାଜର ସବୁ ସ୍ତରରୁ ସକ୍ରିୟ ସହଯୋଗ ଓ ଭାଗିରଥୀ ପ୍ରୟାସ ଜରୁରୀ ବୋଲି ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମା’ ରଣେଶ୍ୱର ରାମଚଣ୍ଡୀଙ୍କ ଆରାଧନା ଓ ଆସ୍ଥା ଆମର ସମୃଦ୍ଧ ଧାର୍ମିକ ପରମ୍ପରା ଏବଂ ସାଂସ୍କୃତିକ ପରିଚୟ ବୋଲି ମତବ୍ୟକ୍ତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଡ଼ଫୁଲଝର ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ଏବଂ ଏହି ମାଟିରେ ଗୁରୁ ନାନକ ଦେବ ଜୀଙ୍କ ଆଗମନ ସହ ଜଡ଼ିତ ସ୍ମୃତି ଏହି ଅଞ୍ଚଳର ଆଧ୍ୟାତ୍ମିକ ମହତ୍ତ୍ୱକୁ ଆହୁରି ବଢ଼ାଇଛି । ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏ, ବରିଷ୍ଠ ମନ୍ତ୍ରୀ ଏବଂ କୁଲତା ସମାଜ ସମେତ ବିଭିନ୍ନ ଗଣମାଧ୍ୟମର ବ୍ୟକ୍ତିବିଶେଷ ଓ ଗଣମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।